ତିଳକ ବର୍ମାଙ୍କୁ ମିଳିବ ସୁଯୋଗ, ୟଶ ଦୟାଲଙ୍କୁ କରିବାକୁ ପଡ଼ିବ ଅପେକ୍ଷା ! SA ବିପକ୍ଷ ପ୍ରଥମ ଟି-୨୦ର ସମ୍ଭାବିତ ପ୍ଲେଇଙ୍ଗ XI

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ଭାରତୀୟ ଯୁବ କ୍ରିକେଟ୍ ଦଳ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ  ଦଳ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ପ୍ରଥମ ଟି-୨୦ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ। 

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିଥିବା ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଚୟନ କରାଯାଇ ନାହିଁ। ଏକ ଯୁବ ଭାରତୀୟ ଦଳକୁ ପୁଣି ଥରେ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଛି। ଯେଉଁ ଦଳ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ, ସେହି ସମାନ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ପଠା ଯାଇଛି। 

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ  ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଇନିଂସ ଓପନ କରିବେ। ଦୀର୍ଘ ସମୟ ପରେ ଦଳକୁ ଫେରିଥିବା ତିଳକ ବର୍ମା ତୃତୀୟ କ୍ରମରେ ବ୍ୟାଟିଂ କରି  ପାରନ୍ତି। । ଚାରି ନମ୍ବରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବେ।ପାଞ୍ଚ ନମ୍ବରରେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଛଅ ନମ୍ବରରେ ରିଙ୍କୁ ସିଂ ଫିନିସର ଭୂମିକା ନିର୍ବାହ କରିବେ। ଏହି ଦୁଇ ଖେଳାଳିଙ୍କ ଉପରେ ବିସ୍ଫୋରକ ବ୍ୟାଟିଂ କରି ରନ ଗତି ବଢାଇବାର ଦାୟିତ୍ଵ ରହିବ। ଏହା ପରେ ଅକ୍ଷୟ ପଟେଲ୍ ନିମ୍ନ କ୍ରମରେ ବ୍ୟାଟିଂ କରିବେ। 

Also read: ‘ରୋହିତ୍ ଅବସର ନେଇପାରନ୍ତି...; ବିସିସିଆଇ ନୂଆ ନେତୃତ୍ବ ଖୋଜିବା ଆବଶ୍ୟକ’

ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ରହୁଥିବାରୁ ଦଳରେ କେବଳ ଦୁଇ ଜଣ ଦ୍ରୁତ ବୋଲର ଖେଳିବାର ଆଶା କରାଯାଉଛି। ସ୍ପିନ ବୋଲର ଭାବେ ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ ଲାଗୁଛି। ଏହିପରି ଭାରତ ପାଖରେ ବୋଲର ଭାବେ ଛଅ ବିକଳ୍ପ ରହିବେ। ଅର୍ଶଦୀପ, ଅଭେଶ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂ ସମ୍ଭାଳୁଥିବା ବେଳେ ଚକ୍ରବର୍ତ୍ତୀ, ବିଷ୍ଣୋଇ ଓ ଅକ୍ଷର ସ୍ପିନ ବିଭାଗ ସମ୍ଭାଳିବେ। ପ୍ରଥମ ଥର ଟି-୨୦ ଦଳରେ ସ୍ଥାନ ପାଇଥିବା  ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଓ ଅଭେଶ ଖାନ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.