ଆକାଶକୁ ଛୁଇଁବ ଟ୍ରେନ୍‌ ସେବା; ଏଫିଲ ଟାୱାର ଠାରୁ ଅଧିକ ଉଚ୍ଚରେ ବ୍ରିଜ୍‌, ବିସ୍ଫୋରକ ଏବଂ ଭୂକମ୍ପର ବି ପଡିବନି ପ୍ରଭାବ

Published By : Prameya-News7 Bureau | April 14, 2024 IST

ନୂଆଦିଲ୍ଲୀ ୧୪।୦୪: ଏଣିକି ବାଦଲକୁ ଛୁଇଁବ ଟ୍ରେନ୍‌ ସେବା । ଏଫିଲ ଟାୱାର ଠାରୁ ୩୫ ମିଟର ଅଧିକ ଉଚ୍ଚରେ ଚାଲିବ ଟ୍ରେନ। ଏହି ଟ୍ରେନ ସେବା ବିଦେଶ ନୁହେଁ ବରଂ ଭାରତରେ ହେଉଛି । ଭାରତରେ ବିଶ୍ୱର ସର୍ବବୃହତ ରେଳ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଚଳିତ ବର୍ଷ ଟ୍ରେନ ଚଳାଚଳ ପାଇଁ ରେଳବାଇ ଦ୍ୱାରା ଚେନାବ ସେତୁ ଖୋଲିବ ନେଇ ଆଶା କରାଯାଉଛି । ଏହା ଜାମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ । 

ଖାସ୍ କଥା ହେଉଛି ପ୍ୟାରିସରେ ଥିବା ଏଫିଲ ଟାୱାର ଠାରୁ ବି ଅଧିକ ଉଚ୍ଚା ଅଟେ ଚେନାବ ବ୍ରିଜ । ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପ ଶେଷ ହେବା ପରେ ଚେନାବ ବ୍ରିଜରେ ଆରମ୍ଭ ହେବ ରେଳ ଚଳାଚଳ । ଖୁବଶୀଘ୍ର ଏହି ବ୍ରିଜ୍‌ରେ ଦୌଡିବ ବନ୍ଦେ ଭାରତ ଏବଂ ବନ୍ଦେ ମେଟ୍ରୋ ଭଳି ଟ୍ରେନ୍ । 

ଚେନାବ ରେଳ ବ୍ରିଜ୍‌ ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ଉଚ୍ଚରେ ନିର୍ମାଣ କରାଯାଇଛି । ରେଳବାଇ ଅନୁଯାୟୀ ଏହି ବ୍ରିଜ୍‌ ଫ୍ରାନ୍ସ ରାଜଧାନୀ ପ୍ୟାରିସ ସ୍ଥିତ ଏଫିଲ ଟାୱାର ଠାରୁ ୩୫ ମିଟର ଅଧିକ । ଚେନାବ ବ୍ରିଜ୍ ଇଞ୍ଜିନିୟରିଂ କ୍ଷେତ୍ରର ଏକ ବିରଳ ଉଦାହରଣ। ପ୍ରାୟ ୧୭ ସ୍ପାନ ମିଶାଇ ଚେନାବ ନଦୀରେ ଏପରି ସେତୁ ନିର୍ମାଣ କରାଯାଇଛି । ଯାହାର ଲମ୍ବ ୪୬୭ ମିଟର । 

ରେଳବାଇ ଅନୁଯାୟୀ ପ୍ରାୟ ୪୬୭ ମିଟର ଲମ୍ବ ଆର୍ଚ ସ୍ପାନ୍ କୁ ପରସ୍ପର ସହ ସଂଯୋଗ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ । 

ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜ୍‌ରେ ବିସ୍ଫୋରକ ଏବଂ ଭୂକମ୍ପର ବି ପଡିବନି ପ୍ରଭାବ। ଅର୍ଥାତ ଏହି ପୋଲ ଭୂକମ୍ପ ଏବଂ ବିସ୍ଫୋରଣକୁ ସାମ୍ନା କରିପାରିବ। ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗରେ ପ୍ରବାହିତ ହେଉଥିବା ପବନକୁ ପ୍ରତିହତ କରିବାର କ୍ଷମତା ରଖିଛି ଏହି ବ୍ରିଜ୍‌ । ଚେନାବ ବ୍ରିଜ ଉପରେ ଟ୍ରେନ ଗତି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ।

 ଏହି ସେତୁ ୧୨୦ ବର୍ଷ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ରହିବ। ରେଳବାଇ ଅନୁଯାୟୀ ପ୍ରାୟ ୧୪୮୬ କୋଟି ଟଙ୍କା ବ୍ୟୟରେ ଚେନାବ ରେଳ ପୋଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏହି ସେତୁ ନିର୍ମାଣ ପୂର୍ବରୁ ୨୬ କିଲୋମିଟର ରାସ୍ତା ଏବଂ ୪୦୦ ମିଟର ଲମ୍ବ ଟନେଲ ନିର୍ମାଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.