ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ପିଟିଲେ ଲୋକେ

Published By : Prameya-News7 Bureau | August 14, 2025 IST

ବଲାଙ୍ଗୀର ୧୪।୦୮:  ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼। ବଲାଙ୍ଗୀର ସଇଁତଳା ଥାନା ଯୁବାମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ପରିବାର ଲୋକେ ଯୁବକଙ୍କ ଗୋଡ଼ହାତ ବାନ୍ଧି ଆକ୍ରମଣ କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଯୁବାମାଲ ଗାଁର ଜଣେ ମହିଳାଙ୍କ ସହ ଜଣେ ଯୁବକଙ୍କ ଅବୈଧ ସମ୍ପର୍କ ଥିଲା। ବୁଧବାର ରାତିରେ ମହିଳାଙ୍କ ଘରେ କେହି ନଥିବା ସମୟରେ ଯୁବକ ଜଣଙ୍କ ଆସିଥିଲେ । କଥାରେ ନାହିଁ ପାପ ସଂପର୍କ ଲୁଚିବ କେତେ ଦିନ । ମହିଳାଙ୍କ ସହ ଘରେ ଥିବା ସମୟରେ ପରିବାର ଲୋକ ଆସିଯାଇଥିଲେ । ଯାହାପରେ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ଯୁବକଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଇଁତଳା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

ସେପଟେ ପରକୀୟା ପ୍ରୀତି ନେଇ ସଇଁତଳା ଥାନା ବଡମାଳ ଫାଣ୍ଡିରେ ମହିଳାଙ୍କ ପରିବାର ଲୋକେ ଯୁବକଙ୍କ ନାଁରେ ଅଭିଯୋଗ କରିଥିବା ଜଣାପଡିଛି। ବାକି ଯୁବକଙ୍କ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ। ପୂର୍ବ ଶତ୍ରୁତାରୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଯୁବକଙ୍କ ପରିବାର କହିଛନ୍ତି। ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ କାହାକୁ ଅଟକ ରଖି ନଥିବା ସୂଚନା ମିଳିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.