ଭାଗ୍ୟ ଭଲ ବଞ୍ଚି ଯାଇଛ, ଏମିତି ସେଲିବ୍ରେସନ ଦରକାର ନାହିଁ, ପନ୍ତଙ୍କୁ ଚେତାବନୀ ଦେଲେ ସର୍ଜନ

Published By : Prameya-News7 Bureau | June 29, 2025 IST

ନୂଆଦିଲ୍ଲୀ: ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଉଭୟ ଇନିଂସରେ ଶତକୀୟ ଇନିଂସ ଖେଳି ଇତିହାସ ରଚିଥିଲେ।  ପ୍ରଥମ ଭାରତୀୟ ଓ୍ଵିକେଟ୍ କିପର ଭାବେ ସେ ଏହି ସଫଳତା ହାସଲ କରିଥିଲେ। ତେବେ ଶତକ ହାସଲ ପରେ ପନ୍ତ ଏକ ଭିନ୍ନ ଶୈଳୀରେ ଉତ୍ସବ ମନାଇଆନ୍ତି। 

ଲିଡ୍ସ ଟେଷ୍ଟ ମ୍ୟାଚ୍‌ରେ ପନ୍ତ ପ୍ରଥମ ଇନିଂସରେ ଶତକ ହାସଲ କରିବା ମାତ୍ରେ, କଳାବାଜି ସେଲିବ୍ରେସନ କରିଥିଲେ। କିନ୍ତୁ ଦ୍ଵିତୀୟ ଇନିଂସରେ ଶତକ ଅର୍ଜନ ପରେ ସେ ଏମିତି କୌଶଳ ଦେଖାଇ ନ ଥିଲେ। ଏହା ପୂର୍ବରୁ ପନ୍ତ ଆଇପିଏଲ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବିପକ୍ଷରେ ଶତକ ହାସଲ ପରେ କଳାବାଜି ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ସେଲିବ୍ରେସନ କ୍ରିକେଟ୍‌ ଜଗତରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଏବେ ପନ୍ତଙ୍କ ଚିକିତ୍ସା କରିଥିବା ଡ. ଦିନଶା ପାରଦିଓ୍ବାଲା ଏହି ଓ୍ଵିକେଟ୍ କିପର ବ୍ୟାଟରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। 

ପାରଦିଓ୍ଵାଲା କହିଛନ୍ତି, ପନ୍ତଙ୍କୁ ଏମିତି ଉତ୍ସବ ପାଳନ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହି ଧରଣର ଶୈଳୀ ଆଣ୍ଠୁ ଓ ଅଣ୍ଟାରେ ବହୁତ ଚାପ ପକାଇଥାଏ। ଯଦି ଏମିତି ବାରମ୍ବାର କରାଯାଏ ତେବେ ଦୁର୍ବଳ ଜଏଣ୍ଟରେ ପୁଣି ଥରେ ଆଘାତ ଲାଗିପାରେ। ଏମିତି କଳା କୌଶଳରୁ ଛୋଟ ତ୍ରୁଟି ସବୁ କିଛି ବିଗାଡ଼ିପାରେ। ଏମିତି ହେଲେ ପୁଣି ଥରେ ପନ୍ତଙ୍କ  ମୁସ୍କିଲ ବଢିପାରେ। 




ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବରରେ କାର ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ। ତେବେ ସୌଭାଗ୍ୟବଶତଃ ତାଙ୍କର ଜୀବନ ବଞ୍ଚି ଯାଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ଦୀର୍ଘ ସମୟ ଧରି ପେଶାଦାର କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ତାଙ୍କ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଥିଲା।  ପରେ ପାରଦିଓ୍ବାଲା ପନ୍ତଙ୍କ ଆଣ୍ଠୁର ଲିଗାମେଣ୍ଟର ଅସ୍ତ୍ରୋପଚାର କରିଥିଲେ। ପାରଦିଓ୍ଵାଲା ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲ୍‌ରେ ଅସ୍ଥି ଶଲ୍ୟ ବିଭାଗର ସର୍ଜନ। 

ଦିନଶା ପାରଦିଓ୍ଵାଲା ଦ ଟେଲିଗ୍ରାଫକୁ କହିଛନ୍ତି ଯେ, ଋଷଭ ପନ୍ତ ଛୋଟ ବେଳୁ ଜିନ୍ମାଷ୍ଟିକ ଶିଖିଛନ୍ତି। ତେଣୁ ତାଙ୍କ ଶରୀର ବେଶ ଫୂର୍ତ୍ତି ରହିଥାଏ। କଳାବାଜି  ଏମିତି ଏକ କୌଶଳ ଯାହା ପାଇଁ ବହୁତ ସଠିକ୍ ଅଭ୍ୟାସ କରିବାକୁ ପଡ଼ିଥାଏ। କିନ୍ତୁ ଉତ୍ସବ ପାଳନ  ପାଇଁ ଏମିତି କରିବା ଆଦୌ ଉଚିତ୍ ନୁହେଁ। ପନ୍ତ ବହୁତ ଭାଗ୍ୟଶାଳୀ ଯେ, ସେ ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କାରଣ ଏହି ଧରଣର ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କା ବହୁତ ଅଧିକ ଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.