ରକ୍ଷାବନ୍ଧନ ପରେ ବିହାରରେ ଅଗଷ୍ଟ କ୍ରାନ୍ତି, ନୀତିଶ ସରକାରକୁ ଘେରିବାକୁ ତୟାର କଂଗ୍ରେସ ଓ ଆର୍‌ଜେଡି

Published By : Prameya-News7 Bureau | July 31, 2025 IST

ବିହାର ୩୧/୦୭:  ବିହାରରେ ଦେଖିବାକୁ ମିଳିପାରେ ନୂଆ ରାଜନୈତିକ ସମୀକରଣ । ଦୁଇ ଦଶନ୍ଧି ଧରି କ୍ଷମତା ବାହାରେ ଥିବା ଦଳ ଫେରିବାକୁ ପ୍ରୟାସ କରିବେ । ବିଶେଷ କରି କଂଗ୍ରେସ ଓ ଆରଜେଡି ଟକ୍କର ଦେବାକୁ ତୟାର ହେଉଛନ୍ତି । ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ୱୀ ଯାଦବ । 

ରକ୍ଷାବନ୍ଧନ ପରେ ବିହାରରେ ଦେଖିବାକୁ ମିଳିବ ଅଗଷ୍ଟ କ୍ରାନ୍ତି ମାହୋଲ । ମହାମେଣ୍ଟ ତରଫରୁ ନୀତିଶ ସରକାରକୁ ଘେରିବାକୁ ତୟାର ହେଉଛନ୍ତି ନେତାଏ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମହାମେଣ୍ଟ ତରଫରୁ ପ୍ରତିଟି ମଣ୍ଡଳରେ ପଦଯାତ୍ରା କରି ନୀତିଶ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାକୁ ଚାଲିଛି ପ୍ରସ୍ତୁତି । 

ସୂଚନା ଥାଉକି, ବିହାରରେ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହି କ୍ରମରେ ମହାମେଣ୍ଟ ତରଫରୁ ଏନଡିଏ ସରକାରକୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟା ଭିଡିଛନ୍ତି । ତେଜସ୍ୱୀ ଯାଦବଙ୍କ ପାଟନା ସ୍ଥିତ ଘରେ ଏନେଇ ମହାମେଣ୍ଟ ତରଫରୁ ଏକ ବୈଠକ ହୋଇଛି । ବୈଠକରେ ତେଜସ୍ୱୀ ଓ ରାହୁଲଙ୍କ ସହ ମହାମେଣ୍ଟର ନେତାମାନେ ପୂରା ବିହାର ପଦଯାତ୍ରା କରିବା ନେଇ ନିଷ୍ପତ୍ତି ହୋଇଛି । 

ଏହା ପୂର୍ବରୁ ମଧ୍ୟ ଚଳିତ ମାସ ବିହାରରେ ଚାଲିଥିବା ଭୋଟର ତାଲିକା ପୁନଃ ନିରୀକ୍ଷଣ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ତେଜସ୍ୱୀ ଯାଦବ କହିଛନ୍ତି କି, ନିର୍ବାଚନ ଆୟୋଗ ଯେଭଳି ଭାବେ ବିଜେପି ସହ ମିଶି ବିହାର ଜନତାଙ୍କ ଠାରୁ ଭୋଟ ଅଧିକାର ଛଡ଼ାଇନେବାକୁ ବସିଛନ୍ତି ଏହା ବିରୋଧରେ ଆମେ ଲୋକଙ୍କ ପାଖରେ ପହଂଚିବୁ । ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ଜଳଯୋଗାଣକୁ ନୀତିଶ ସରକାର କିଭଳି ଧ୍ୱଂସ କରିଛନ୍ତି ତା ଉପରେ ଲୋକଙ୍କୁ ସ୍ପଷ୍ଟ ସୂଚନା ଦିଆଯିବ । 

୨୦୨୦ ବିଧାନସଭା ନିର୍ବାଚନ ବେଳେ ତେଜସ୍ୱୀ ଯାଦବ ଏନଡିଏ ମେଣ୍ଟକୁ ପାଣି ପିଆଇ ଦେଇଥିଲେ । କଂଗ୍ରେସର ଖରାପ ପ୍ରଦର୍ଶନ କାରଣରୁ ସରକାର ଗଠନ କରିବାରେ ମହାମେଣ୍ଟ ବିଫଳ ହୋଇଥିଲା । ହେଲେ ଏଥର କିନ୍ତୁ ବିରୋଧୀଙ୍କୁ ଚେକ୍ ଦେବାକୁ ନିଜେ ଅଣ୍ଟା ଭିଡିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଏହାକୁ ଦୃଷ୍ଟିରେ ରଖି ରକ୍ଷାବନ୍ଧନ ପରେ ବିହାରରେ ମହାମେଣ୍ଟ ତରଫରୁ ଯେଉଁ ପଦଯାତ୍ରା ହେବ ତାହାକୁ ଅଗଷ୍ଟ କ୍ରାନ୍ତି ନାମରେ ନାମିତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.