ପୁଣି ଧୋକା ଦେଲା ଗୁଗଲ ମ୍ୟାପ! କାର ସହ ଖାଇକୁ ଖସିପଡିଲେ ମହିଳା, ଜାଣନ୍ତୁ ବଞ୍ଚିଲେ କେମିତି?

Published By : Prameya-News7 Bureau | July 26, 2025 IST

ନଭି ମୁମ୍ବାଇ ୨୬।୭: ମହାରାଷ୍ଟ୍ର ନଭି ମୁମ୍ବାଇରେ ଜଣେ ମହିଳାଙ୍କୁ ଗୁଗଲ ମ୍ୟାପ୍ ଫଲୋ କରିବା ମହଙ୍ଗା ପଡିଛି। ରୁଟକୁ ଫଲୋ କରି ମହିଳାଙ୍କ କାର ଖାଇକୁ ଖସିପଡିଛି। ତେବେ ଉପସ୍ଥିତ ସୁରକ୍ଷା ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ସେପରି ଗୁରୁତର ଆଘାତ ଲାଗି ନାହିଁ, ସେହି ପରି ତାଙ୍କ କାରକୁ ମଧ୍ୟ ବାହାର କରାଯାଇଛି। 

ରିପୋର୍ଟ ଅନୁସାରେ ମହିଳାଙ୍କୁ ବେଲାପୁରରୁ ଉଲଭେ ଯିବାର ଥିଲା। ଏଥି ପାଇଁ ସେ ଘରୁ କାରରେ ବାହାରିଥିଲେ। ତାଙ୍କୁ ବେଲାପୁର ୱେବ୍ରିଜ୍ ଦେଇ ଯିବାର ଥିଲା। ତେବେ ଗୁଗଲ ମ୍ୟାପ୍ ତାଙ୍କୁ ପୋଲ ତଳେ ଧ୍ରୁବତାରା ଜେଟି ଆଡକୁ ଯାଉଥିବା ରାସ୍ତା ଦେଖାଇ ଦେଇଥିଲା। ରାସ୍ତା ସମ୍ପର୍କରେ ମହିଳାଙ୍କୁ ଜଣା ନଥିଲା, ଏଣୁ ସେ ଗୁଗଲ ମ୍ୟାପ୍ କୁ ଅନ୍ଧ ଭଳି ଅନୁସରଣ କରିଥିଲେ। ଏଣୁ ମହିଳା ଆଗକୁ ରାସ୍ତା ନଥିବା ଜାଣି ପାରି ନଥିଲେ ଓ କାର ସହ ଖାଇକୁ ଖସିପଡିଥିଲେ। 

ତେବେ ଘଟଣାସ୍ଥଳରେ ଉପସ୍ଥିତ ସମୁଦ୍ର ସୁରକ୍ଷା ଅଧିକାରୀ ମହିଳାଙ୍କୁ ପାଣିରେ ପହଁରୁଥିବା ଦେଖି ତୁରନ୍ତ ଉଦ୍ଧାର କରିଥିଲେ। ଏହା ପରେ କ୍ରେନ ସାହାଯ୍ୟରେ ମହିଳାଙ୍କ କାରକୁ ମଧ୍ୟ ପାଣିରୁ କଢା ଯାଇଥିଲା। ଗୁଗଲ ମ୍ୟାପ୍ କୁ ଫଲୋ କରି ଦୁର୍ଘଟଣାର ଶିକାର ହେବା ଘଟଣା ଭାରତରେ ନୂଆ ନୁହେଁ। ଗତବର୍ଷ ବରେଲୀରୁ ବଦାୟୁଁ ଯାଉଥିବା ଏକ କାର ଗୁଗଲ ମ୍ୟାପ ଯୋଗୁ ପୋଲରୁ ୫୦ ଫୁଟ ନଦୀକୁ ଖସି ପଡିଥିଲା। ଫଳରେ କାରରେ ଥିବା ୩ ଜଣ ପାସେଞ୍ଜରଙ୍କ ମୃତ୍ୟୁ ହୋଇଥିଲା। ସେହିପରି ହାଇଦ୍ରାବାଦରୁ କେରଳ ଯାଇଥିବା ଏକ ଗ୍ରୁପ ମଧ୍ୟ ଗୁଗଲ ମ୍ୟାପ୍ ଯୋଗୁ ଭୁଲ ରାସ୍ତାରେ ଯାଇ ଉଛୁଳୁଥିବା ନଦୀ ନିକଟରେ ପହଞ୍ଚିଥିଲା।


   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.