୪ଶହ କୋଟିର ନେଟୱର୍ଥ, ହେଲେବି ଭଡ଼ାଘରେ ରହୁଛନ୍ତି ଅନୁପମ ଖେର

Published By : Prameya-News7 Bureau | July 26, 2025 IST

ମୁମ୍ବାଇ ୨୬।୭: ବଲିଉଡ ଅଭିନେତା ଅନୁପମ ଖେର ତାଙ୍କ କ୍ୟାରିୟରରେ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଓ ରିପୋର୍ଟ ଅନୁସାରେ ତାଙ୍କ ମୋଟ ନେଟୱର୍ଥ ୪୦୫ କୋଟି ଟଙ୍କାରୁ ମଧ୍ୟ ଅଧିକ। ସେ ଦୀର୍ଘ ୪ ଦଶନ୍ଧୀରୁ ଅଧିକ କାଳ ହେଲା ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। ଏହା ସତ୍ତ୍ୱେ ସେ ଏବେ ମଧ୍ୟ ଭଡ଼ା ଘରେ ରହୁଛନ୍ତି। ଏଥି ପାଇଁ ସେ ଏକ ତର୍କ ଦିଅନ୍ତି, ତାହା ବି କମ ଆଶ୍ଚର୍ଯ୍ୟଜନକ ନୁହେଁ। 

ସେ କହିଛନ୍ତି ଯେ ତାଙ୍କର ପରଲୋକ ପରେ ତାଙ୍କ ପରିବାର ସଦସ୍ୟ ଶାନ୍ତି ଓ ସଦଭାବରେ ରହନ୍ତୁ ଓ ଉତ୍ତରାଧିକାରକୁ ନେଇ ଯେଉଁ ଝଗଡ଼ା ହେଉଛି ସେଥିରୁ ଦୂରରେ ରହନ୍ତୁ। ୭୦ ବର୍ଷ ବୟଷ୍କ ଅଭିନେତା ଏହି କଥା ‘ଦି ପାୱାରଫୁଲ ହ୍ୟୁମ୍ୟାନ୍ସ’ ପୋଡକାଷ୍ଟରେ କହିଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଅନେକ ଘର କିଣିବାକୁ ପଇସା ଥିଲେ ବି ଭଡ଼ା ଘରେ ରହିବାକୁ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପଚରା ଯାଇଥିଲା। ଏହାର ଜବାବରେ ଖେର ଏହି କଥା କହିଛନ୍ତି। 

ସେ କହିଛନ୍ତି ଯେବେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ସେ ଛାଡିଯାଇଥିବା ସମ୍ପତ୍ତିକୁ ନେଇ ଅନେକ କ୍ଷେତ୍ରରେ ବାଦବିବାଦ ହୋଇଥାଏ। ତେବେ ଏଥିରେ ପଇସା ବଣ୍ଟାକୁଣ୍ଟା ଲାଗି ଏତେ ବିବାଦ ହୁଏନି। ଏଣୁ ସେ ପଛରେ କୌଣସି ସମ୍ପତ୍ତି ଛାଡିଯିବାକୁ ଚାହାନ୍ତିନି, ଯାହାକୁ ନେଇ ପରିବାରରେ ଭବିଷ୍ୟତରେ ବିବାଦ ହେବାର ସମ୍ଭାବନା ଥିବ। ଅନୁପମ ଖେର କହିଛନ୍ତି ଯେ ମୁଁ ଅନେକ ବୟଷ୍କ ଲୋକଙ୍କୁ ଦେଖିଛି, ସେମାଙ୍କ ସହିତ କଥାବାର୍ତ୍ତା ବି ହୋଇଛି। ତେବେ ସେମାନଙ୍କ କାହାଣୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ। 

କାହାକୁ ତାଙ୍କ ପୁଅ ଘରୁ ବାହାର କରିଦେଇଛନ୍ତି ତ ଆଉ କାହା ଉପରେ ସମ୍ପତ୍ତି ପାଇଁ ପରିବାରର ଲୋକେ ଚାପ ପକାଉଛନ୍ତି। ହେଲେ ମୋ ଘରେ ଏପରି ଘଟଣା ଘଟୁ ତାହା ମୁଁ କେବେ ବି ଚାହିଁବିନି। ଏବେ ବି ମୋ ଘରେ ଏପରି କୌଣସି ଘଟଣା ଘଟୁ ନାହିଁ। ତେବେ କେବଳ ଅନୁପମ ଖେର ନୁହନ୍ତି ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଭଡ଼ା ଘରେ ରହିବାକୁ ପସନ୍ଦ କରୁଛନ୍ତି। ଏମାନଙ୍କ ମଧ୍ୟରେ ବିଦ୍ୟା ବାଲନ, କୃତି ସେନନ, କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଆଦି ଭଡ଼ା ଘରେ ସେମାନଙ୍କ ସମୟ ଅତିବାହିତ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.