ନବରଙ୍ଗପୁର ୦୩।୦୮ : ରାତିରେ ଶୌଚ ପାଇଁ ଯାଇଥିବା ଯୁବତୀଙ୍କ ମୃତଦେହ ଠାବ । ପରିବାର ଆଣିଲେ ହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପୋଲିସ ଅଭିଯୋଗ ପରେ ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ବ୍ଲକ କୁମ୍ଭାର ସାହିର ପର୍ଶୁ ଗୌଡ଼ଙ୍କ ଝିଅ ଅସ୍ତମା ଗୌଡ଼ । ଶନିବାର ରାତିରେ ଘର ପାଖ ପଡିଆକୁ ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। କିଛି ସମୟ ପରେ ଯୁବତୀଙ୍କୁ ଏକ ଆମ୍ବ ଗଛ ମୂଳେ ପଡିଥିବାର ଦେଖିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ କୋଷଗୁମୁଡ଼ା ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ଏହି ଘଟଣା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଆସିଛି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କୋଷାଗୁମୁଡ଼ା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । କୋଷାଗୁମୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳକୁ ସିଲ କରି ପ୍ରାଥମିକ ଯାଞ୍ଚ ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି। ସେହିପରି ପୋଲିସ ସାଇଣ୍ଟିଫିକ ଟିମର ସହାୟତା ନେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି।