ଆମେରିକାର ଶୁଳ୍କ ଘୋଷଣା ପରେ ଭାରତର ପ୍ରତିକ୍ରିୟା: ଆମେ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବୁ

Published By : Prameya-News7 Bureau | July 30, 2025 IST

internet

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବାର କିଛି ସମୟ ପରେ କେନ୍ଦ୍ର ସରକାରଙ୍କର ପ୍ରତିକ୍ରିୟା ଆସିଛି। ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ବେଳେ ଭାରତ ଚାଷୀ, ଉଦ୍ୟୋଗୀ ଏବଂ ଏମଏସଏମଇଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।। ମଙ୍ଗଳବାର ବାଣିଜ୍ୟ ଏବଂ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରମ୍ପଙ୍କ ଶୁଳ୍କ ଘୋଷଣାର କଣ ପ୍ରଭାବ ପଡ଼ିବ ସେ ନେଇ ଅଧ୍ୟୟନ କରୁଛୁ। ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବ। 

ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ଭାରତ ଏବଂ ଆମେରିକା ଗତ କିଛି ମାସ ଧରି ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା କରିବା ପାଇଁ ଆଲୋଚନାରେ ନିୟୋଜିତ ଅଛନ୍ତି। ଆମେ ସେହି ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧ ଅଛୁ।” ନିକଟରେ ୟୁକେ ସହିତ ହୋଇଥିବା ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟକୁ ଉଦାହରଣ ଦେଇ ଭାରତ କହିଛି ଯେ ବିଦେଶୀ ଖେଳାଳିମାନଙ୍କ ପାଇଁ ଏହାର ବଜାର ଖୋଲିବା ସହିତ, ଏହା ଘରୋଇ ଖେଳାଳିମାନଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତି ସମ୍ବେଦନଶୀଳ ରହିଛି। 

ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ସରକାର ଆମର ଚାଷୀ, ଉଦ୍ୟୋଗୀ ଏବଂ ଏମଏସଏମଇମାନଙ୍କର କଲ୍ୟାଣକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ସରକାର ଆମର ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେବେ, ଯେପରି ୟୁକେ ସହିତ ସର୍ବଶେଷ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମେତ ଅନ୍ୟାନ୍ୟ ବାଣିଜ୍ୟ ଚୁକ୍ତିନାମାରେ ହୋଇଛି।”

ତେବେ ଟ୍ରମ୍ପଙ୍କ ପେନାଲ୍ଟି ନେଇ ଭାରତ ସରକାରଙ୍କ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ସେପଟେ ଟ୍ରମ୍ପ ଜାରି କରିଥିବା ନୂଆ ଶୁଳ୍କ ଭାରତର ଅଟୋମୋବାଇଲ, ଅଟୋ ପାର୍ଟସ, ଷ୍ଟୀଲ, ଅଲୁମିନିୟମ, ସ୍ମାର୍ଟଫୋ ର୍ ସୋଲାର ମଡ୍ୟୁଲ, ମରିନ ପ୍ରଡକ୍ଟ, ରତ୍ନପଥର, ଅଳଙ୍କାର, ଏବଂ ନିର୍ଦ୍ଦଷ୍ଟ ଫ୍ୟାକେଟ ଫୁଡ ଏବଂ କୃଷିଜାତ ଦ୍ରବ୍ୟ ଆଦି ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ। ତେବେ ଏହି ଶୁଳ୍କରୁ ଫାର୍ମସୁଟିକଲ, ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ ମିନେରାଲ୍ସକୁ ବାଦ୍ ଦିଆଯାଇଛି।  

ଟ୍ରମ୍ପଙ୍କ ଏହି ଶୁଳ୍କ ପରେ ଭାରତୀୟ ଉଦ୍ୟୋଗଗୁଡ଼ିକ ଅନ୍ୟ ବଜାରରେ ସମ୍ଭାବନା ଖୋଜୁଛନ୍ତି। ତେବେ ଟ୍ରମ୍ପଙ୍କ ଶୁଳ୍କ ଯଦି ୨୦୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହେ ତେବେ ଭାରତୀୟ ଅର୍ଥନୀତି ୦.୨ ପ୍ରତିଶତରୁ ୦.୫ ପ୍ରତିଶତ ହ୍ରାସ ପାଇପାରେ ବୋଲି ଅର୍ଥନୀତିଜ୍ଞ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.