ଓମାନ ସହିତ ହୋଇଥିବା ସିଇପିଏ ଚୁକ୍ତିକ’ଣ? ବିଭିନ୍ନ ଦେଶ ସହିତ ଏଭଳି ୧୭ଟି ଚୁକ୍ତି କଲାଣି ଭାରତ,କାହିଁକି ଜାଣନ୍ତୁ

NEWS7
worker-dies-after-explosion-during-bridge-construction-in-ganjam

ନୂଆଦିଲ୍ଲୀ: India's Free Trade Agreements, ଭାରତ ଓ ଓମାନ ମଧ୍ୟରେ ହୋଇଛି କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍ ଆଗ୍ରିମେଣ୍ଟ ବା (CEPA) । ଏହି ଚୁକ୍ତିନାମା, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ସର୍ଭିସ୍ ସେକ୍ଟରେ ଯୋଗାଦନ ବଢ଼ାଇବ। ଓମାନରେ ଭାରତୀୟ ସାମଗ୍ରୀ ପ୍ରାୟତଃ ଶୁଳ୍କମୁକ୍ତ ହେବ ଏବଂ ଉଭୟ ଦେଶର ପ୍ରୋଫେସନାଲ୍ସଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।ଏହି ଚୁକ୍ତିଦ୍ୱାରା ସାଧାରଣ ଲୋକଙ୍କୁ ବି ଫାଇଦା ମିଳିବ।

ଆର୍ଥିକ ବର୍ଷ ୨୦୨୫ରେ ଭାରତ ଏବଂ ଓମାନ ମଧ୍ୟରେ କାରବାର ୧୦.୬୧୩ ବିଲିୟନ ଡଲାର ବା ପ୍ରାୟ ୯୫ ହଜାର ୭୦୦ କୋଟି ଟଙ୍କାରେ ପହଞ୍ଚିଛି। ସେପଟେ ଆମେରିକାର ଶୁଳ୍କ ଏବଂ ୟୁରୋପୀୟ ସଂଘର କାର୍ବନ ଟ୍ୟାକ୍ସ ଚାପ ମଧ୍ୟରେ ଭାରତ ବିଶ୍ୱ ବାଣିଜ୍ୟ ପରିସରକୁ ବିସ୍ତାର କରୁଛି। ଏମିତିରେ ଭାରତ ଓ ଓମାନ ମଧ୍ୟରେ ହୋଇଥିବା ସିଇପିଏ ଚୁକ୍ତି ଦୁଇ ଦେଶର ବାଣିଜ୍ୟରେ ନୂଆ ଅଧ୍ୟାୟ ଆରମ୍ଭ କରିବ ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବ। ଏଥିରେ ସାଧାରଣ ଜନତାଙ୍କର କଣ ଫାଇଦା ହେବ ଆସନ୍ତୁ ସରଳ ଭାଷାରେ ବୁଝିବା।

ଭାରତ ଓ ଓମାନ ମଧ୍ୟରେ ନୂଆ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍ ଏଗ୍ରିମେଣ୍ଟ ଦ୍ୱାରା ଭାରତର ରପ୍ତାନୀ କ୍ଷେତ୍ର ବଢ଼ିବ। ସାଧାରଣ ଲୋକଙ୍କୁ ରୋଜଗାର ମିଳିବ। ଭାରତରୁ ବୟନଶିଳ୍ପ, ଜୋତା, ଅଳଙ୍କାର ଏବଂ କୃଷି ଭଳି କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଇବ। ଭାରତରୁ ରପ୍ତାନୀ ବଢ଼ିଲେ ଏହାକୁ ନିର୍ମାଣ କରୁଥିବା ଗ୍ରାମୀଣ କାରିଗର, ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଅଧିକ ନିଯୁକ୍ତି ଏବଂ ଆୟ ପ୍ରଦାନ କରିବ। ଖାଲି ସେତିକି ନୁହେଁ, ଭାରତୀୟ ଡାକ୍ତର ଏବଂ ଇଞ୍ଜିନିୟରଙ୍କ ଭଳି ପ୍ରଫେସନାଲ ମାନେ ମାଧ୍ୟ ଏହି ଚୁକ୍ତିରେ ଲାଭବାନ ହେବେ। ଓମାନରେ ସେମାନଙ୍କର ସର୍ଭିସ ଯୋଗାଇବା ପାଇଁ ସମସ୍ତ ପ୍ରକାର ସୁବିଧା ଓମାନ ସରକାର ଯୋଗାଇ ଦେବେ। ଫଳରେ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ସେମାନେ ବିଦେଶରୁ ଯାଇ ଭାରତକୁ ରେମିଟାନ୍ସ ବା ଟଙ୍କା ପଠାଇପାରିବ। ଏଥିରେ ପରିବାରର ଆୟ ସୁଦୃଢ଼ ହେବ।

ସେହିଭଳି ଚିକିତ୍ସା କ୍ଷେତ୍ରରେ ଆୟୁଷ, ଯୋଗ ଏବଂ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ଏଥିରେ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଛୋଟ ବ୍ୟବସାୟୀ ଏବଂ ଡାକ୍ତରମାନେ ଲାଭବାନ ହେବେ। ମେଡିକାଲ ଟୁରିଜମ ବି ବଢ଼ିବ।

ଏହି ଚୁକ୍ତିରେ ଭାରତର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମଧ୍ୟ ଫାଇଦା ମିଳିବ। ଏହି ସାମଗ୍ରୀଗୁଡ଼ିକ ଓମାନି ବଜାରରେ ଅଧିକ ପ୍ରବେଶ ପାଇବେ। ଆହୁରି ମଧ୍ୟ ଶୁଳ୍କମୁକ୍ତ ରପ୍ତାନୀ ଭାରତୀୟ ଉତ୍ପାଦଗୁଡ଼ିକୁ ଶସ୍ତା କରିବ। ଏବଂ ଓମାନ ଭାରତକୁ ରପ୍ତାନୀ କରୁଥିବା ସାମଗ୍ରୀ ଶସ୍ତା ହେବ। ସାମଗ୍ରିକ ବାଣିଜ୍ୟ ବୃଦ୍ଧି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ଏବଂ ପରୋକ୍ଷ ଭାବରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

ଭାରତ-ଓମାନ ମଧ୍ୟରେ ହୋଇଥିବା CEPA ଚୁକ୍ତି ଅନୁସାରେ, ଓମାନ ଏହାର ୯୮.୦୮% ଟାରିଫ୍ ଲାଇନରେ ଜିରୋ ଡ୍ୟୁଟି ଆକ୍ସେସ ବା ଶୂନ୍ୟ ଶୁଳ୍କ ଲାଗୁ କରିଛି। ଏହାଦ୍ୱାର ଭାରତରୁ ଓମାନକୁ ରପ୍ତାନୀ ହେଉଥିବା ପ୍ରାୟ ୯୯. ୩୮% ସାମଗ୍ରୀ ଶୁଳ୍କ ମୁକ୍ତ ହୋଇଯିବ। ଫଳରେ ଭାରତରୁ ରପ୍ତାନୀ ହେଉଥିବା ବୟନ, ଚମଡ଼ା, ଜୋତା, ରତ୍ନ ଏବଂ ଅଳଙ୍କାର, ଇଞ୍ଜିନିୟରିଂ ଉତ୍ପାଦ, ପ୍ଲାଷ୍ଟିକ୍, ଫର୍ଣ୍ଣିଚର, କୃଷି ଉତ୍ପାଦ, ଔଷଧ, ଚିକିତ୍ସା ଉପକରଣ ଏବଂ ଅଟୋମୋବାଇଲ୍ ଭଳି କ୍ଷେତ୍ରକୁ ଲାଭବାନ ହେବେ।

ସେହିଭଳି, ଭାରତ ମଧ୍ୟ ଏହାର ଟାରିଫ୍ ଲାଇନ୍ରୁ ୭୭.୭୯% କୋହଳ କରିଛି। ଏହାଦ୍ୱାରା ଓମାନରୁ ଭାରତକୁ ଆସୁଥିବା ୯୪.୮୧ ପ୍ରତିଶତ ସାମଗ୍ରୀ ଶୁଳ୍କ ମୁକ୍ତ ହେବ। ଏହି ଚୁକ୍ତିନାମା ପରେ, ପୋଷାକ, ରତ୍ନ ଏବଂ ଅଳଙ୍କାର, ଚମଡା, ଜୋତା, କ୍ରୀଡା ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ ଏବଂ ଅଟୋମୋବାଇଲ ପର୍ଯ୍ୟନ୍ତ ଭାରତରେ ନିର୍ମିତ ସାମଗ୍ରୀ ସିଧାସଳଖ ଓମାନରେ ପହଞ୍ଚିପାରିବ। ସେହିପରି ଭାରତ ଓମାନର ଖଜୁର, ମାର୍ବଲ ଏବଂ ପେଟ୍ରୋକେମିକାଲ୍ସ ଉପରେ କୋଟା ସହିତ ଶୁଳ୍କ ଛାଡ଼ ମଧ୍ୟ ଦେବ। ଏହି ଚୁକ୍ତିନାମା ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରୁ କାର୍ଯ୍ୟକାରୀ ହେବ।

ସେହିଭଳି ସର୍ଭିସ୍ ସେକ୍ଟରରେ, ଓମାନ ପ୍ରଥମ ଥର ୧୨୭ଟି ସବ୍ ସେକ୍ଟରରେ ନିବେଶ ପ୍ରତିଶ୍ରୁତି ଦେଇଛି। ଏହି ସେକ୍ଟର ମଧ୍ୟରେ ରହିଛି କମ୍ପ୍ୟୁଟର ସର୍ଭିସ, ବିଜନେଶ ଆଣ୍ଡ ପ୍ରଫେସନାଲ ସର୍ଭିସେଜ୍, ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (R&D) ଇତ୍ୟାଦି ରହିଛି। ପ୍ରମୁଖ ସେବା କ୍ଷେତ୍ରରେ ଭାରତୀୟ କମ୍ପାନିଗୁଡ଼ିକୁ ୧୦୦ ପ୍ରତିଶତ FDI ଅନୁମତି ଦିଆଯିବ। ଭାରତୀୟ ବୃତ୍ତିଗତଙ୍କ ପାଇଁ ଭିସା ଏବଂ ରହଣି ସୁବିଧା ମଧ୍ୟ ଉନ୍ନତ କରାଯିବ।

ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ପୁରୁଣା ବନ୍ଧୁତାର ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏହି ଚୁକ୍ତିନାମା ଭାରତୀୟ ରପ୍ତାନୀକାରୀ ଏବଂ ବୃତ୍ତିଗତଙ୍କ ପାଇଁ ବିପୁଳ ସୁଯୋଗ ଖୋଲିବ ଏବଂ ଓମାନର ଭିଜନ ୨୦୪୦କୁ ସମର୍ଥନ କରିବ।

ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି, ଶୁଳ୍କ ଛାଡ଼ ଭାରତୀୟ ଶିଳ୍ପ ରପ୍ତାନୀର ପ୍ରତିଯୋଗିତା ବୃଦ୍ଧି କରିବ। ଅବଶ୍ୟ ଓମାନର ମାର୍କେଟ ଛୋଟ, ତେଣୁ ଗୁଣବତ୍ତା ଉନ୍ନତ କରିବା ଏବଂ ଉତ୍ପାଦ ପରିସର ବିସ୍ତାର କରିବା ପାଇଁ କାମ କରିବାକୁ ପଡ଼ିବ। ୬ ହଜାର ମିଳିତ ଉଦ୍ୟୋଗ ସହ ଏହି ଚୁକ୍ତି ଭୂ-ରାଜନୈତିକ ଏବଂ ମଧ୍ୟପ୍ରାଚ୍ୟରେ ଭାରତର ଉପସ୍ଥିତିକୁ ସୁଦୃଢ଼ କରିବ, ବୋଲି ଅଜୟ ଶ୍ରୀବାସ୍ତବ କହିଛନ୍ତି।

ଓମାନ ସହିତ ହୋଇଥିବା CEPA ଚୁକ୍ତି କ,ସାଧାରଣ ଲୋକଙ୍କୁ ଏଥିରେ କଣ ଫାଇଦା ମିଳିବ ତାହା ତ ଆପଣ ଜାଣିଲେ। ଏବେ ଆସନ୍ତୁ ଜାଣିବା ଓମାନ ସହିତ ଭାରତରବ୍ୟବସାୟ ସମ୍ପର୍କରେ?ଭାରତ ଓମାନକୁ କଣ ବିକୁଛି ଓ ଓମାନଠାରୁ କଣ କିଣୁଛି। ଦୁଇ ଦେଶର ବ୍ୟବସାୟ ମଧ୍ୟରେ କିଏ ଲାଭରେ ଅଛି ଆଉ କିଏ କ୍ଷତିରେ?

ରିପୋର୍ଟ ଅନୁସାରେ, ଓମାନ ସହିତ ଭାରତର ଟ୍ରେଡ୍ ଡେଫିସିଟ୍ ରହିଛି। ଯଦିଓ ଏହା ବେଶି ନୁହେଁ, ତେବେ ଭାରତ ଓମାନ ଠାରୁ ଯେତିକି ପରିମାଣରେ ଆମଦାନୀ କରୁଛି ସେହି ତୁଳନାରେ ରପ୍ତାନୀ କମ କରୁଛି। ୨୦୨୫ ଆର୍ଥିକ ବର୍ଷରେ ଓମାନକୁ ଭାରତର ରପ୍ତାନି ମୋଟ ୪.୧ ବିଲିୟନ ଡଲାର ଥିଲା। ଯେଉଁଥିରେ ନେଫ୍ତା (୭୪୭.୬ ନିୟୁତ ଡଲାର), ପେଟ୍ରୋଲ (୫୬୧ ନିୟୁତ ଡଲାର), କାଲସାଇଟ୍ ଆଲୁମିନା (୩୧୩ ନିୟୁତ ଡଲାର), ଯନ୍ତ୍ରପାତି (୨୩୧ ନିୟୁତ ଡଲାର), ବିମାନ (୧୬୫ ନିୟୁତ ଡଲାର), ଚାଉଳ (୧୮୨ ନିୟୁତ ଡଲାର), ଲୁହା ଏବଂ ଇସ୍ପାତ ସାମଗ୍ରୀ (୧୨୦ ନିୟୁତ ଡଲାର), ବ୍ୟୁଟି ଓ ପର୍ସନାଲ କେୟାର ପ୍ରଡକ୍ଟ (୧୨୮.୬ ନିୟୁତ ଡଲାର), ଏବଂ ସିରାମିକ୍ ଉତ୍ପାଦ (୭୯.୯ ନିୟୁତ ଡଲାର) ପ୍ରମୁଖ ରପ୍ତାନୀ ରହିଥିଲା।

ସେହିପରି ଓମାନରୁ ଭାରତର ଆମଦାନୀ ୬.୬ ବିଲିୟନ ଡଲାର ଥିଲା। ଯେଉଁଥିରେ ଅଶୋଧିତ ତେଲର ଭାଗ ୧.୧ ବିଲିୟନ ଡଲାର, ଏଲଏନ୍ଜି (୧.୧ ବିଲିୟନ ଡଲାର ଏବଂ ସାର ୧.୧ ବିଲିୟନ ଡଲାର ପ୍ରମୁଖ ଆମଦାନୀ ଥିଲା।

ନିଜର ସ୍ୱାର୍ଥର ସୁରକ୍ଷା ପାଇଁ, ଭାରତ ଏହି ତାଲିକାରେ ସମ୍ବେଦନଶୀଳ ଉତ୍ପାଦଗୁଡ଼ିକୁ ଚୁକ୍ତିରୁ ବାଦ ଦେଇଛି। ଏଥିରେ କୌଣସି ଛାଡ଼ କରାଯାଇ ନାହିଁ। ଏହିସବୁ ସାମଗ୍ରୀ ଆମଦାନୀ ଉପରେ ଟାରିଫ ଲାଇନ ୨,୭୮୯ ଟି ରହିଛି। ଏଥିରେ ଦୁଗ୍ଧଜାତ ଦ୍ରବ୍ୟ, ଚା, କଫି, ରବର, ତମାଖୁ ଉତ୍ପାଦ, ସୁନା ଏବଂ ରୂପା ଇଟା, ଚକୋଲେଟ, କ୍ରୀଡା ସାମଗ୍ରୀ ଭଳି ଶ୍ରମଯୁକ୍ତ ସାମଗ୍ରୀ, ଏବଂ ଅନେକ ବେସ ମେଟାଲ ସ୍କ୍ରାପ୍ ରହିଛି।

ଗତ ଦଶନ୍ଧି ମଧ୍ୟରେ,ଭାରତ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ନିରନ୍ତର ନିଜର ପ୍ରଭାବ ବିସ୍ତାର କରି ଚାଲିଛି। ସମ୍ପ୍ରତିଓମାନ ସହିତ ଏକ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା, ବା କମ୍ପ୍ରେହେନ୍ସିଭି ଇକୋନୋମିକ୍ସ ପାର୍ଟନର୍ସିପ୍ ଏଗ୍ରୀମେଣ୍ଟ କରି, ଏହି ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡିଛି ଭାରତଏହାକୁ ମିଶାଇ ଭାରତର ମୋଟ ବାଣିଜ୍ୟ ଚୁକ୍ତିନାମା ସଂଖ୍ୟା ୧୭ ରେ ପହଞ୍ଚିଛି। ଯେଉଁଥିରେ ବଡ଼ ବଡ଼ ଆର୍ଥିକ ଶକ୍ତି ମଧ୍ୟ ସାମିଲ୍ ଅଛନ୍ତି। ତଳକୁ ପଢ଼ନ୍ତୁ ବିସ୍ତାର ରିପୋର୍ଟ।

ଆଜି ପର୍ଯ୍ୟନ୍ତ ଭାରତର ମୋଟ ବାଣିଜ୍ୟ ଚୁକ୍ତିନାମା

ଡିସେମ୍ବର ୨୦୨୫ ସୁଦ୍ଧା, ଭାରତ ବିଭିନ୍ନ ଦେଶ ଏବଂ ଆଞ୍ଚଳିକ ସଂଗଠନ ସହିତ ମୋଟ ୧୭ ଟି ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏଥିରେ ୧୩ ଟି ସମ୍ପୂର୍ଣ୍ଣ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବଂ ଅନେକ ଅଗ୍ରାଧିକାର ଭିତ୍ତିକ ବାଣିଜ୍ୟ ଚୁକ୍ତି (ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଏଗ୍ରୀମେଣ୍ଟ) ଏବଂ ଅର୍ଥନୈତିକ ସହଯୋଗ ଚୁକ୍ତି(ଇକୋନୋମିକ୍ କୋଅପରେସନ ଏଗ୍ରୀମେଣ୍ଟ) ରହିଛି। ମୋଟ ଉପରେ ଏହି ଚୁକ୍ତିଗୁଡ଼ିକ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗକୁ କଭର କରୁଛି ଏବଂ ଭାରତୀୟ ରପ୍ତାନିକାରୀମାନଙ୍କୁ ପ୍ରମୁଖ ଅନ୍ତର୍ଜାତୀୟ ବଜାରରେ ଅଗ୍ରାଧିକାର ଭିତ୍ତିକ କିମ୍ବା ଶୁଳ୍କମୁକ୍ତ ପ୍ରବେଶ (ଡ୍ୟୁଟି ଫ୍ରି ଆକ୍ସେସ) ପ୍ରଦାନ କରୁଛି।

ଭାରତର ୧୭ ତମ ଟ୍ରେଡ୍ ପାର୍ଟନର୍ସ ହେଲା ଓମାନ

ଡିସେମ୍ବର ୨୦୨୫ରେ ସ୍ୱାକ୍ଷରିତ ଭାରତ-ଓମାନ କମ୍ପ୍ରେହେନ୍ସିଭ ଇକୋନୋମିକ୍ ପାର୍ଟନର୍ସିପ ଏଗ୍ରୀମେଣ୍ଟ ହେଉଛି ଭାରତର ନୂଆ ବାଣିଜ୍ୟ ଚୁକ୍ତି। ଏବଂ ୟୁଏଇ ସହିତ ଚୁକ୍ତିନାମା ପରେ ଉପସାଗରୀୟ କ୍ଷେତ୍ରରେ ଏହା ଦ୍ୱିତୀୟ ସର୍ବବୃହତ ଚୁକ୍ତି। ଏହି ଚୁକ୍ତିନାମା ଅନୁଯାୟୀ ଭାରତର ୯୮% ସାମଗ୍ରୀ ଉପରେ ଓମାନ ଶୁଳ୍କ ଲଗାଇବ ନାହିଁ। ବା ଶୂନ୍ୟ-ଶୁଳ୍କରେ ଏଗୁଡ଼ିକ ଓମାନ ମାର୍କେଟ୍ରେ ପ୍ରବେଶ କରିପାରିବ। ଫଳରେ ଭାରତ ଓମାନ ଭଳି ଗୋଟେ ଉପସାଗରୀୟ ବଜାରରେ ନିଜ ସାମଗ୍ରୀ ରପ୍ତାନୀ କରିପାରିବ।

ଭାରତ ଦ୍ୱାରା ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

ଭାରତ ବିଶ୍ୱର କିଛି ବୃହତ ଅର୍ଥନୀତି ସମ୍ପନ୍ନ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କିମ୍ବା ବ୍ୟାପକ ବାଣିଜ୍ୟ ଚୁକ୍ତିନାମା କରିଛି। ଏଥିରେ ୟୁକେ ଭଳି ଶକ୍ତିଶାଳୀ ରାଷ୍ଟ୍ର ଅଛନ୍ତି। ଯାହା ସହିତ ଭାରତ ଚଳିତ ବର୍ଷ କମ୍ପ୍ରେହେନ୍ସିଭି ଇକୋନୋମିକ ଆଣ୍ଡ ଟ୍ରେଡ୍ ଏଗ୍ରୀମେଣ୍ଟ କରିଥିଲା। ଯେଉଁଥିରେ ୯୯% ଭାରତୀୟ ରପ୍ତାନି ବ୍ରିଟେନ୍ରେ ଶୁଳ୍କମୁକ୍ତ ହେବ।

ୟୁକେ ବ୍ୟତୀତ ଭାରତ ଅଷ୍ଟ୍ରେଲିଆ (ECTA), ଜାପାନ ସହ CEPA, ଦକ୍ଷିଣ କୋରିଆ ସହ CEPA, ସଂଯୁକ୍ତ ଆରବ ଏମିରେଟ୍ସ (UAE), ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସହିତ ମଧ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଛି। ସେହିପରି ଦକ୍ଷିଣ ପୂର୍ବ ଏସିଆରେ, ଭାରତ ସିଙ୍ଗାପୁର ଏବଂ ମାଲେସିଆ ସହିତ ବ୍ୟାପକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏବଂ ଶ୍ରୀଲଙ୍କା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଥିବା ବେଳେ ଥାଇଲ୍ୟାଣ୍ଡ ସହିତ ଆର୍ଲି ହାର୍ଭେଷ୍ଟ ଏଗ୍ରୀମେଣ୍ଟ ମଧ୍ୟ କାଏମ ରଖିଛି।ଏହି ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ଭାରତକୁ କିପରି ଲାଭଦାୟକ କରିଥାଏ?ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ଭାରତୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କିମ୍ବା ସମାପ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି।

ଏଥିରେ ବୟନଶିଳ୍ପ, ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସାମୁଦ୍ରିକ ଉତ୍ପାଦ ଭଳି କ୍ଷେତ୍ରଗୁଡ଼ିକ ସର୍ବାଧିକ ଲାଭବାନ ହୁଅନ୍ତି। ଅନେକ ଚୁକ୍ତିନାମାରେ ଏପରି ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଛି ଯାହା ଭାରତୀୟ ବୃତ୍ତିଗତମାନଙ୍କ ପାଇଁ, ବିଶେଷକରି ଆଇଟି, ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ଲୋକଙ୍କ ପାଇଁ ବିଦେଶରେ କାମ କରିବା ସହଜ କରିଥାଏ। ଏହି ଚୁକ୍ତିନାମାଗୁଡ଼ିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ପାଇଁ ଦୃଢ଼ ସୁରକ୍ଷା ଏବଂ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରିଥାଏ।