ଧାନ କ୍ରୟ ଓ ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବଲାଙ୍ଗିର ବିଧାୟକ, ସେପଟେ ପ୍ୟାକ୍ସ ବୁଲି ପରଖିଲେ ସ୍ଥିତି

NEWS7
will-the-central-government-amend-the-place-of-worship-act-know-what-home-minister-amit-shah-said

ବଲାଙ୍ଗିର ୧୭।୧୨: ବଲାଙ୍ଗିର ଜିଲ୍ଲାରେ ଏପର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇନଥିବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ବିଭିନ୍ନ ପ୍ୟାକ୍ସ ବୁଲିବା ସହ ସ୍ଥିତି ପରଖି ଚାଷୀଙ୍କ ସହ କଥା ହୋଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବଲାଙ୍ଗିର ଜିଲ୍ଲାର ସମସ୍ତ ମଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ଧାନ କ୍ରୟ ଆରମ୍ଭ ହେବାର ପ୍ରଥା ରହିଥିଲେ ମଧ୍ୟ, ଏଥର ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନାହିଁ । ଜିଲ୍ଲାରେ ଧାନ କଟା ସମ୍ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ MSP ଦରରେ ଧାନ ବିକ୍ରି କରିବା ସୁଯୋଗ ନ ମିଳିବାରୁ କୃଷକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛୋଟ ଚାଷୀ ଅଳ୍ପ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଧାନ କ୍ରୟ ବିଳମ୍ବ ହେବାରୁ ମଧ୍ୟସ୍ଥ ଓ ଅବୈଧ ବ୍ୟବସାୟୀ ମାନେ ସକ୍ରିୟ ହେଉଥିବା ଅଭିଯୋଗ କରିଛନ୍ତି । ଯାହା ରାଜ୍ୟ ସରକାରଙ୍କ MSP ନୀତିକୁ ପ୍ରଭାବିତ କରୁଛି । ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିରେ କଳିକେଶ ନାରାୟଣ ସିଂହଦେଓ ପଞ୍ଜିକୃତ କୃଷକ ମାନଙ୍କୁ ଶୀଘ୍ର ଟୋକେନ୍ ଜାରି, ଅବୈଧ ଧାନ କ୍ରୟ ବିରୋଧରେ କଡ଼ା ପଦକ୍ଷେପ ଏବଂ ବିଳମ୍ବ ପାଇଁ ଦାୟୀ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଧାନ କ୍ରୟ ହେଉଛି କୃଷକଙ୍କ ପ୍ରମୁଖ ଆୟ ଉତ୍ସ । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।