ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ପରେ ପୋତିଦେବା ଅଭିଯୋଗ, ଠାବ ହେଲା ମୃତଦେହ ପୋତା ହୋଇଥିବା ସ୍ଥାନ

Published By : Prameya-News7 Bureau | August 06, 2025 IST

ମୋହନା: ଗୁଣି ସନ୍ଦେହରେ ହତ୍ୟା l ପୁଣି ଏଭଳି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ l ମୃତକ ହେଲେ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ l କରୁଣାକରଙ୍କ ପରିବାର ଲୋକେ ଗାଁର କିଛି ଯୁବକ ମିଶି ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ଆଣିଥିବାବେଳେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁସାରେ, କମଳାପୁର ଗାଁର କରୁଣାକର ଗତ ୮ ମାସ ହେଲା କୁସୁମପୁର ଗାଁରେ ରହି ଆସୁଥିଲେ। ଗାଁଠାରୁ କିଛି ଦୂରରେ ଏକ କୁଡ଼ିଆ ଘର କରି ସେଠାରେ ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । ଗତ କିଛି ଦିନ ତଳେ କୁସୁମପୁର ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅର ମୃତ୍ୟୁ ଘଟିଥିଲା l ହେଲେ ବାଳକଟିର ମୃତ୍ୟୁ କରୁଣାକରଙ୍କ ଗୁଣି ଯୋଗୁ ହୋଇଥିବା ସନ୍ଦେହ କରୁଥିଲେ। 

ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ କିଛି ଲୋକ ସ୍ଥାନୀୟ ଅଙ୍ଗନାୱାଡ଼ି କେନ୍ଦ୍ରରେ କରୁଣାକରଙ୍କୁ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା ଆଉ ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ପରିବାର ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ପରିବାର ଲୋକଙ୍କ ଅଭିଯୋଗ ପରେ ମୋହନା ପୋଲିସ କୁସୁମପୁର ଗାଁରେ ପହଞ୍ଚି ତନାଘନା କରିଛି  l କରୁଣାକରଙ୍କୁ ହତ୍ୟାକରି ହତ୍ୟାକାରୀ ମାନେ କେଉଁଠି ପୋତିଛନ୍ତି ଜଙ୍ଗଲରେ ଯାଞ୍ଚ କରିବା ପରେ ଗାଁ ଠାରୁ ଦେଢ଼ କିଲୋମିଟର ଜଙ୍ଗଲରେ ମୃତଦେହ ପୋତା ଯାଇଥିବା ସ୍ଥାନ ଠାବ କରିଛି ପୋଲିସ l ଏହି ଘଟଣାରେ ୮ ଜଣକୁ ଅଟକ ରଖି ପଚରାଉଚରା କରାଯାଉଥିବା ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.