TIME 100: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀରେ ସାକ୍ଷୀ ମଲିକ-ଆଲିୟା ଭଟ୍ଟଙ୍କ ନାଁ, ଜାଣନ୍ତୁ ଆଉ କେଉଁମାନେ ଅଛନ୍ତି

Published By : Prameya-News7 Bureau | April 17, 2024 IST

ନୂଆଦିଲ୍ଲୀ: ଟାଇମ ମାଗାଜିନ ୨୦୨୪ ମସିହାର ୧୦୦ ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଷ୍ଟ ଜାରି କରିଛି । ବୁଧବାର ସଂଧ୍ୟାରେ ଜାରି କରାଯାଇଥିବା ଏହି ସୂଚୀରେ ଦୁଇ ଜଣ ଭାରତୀୟଙ୍କ ନାଁ ରହିଛି । ଅଲିମ୍ପିକ ମେଡାଲ ବିଜେତା ସାକ୍ଷୀ ମଲିକ ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଟାଇମ ମାଗାଜିନର ସୂଚୀରେ ସାମିଲ କରାଯାଇଛି ।  

କୁସ୍ତିରେ ଭାରତର ଏକମାତ୍ର ମହିଳା ଅଲିମ୍ପିକ ପଦକ ବିଜେତା ସାକ୍ଷୀଙ୍କୁ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂଙ୍କ ଦ୍ୱାରା ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ କଥିତ ଯୌନ ଉତ୍ପୀଡନ ବିରୋଧରେ ତାଙ୍କର ଲଢେଇ ପାଇଁ ଏହି ସୂଚୀରେ ତାଙ୍କୁ ସ୍ଥାନ ଦିଆଯାଇଛି । ଅନ୍ୟପଟେ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଅଭିନୟ କ୍ଷେତ୍ର ସହ ସମାଜସେବା କାର୍ଯ୍ୟରେ ଯୋଗଦାନ ପାଇଁ ଏହି ସୂଚୀରେ ସ୍ଥାନ ମିଳିଛି ।

ଏହି ଲିଷ୍ଟରେ ଭାରତୀୟ ବଂଶୋଦ୍ଭବ ହଲିଉଡ୍ ଅଭିନେତା ଦେବ ପଟେଲଙ୍କ ନାଁ ମଧ୍ୟରେ ଏହି ସୂଚୀରେ ରହିଛି । ଦେବ ପଟେଲ ଇଣ୍ଡୋ-ବ୍ରିଟିଶ ଅଭନେତା । ସେହିପରି ମାଇକ୍ରୋସଫ୍ଟର ସିଇଓ ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡେଲାଙ୍କୁ ଟାଇମର ଏହି ଲିଷ୍ଟରେ ସ୍ଥାନିତ କରାଯାଇଛି । ଲିଷ୍ଟରେ ୟୁଏସ ଡିପାର୍ଟମେଣ୍ଟର ଲୋନ ପ୍ରୋଗ୍ରାମ ଅଫିସର ନିର୍ଦ୍ଦେଶକ ଜିଗର ଶାହଙ୍କ ନାଁ ମଧ୍ୟ ରହିଛି । ଶାହଙ୍କ ଜନ୍ମ ଗୁଜରାଟର ମୋଡାସାରେ ହୋଇଥିଲା ।

ବ୍ୟବସାୟୀ ଅଜୟ ବାଙ୍ଗାଙ୍କ ନାଁ ମଧ୍ୟ ଟାଇମ ମାଗାଜିନର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀରେ ସ୍ଥାନ ଦିଆଯାଇଛି । ଅଜୟ ବଙ୍ଗା ୱାର୍ଲଡ ବ୍ୟାଙ୍କର ଅଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କ ଜନ୍ମ ମହାରାଷ୍ଟ୍ରର ପୁଣେରେ ହୋଇଥିଲା । ଲୋକପ୍ରିୟ ଶେଫ୍ ଅସମା ଖାନଙ୍କ ନାଁ ମଧ୍ୟ ଏହି ସୂଚୀରେ ଅଛି । କୋଲକତାରେ ଜନ୍ମିତ ଆସମା ଖାନ ଲଣ୍ଡନର ପ୍ରସିଦ୍ଧ ରେସ୍ତୋରାଁ ଡାର୍ଜିଲିଙ୍ଗ ଏକ୍ସପ୍ରେସର ମାଲିକ ଅଛନ୍ତି ।

ଟାଇମ ମାଗାଜିନର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୟେଲ ୟୁନିଭର୍ସିଟିର ପ୍ରଫେସର ପ୍ରିୟମବଦା ନଟରାଜନଙ୍କୁ ସ୍ଥାନ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.