ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜୀବନରୁ ମାରିଦେବାକୁ ମିଳିଥିଲା ଧମକ

Published By : Prameya-News7 Bureau | June 19, 2025 IST

କେନ୍ଦ୍ରାପଡା ୧୯।୬: ରାତି ଅଧରେ ଘରେ ପଶିଲେ । ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି ।କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି l ଦୁଷ୍କର୍ମର ଶିକାର ହୋଇଥିବା ଯୋଗ ଶିକ୍ଷୟିତ୍ରୀ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l 

ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତା ଯୋଗ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି l ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ମୁଣ୍ଡାଳ ଗାଁରେ ଥିବା ତାଙ୍କ ଭଡ଼ା ଘର କବାଟ ଭାଙ୍ଗି ଜଣେ ଯୁବକ ଘର ଭିତରକୁ ପଶିଥିଲେ l ହଠାତ୍ ଶିକ୍ଷୟିତ୍ରୀଙ୍କ ନିଦ ଭାଙ୍ଗି ଯାଇଥିଲା l ଯୁବକ ଜଣଙ୍କ ମୁହଁରେ କଳା କପଡା ବାନ୍ଧିଥିବା ବେଳେ ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବା ମହିଳା ଦେଖିବାକୁ ପାଇଥିଲେ l ଯୁବକ ଜଣଙ୍କ ମହିଳାଙ୍କୁ କାବୁ କରିନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି l ପାଟି କଲେ ଜୀବନରୁ ମାରିଦେବା ପାଇଁ ଯୁବକ ମହିଳାଙ୍କୁ ଧମକ ଦେବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ l ପୀଡିତା ମହିଳା ବଳପ୍ରୟୋଗ କରି ଯୁବକଙ୍କ ମୁହଁରୁ କପଡା ଟାଣି ଦେବାପରେ ସେ ସ୍ଥାନୀୟ ମୁଣ୍ଡାଳ ଗାଁର ବୋଲି ଜାଣିବାକୁ ପାଇଥିଲେ l ପୀଡିତା ଶିକ୍ଷୟିତ୍ରୀ ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ଦୌଡ଼ି ପଳାଇଥିଲେ l ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ସେ ପୀଡିତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି l ଏ ନେଇ ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି l

You Can Read:

ଭୁବନେଶ୍ବରରେ ଅଧା ଦିନ ଛୁଟି ରହିବ ସରକାରୀ ଅଫିସ୍, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.