News7 Logo

ଫିଟିବ କି ମହାନଦୀ ବିବାଦ ସାମାଧାନର ବାଟ ? ମନମୋହନ ସାମଲ-ବିରୋଧୀ ମୁହାଁମୁହିଁ

NEWS7

ଭୁବନେଶ୍ଵର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଡିସେମ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହାସହ ଦୁଇ ରାଜ୍ୟରେ ବୈଷୟିକ କମିଟିଗୁଡ଼ିକର ବୈଠକ ବସିବ। ମହାନଦୀ ପ୍ରସଙ୍ଗକୁ ନେଇ ରାଜନୀତି ତେଜିଥିବା ବେଳେ ରାଜ୍ୟ ବିଜେପି ସଭାପତି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିରୋଧୀ ଏହାର ଜବାବ ରଖିଛନ୍ତି । ସେପଟେ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପ୍ରସ୍ତାବକୁ ସ୍ବାଗତ କରିଛି ମହାନଦୀ ବଞ୍ଚାଓ କମିଟି। 

ଫିଟିବ କି ମହାନଦୀ ବିବାଦ ସାମାଧାନର ବାଟ ?  ଡିସେମ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବେ ଆଲୋଚନା। ଏନେଇ ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବରର ପ୍ରତି ସପ୍ତାହରେ ଇଆଇସିଙ୍କ ନେତୃତ୍ବରେ ବୈଷୟିକ କମିଟିଗୁଡିକର ବୈଠକ ବସିବ । ସେହିପରି ଅକ୍ଟୋବରରେ ଉଭୟ ରାଜ୍ୟର ଜଳସମ୍ପଦ ସଚିବଙ୍କ ସହିତ ମୁଖ୍ୟ ସଚିବ ସ୍ତରରେ ଏକ ବୈଠକ ଆୟୋଜନ କରାଯିବ। ଏହାସହ ଡିସେମ୍ବର ମାସରେ ସୁବିଧା ଅନୁଯାୟୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିବେ । ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଇଛନ୍ତି ବଡ଼ ସୂଚନା । 

ସେ କହିଛନ୍ତି, ଗୃହ ମନ୍ତ୍ରୀ ଅମିତ ଶାହ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ମତ ଦେଇଥିଲେ । ବିରୋଧୀ ସମୟ ଗଡାଇବା ପାଇଁ ମାମଲା କରିଥିଲେ ବୋଲି କହି ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଜବାବରେ ବିଜେଡି କହିଛି, ନବୀନ ବାବୁ ସମାଧାନ ପାଇଁ ବହୁ ଚେଷ୍ଟା କରିଥିଲେ । ହେଲେ କେନ୍ଦ୍ର ଜାଣିଶୁଣି ଅବହେଳା କରୁଥିଲା । ସେହିପରି କଂଗ୍ରେସ କହିଛି, ଏ ସମସ୍ୟାର ସମାଧାନ ପାଇଁ ଟ୍ରିପଲ ଇଞ୍ଜିନ ସରକାରଙ୍କ ଆନ୍ତରିକତା ନାହିଁ । 

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପ୍ରସ୍ତାବକୁ ସ୍ବାଗତ କରିଛି ମହାନଦୀ ବଞ୍ଚାଓ କମିଟି। ହେଲେ ଦୁଇ ସରକାରଙ୍କ ପାଖରେ ଏହାର ସମାଧାନର ସୂତ୍ର ନାହିଁ ବୋଲି କହିଛନ୍ତି। ଯଦି ବୁଝାମଣା ହେଉଛି ରାଜ୍ୟ କିଛି ସର୍ତ୍ତ ରଖିବା ଦରକାର। ଅଣ ମୌସୁମୀ ସମୟରେ ଆବଶ୍ୟକତା ଥିବା ପାଣିର ପରିମାଣ ସୁନିଶ୍ଚିତ କରିବା ସହ କଲମା ବ୍ୟାରେଜର ସବୁ ଗେଟ ବନ୍ଦ ହେବା ଉଚିତ୍ ନୁହଁ ବୋଲି କହିଛନ୍ତି ମହାନଦୀ ବଞ୍ଚାଓ କମିଟିର ଆବାହକ।  

ତେବେ ରାଜ୍ୟରେ ମହାନଦୀ ବିବାଦ କିଛି ନୂଆ କଥା ନୁହେଁ । ଏମିତି କି ନିର୍ବାଚନ ସମୟରେ ଏହା ମୁଖ୍ୟ ପ୍ରସଙ୍ଗ ମଧ୍ୟ ପାଲଟିଛି । ଏଭଳି ସ୍ଥିତିରେ ସରକାରଙ୍କ ଏହି ପ୍ରୟାସ ମହାନଦୀ ବିବାଦର ସମାଧାନ କରିବାରେ କେତେ ସଫଳ ହେଉଛି ତା ଉପରେ ନଜର ରହିଛି ।