ଅବଲୋକିତେଶ୍ୱରଙ୍କ ଆଶିର୍ବାଦ, ମୁଁ ଆଉ ୩୦-୪୦ ବର୍ଷ ବଞ୍ଚିବି: ଦଲାଇ ଲାମା

Published By : Prameya-News7 Bureau | July 05, 2025 IST

ମ୍ୟାକଲୋଡଗଞ୍ଜ ୫।୭: ଉତ୍ତରାଧିକାରୀ ଘୋଷଣାକୁ ନେଇ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଦଲାଇଲାମା। ଶନିବାର ସେ କହିଛନ୍ତି ଯେ ‘ମୋତେ ଲାଗୁଛି ଲୋକଙ୍କ ସେବା ନିମନ୍ତେ ମୁଁ ଆଉ ୩୦-୪୦ବର୍ଷ ଜୀବିତ ରହିବି’। ମ୍ୟାକଲୋଡଗଞ୍ଜରେ ମୁଖ୍ୟ ଦଲାଇଲାମା ମନ୍ଦିର ତସୁଗଲାଗଖାଂଗରେ ରବିବାର ଜନ୍ମଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ପୂର୍ବରୁ ଅନୁଷ୍ଠିତ ଦୀର୍ଘାୟୁ ପ୍ରାର୍ଥନା ସଭାରେ ତେନଜିନ ଗ୍ୟାତସୋ କହିଛନ୍ତି ଯେ ମୋତେ ସ୍ପଷ୍ଟ ସଂକେତ ମିଳୁଛି ଅବଲୋକିତେଶ୍ୱରଙ୍କ ଆଶିର୍ବାଦ ମୋ ସହିତ ରହିଛି। 

ତୀବ୍ବତ ଆଧ୍ୟାତ୍ମିକ ନେତା କହିଛନ୍ତି ଯେ ‘କେତେକ ଭବିଷ୍ୟବାଣୀକୁ ଦେଖି ମୋତେ ଲାଗୁଛି ମୋ ଉପରେ ଅବଲୋକିତେଶ୍ୱରଙ୍କ ଆଶିର୍ବାଦ ରହିଛି। ମୁଁ ଏପର୍ଯ୍ୟନ୍ତ ଜୀବନରେ ମୋର ସର୍ବଶ୍ରେଷ୍ଠ ଯୋଗଦାନ ଦେଇଛି। ମୁଁ ଆଶା କରୁଛି ଆହୁରି ୩୦-୪୦ ବର୍ଷ ଜୀବିତ ରହିବି’। ଆପଣମାନଙ୍କ ପ୍ରାର୍ଥନା ଏ ପର୍ଯ୍ୟନ୍ତ ଫଳଦାୟୀ ହୋଇଛି, ଆଗକୁ ମଧ୍ୟ ରହିବ। ସେ କହିଛନ୍ତି ‘ଯଦିଓ ମୁଁ ମୋ ଦେଶ ହରାଇଛି ଓ ଭାରତ ନିର୍ବାସନରେ ରହୁଛି, ଏଠାରେ ଜୀବାତ୍ମାମାନଙ୍କୁ ବେଶ୍ ଲାଭ ପହଞ୍ଚାଇ ପାରୁଛି। ମୁଁ ଯେତେ ସମ୍ଭବ ହୋଇ ପାରିବ ଜୀବାତ୍ମାଙ୍କୁ ଲାଭ ପହଞ୍ଚାଇବା ଓ ତାଙ୍କ ସେବା କରିବାକୁ ଇଛା ବ୍ୟକ୍ତ କରୁଛି’। 

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ଏକ ବୟାନରେ କହିଥିଲା ଯେ ଭାରତ ସରକାର ଆସ୍ଥା ଓ ଧର୍ମ ସମ୍ପର୍କିତ ମାମଲାରେ କୌଣସି ପକ୍ଷ ନିଅନ୍ତି ନାହିଁ। ମନ୍ତ୍ରାଳୟର ଏହି ଟିପ୍ପଣୀ ଦଲାଇ ଲାମାଙ୍କ ସେହି ବୟାନର ଦୁଇ ଦିନ ପରେ ଆସିଥିଲା ଯେଉଁଥିରେ ଦଲାଇ ଲାମା ତୀବ୍ବତୀ ବୌଦ୍ଧଙ୍କ ଏକ ଟ୍ରଷ୍ଟକୁ ତାଙ୍କର ଉତ୍ତରାଧିକାରୀ ନିଷ୍ପତ୍ତି ନେବାର ଅଧିକାର ରହିବ। ଏଥିରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ ଯେ ସରକାର ଭାରତରେ ସମସ୍ତଙ୍କ ଲାଗି ଧାର୍ମିକ ସ୍ୱାଧୀନତା ସର୍ବଦା କାୟମ ରଖିଛନ୍ତି ଓ ଆଗକୁ ମଧ୍ୟ ତାହା ଜାରି ରହିବ। 

ସେ କହିଥିଲେ ଯେ ଆମେ ଦଲାଇ ଲାମାଙ୍କ ସଂସ୍ଥାର ନିରନ୍ତରତା ସମ୍ପର୍କରେ ମାନନୀୟ ଦଲାଇ ଲାମାଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ସମ୍ପର୍କିତ ରିପୋର୍ଟ ଦେଖିଛୁ। ତେବେ ଭାରତ ସରକାର ଆସ୍ଥା ଓ ଧର୍ମ ସମ୍ପର୍କିତ ମାମଲାରେ କୌଣସି ପକ୍ଷ ନିଅନ୍ତି ନାହିଁ କି ଏ ସମ୍ପର୍କରେ କୌଣସି ବୟାନ ଅଥବା ମତାମତ ମଧ୍ୟ ଦିଅନ୍ତି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.