‘ହେରା ଫେରି ୩’କୁ ଫେରିବେ ବାବୁ ରାଓ, ପରେଶ ରାଓ୍ଵଲ କହିଲେ- ସବୁ ସମାଧାନ ହୋଇ ଯାଇଛି

Published By : Prameya-News7 Bureau | June 29, 2025 IST

ମୁମ୍ବାଇ: ଯେବେ ‘ହେରା ଫେରି ୩’ରେ ପରେଶ ରାଓ୍ଵଲ ଅଭିନୟ କରିବେ ନାହିଁ ବୋଲି ଖବର ଆସିଲା ସିନେ ପ୍ରେମୀଙ୍କ ମହଲରେ ଚହଳ ପଡ଼ିଗଲା। ହେରା ଫେରି ୟୁନିଭର୍ସରେ ବାବୁ ଭୈୟା ନ ରହିବା ଦର୍ଶକ ଓ ପ୍ରଶଂସକ ଏହାକୁ ସ୍ଵୀକାର କରି ପାରି ନ ଥିଲେ। କୋଟି କୋଟି ପ୍ରଶଂସକଙ୍କ ସହିତ ଅନେକ ଅଭିନେତା ଓ ଅଭିନେତ୍ରୀ  ଏହି ବିଷୟରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ପରେଶ ରାଓ୍ଵଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ହେରା ଫେରି ୩କୁ ନେଇ ଚାଲିଥିବା ବିବାଦ ସମାପ୍ତ ହୋଇ ସାରିଛି। ଖୋଦ୍ ପରେଶ ରାଓ୍ଵଲ ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି। 

ନିକଟରେ ଏକ ସାକ୍ଷାତକାରରେ ପରେଶ ରାଓ୍ଵଲ ‘ହେରା ଫେରି ୩’ ସଂପର୍କିତ ବିବାଦରେ ଖୋଲାଖୋଲି ଆଲୋଚନା କରିଛନ୍ତି। ତାଙ୍କ କହିବା କଥା ଏହା କୌଣସି ବିବାଦ ନ ଥିଲା। ସେ ଚାହାନ୍ତି ସମସ୍ତେ ଏକାଠି ଆସି ପରିଶ୍ରମ କରନ୍ତୁ। ଆମ ମଧ୍ୟରେ ସବୁ ମାମଲାର ସମାଧାନ ହୋଇ ସାରିଛି। ହିମାଂଶ ମେହତାଙ୍କ ସହ ସାକ୍ଷାତକାରରେ ପରେଶ ରାଓ୍ଵଲ କହିଛନ୍ତି, ଆମ ଭିତରେ କୌଣସି ବିବାଦ ନାହିଁ। ବାସ୍ତବ କଥା ହେଲା, ଯେବେ କୌଣସି ଜିନିଷ ଲୋକଙ୍କର ବହୁତ ପସନ୍ଦ ଆସିଯାଏ ତେବେ ଆମକୁ ଆହୁରି ସାବଧାନ ହେବାର ଆବଶ୍ୟକତା ରହିଛି। 

ଦର୍ଶକଙ୍କ ପାଇଁ ଆମର ଦାୟିତ୍ଵ ବଢୁଛି। ସେମାନେ ଆମ ପାଇଁ ବସୁଛନ୍ତି, ଆମକୁ ଭଲ ପାଇବା ଦେଉଛନ୍ତି। ଆପଣ ଏହାକୁ ଅଣଦେଖା କରି ପାରିବେ ନାହିଁ। ଆମକୁ ପରିଶ୍ରମ କରିବାକୁ ପଡ଼ିବ। ତେଣୁ ମୋର କହିବା କଥା ସମସ୍ତେ ଏକାଠି ଆସି ପରିଶ୍ରମ କରନ୍ତୁ। ମାତ୍ର ଆମ ଭିତରେ କୌଣସି ବିବାଦ ନାହିଁ। ଏବେ ଆମ ଭିତରେ ସବୁ ସମାଧାନ ହୋଇ ସାରିଛି। 




ପରେଶ ରାଓ୍ଵଲ ‘ହେରା ଫେରି ୩’ର ନିର୍ମାଣକୁ ନେଇ ଆଲୋଚନା କରିଛନ୍ତି। ତାଙ୍କ କହିବା କଥା ଫିଲ୍ମ ଯେପରି ପରଦାକୁ ଆସିବା କଥା ଠିକ୍ ସେମିତି ଆସିବ। ଫିଲ୍ମ ବହୁ ପୂର୍ବରୁ ଆସିବାର ଥିଲା। ମାତ୍ର ପରସ୍ପର ସହ ଫାଇନ ଟ୍ୟୁନ କରିବାକୁ ପଡ଼ିଥାଏ। କାରଣ ପ୍ରିୟଦର୍ଶନ, ଅକ୍ଷୟ କିମ୍ବା ସୁନୀଲ ସମସ୍ତେ କ୍ରିଏଟିଭ ଲୋକ। ଏହି ସମସ୍ତେ ଅନେକ ବର୍ଷ ଧରି ମୋର ବନ୍ଧୁ ହୋଇ ରହିଛନ୍ତି। 

ସୂଚନାଯୋଗ୍ୟ, ଏହା ପୂର୍ବରୁ ପରେଶ ରାଓ୍ଵଲ ‘ହେରା ଫେରି ୩’ରୁ ବାହାର  ହୋଇ ଯାଇଥିଲେ। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଖୋଦ୍ ଅକ୍ଷୟ କୁମାର ଏହି ଖବରରେ ବେଶ ମର୍ମାହତ ହୋଇଥିଲେ। ସେହି ସମୟରେ ଦୁଇ ଅଭିନେତାଙ୍କ ମଧ୍ୟରେ ବିବାଦର ଖବର ସାମ୍ନାକୁ ଆସିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.