ଚେତାବନୀ ପରେବି ସୁଧୁରୁନି ମାନବ ସମାଜ। ଜାରି ରଖିଛି ଜଳବାୟୁକୁ ପ୍ରଭାବିତ କରୁଥିବା କାର୍ଯ୍ୟକଳାପ। ଅଙ୍ଗାରକାମ୍ଲ ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ର ନିର୍ଗମନରେ କୌଣସି ହ୍ରାସ ହେଉନାହିଁ। ଏହାର କୁପ୍ରଭାବ ଜଳବାୟୁ ଉପରେ ପଡିଛି। ହେଲେ ଏବେ କର୍ମର ଫଳ ଭୋଗିବାକୁ ପ୍ରସ୍ତୁତ ରୁହ। ଆଗାମୀ ୫ ବର୍ଷ ମଧ୍ୟରେ ହଠାତ୍ ବଢ଼ିଯିବ ବିଶ୍ୱର ତାପାମାତ୍ର। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବିଶ୍ୱ ପାଣିପାଗ ସଂଗଠନ (WMO)।
ରିପୋର୍ଟ ଅନୁଯାୟୀ, ୨୦୨୫ ରୁ ୨୦୨୯ ମଧ୍ୟରେ ବିଶ୍ୱ ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ଅଧିକ ହେବାର ୭୦ ପ୍ରତିଶତ ସମ୍ଭାବନା ରହିଛି। ଅଧିକ ତାପମାତ୍ରା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହେବ। କେଉଁଠି ବରଫ ତରଳିବ… ତ ଆଉ କେଉଁଠି ଦେଖାଦେବ ମରୁଡି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୨୪ ଥିଲା ସବୁଠୁ ଉତ୍ତପ୍ତ ବର୍ଷ ଅର୍ଥାତ୍ ବିଶ୍ୱର ହାରାହାରି ତାପମାତ୍ରା 1850-1900 ପୂର୍ବ ସ୍ତର ଅପେକ୍ଷା ୧.୫ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା। କିନ୍ତୁ ଚିନ୍ତାର ବିଷୟ ଆଗାମୀ ପାଞ୍ଚ ବର୍ଷ ମଧ୍ୟରୁ ଯେକୌଣସି ଗୋଟିଏ ବର୍ଷର ତାପମାତ୍ରା ୨୦୨୪କୁ ବି ଅତିକ୍ରମ କରିପାରେ।
WMO ରିପୋର୍ଟ ଅନୁଯାୟୀ, ୨୦୨୯ ମଧ୍ୟରେ ପ୍ରତି ବର୍ଷର ହାରାହାରି ତାପମାତ୍ରା 1850-1900 ଅପେକ୍ଷା 1.2 ରୁ 1.9 ଡିଗ୍ରୀ ସେଲସିୟସ୍ ଅଧିକ ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଅତି କମରେ ଗୋଟିଏ ବର୍ଷର ତାପମାତ୍ରା 1.5 ଡିଗ୍ରୀ ଅତିକ୍ରମ କରିବାର ୮୬ ପ୍ରତିଶତ ସମ୍ଭାବନା ଅଛି। WMO ଉପସଚିବ ଜନମ୍ୟାନ କୋ ବାରେଟ୍ କହିଛନ୍ତି, 'ଆମେ ଲଗାତାର ୧୦ଟି ଉତ୍ତପ୍ତ ବର୍ଷ ଅନୁଭବ କରିଛୁ। ଏହି ରିପୋର୍ଟ ଦର୍ଶାଉଛି ଯେ ଆଗାମୀ ବର୍ଷଗୁଡ଼ିକରେ ଗରମରୁ କୌଣସି ମୁକ୍ତି ମିଳିବ ନାହିଁ। ଏହା ଆମର ଅର୍ଥନୀତି, ଜୀବନଶୈଳୀ, ପରିବେଶ ଏବଂ ସମଗ୍ର ଗ୍ରହ ଉପରେ ନକାରାତ୍ମକ ପ୍ରଭାବ ପକାଇବ। '
ଦକ୍ଷିଣ ଏସିଆ ବିଷୟରେ କହିବାକୁ ଗଲେ, ଡବ୍ଲୁଏମଓ କହିଛି ଯେ ୨୦୨୫ ରୁ ୨୦୨୯ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ଧାରା ଜାରି ରହିପାରେ। ସେହିପରି ଆଇଏମଡି ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରୁ ଚାରି ବର୍ଷରେ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ହୋଇଛି। ଏହି ବର୍ଷ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ଆଶା କରାଯାଉଛି।
ରିପୋର୍ଟ ଅନୁଯାୟୀ, ଆଗାମୀ ପାଞ୍ଚଟି ଶୀତ ଋତୁରେ ଆର୍କଟିକ୍ ବା ବରଫାବୃତ ଅଞ୍ଚଳରେ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ବାରେଣ୍ଟସ୍, ବେରିଂ ଏବଂ ଓଖୋଟସ୍କ ସମୁଦ୍ରରେ ବରଫ ଆହୁରି ହ୍ରାସ ପାଇବାର ସମ୍ଭାବନା ଅଛି।
ମେ ଏବଂ ସେପ୍ଟେମ୍ବର ମଧ୍ୟରେ, ସାହେଲ, ଉତ୍ତର ୟୁରୋପ, ଆଲାସ୍କା ଏବଂ ଉତ୍ତର ସାଇବେରିଆରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ, ଯେତେବେଳେ ଆମାଜନ ଅଞ୍ଚଳରେ ଶୁଷ୍କତା ବୃଦ୍ଧି ପାଇପାରେ। ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଯଦି ମାନବଜାତି ଅଙ୍ଗାରକାମ୍ଳ ନିର୍ଗମନକୁ ନିୟନ୍ତ୍ରଣ ନ କରେ, ତେବେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଆହୁରି ଗୁରୁତର ହେବ।