ନୂଆଦିଲ୍ଲୀ ୬।୮: ଭାରତର ପାହାଡି ରାଜ୍ୟ ବିଶେଷ କରି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ସିକ୍କିମ ସମେତ ପୂର୍ବୋତ୍ତରରେ ସବୁ ବର୍ଷ ମୌସୁମୀ କାଳରେ ବାଦଲ ଫଟା ବର୍ଷାର ଖବର ଆସିଥାଏ। ସାଧାରଣତଃ ଏପରି ଘଟଣା ବିନାଶକାରୀ ହୋଇଥାଏ, ଯେଉଁଥିରେ ଭୂ-ସ୍ଖଳନ, ଅଚାନକ ବନ୍ୟା ବ୍ୟାପକ ଧନଜୀବନ ହାନୀ ହୋଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ ପାହାଡିଆ ଅଞ୍ଚଳରେ କାହିଁକି ବାଦଲ ଫାଟେ ସମତଳରେ କାହିଁକି ନୁହଁ? ଆସନ୍ତୁ ଜାଣିବା।
ବାଦଲ ଫାଟିବା ବା କ୍ଲାଉଡ ବ୍ରଷ୍ଟ କ’ଣ?
ବାଦଲ ଫାଟିବା ଏକ ସ୍ଥାନୀୟ ଓ ତୀବ୍ର ବୃଷ୍ଟିପାତ ଘଟଣା। ଏଥିରେ ଖୁବ୍ କମ ସମୟରେ (୨୦-୩୦ମିନିଟ୍)ରେ ୧୦୦ ସେମିରୁ ଅଧିକ ବର୍ଷା ହୋଇଥାଏ। ଏପରି ଘଟଣା ସାଧାରଣତଃ ୧୦ ବର୍ଗକିଲୋମିଟର ବା ଏହାଠୁ କମ ଅଞ୍ଚଳରେ ହୋଇଥାଏ। ବାଦଲ ଯେତେବେଳେ ପାଣିରେ ଭରି ଯାଏ ଓ ଧାରଣ ହୋଇପାରେନି ତାହା ଅଚାନକ ପଡି ଯାଏ ଏହାକୁ ହିଁ ବାଦଲଫଟା ବର୍ଷା କୁହାଯାଏ।
ପାହାଡିଆ ଅଞ୍ଚଳରେ ବାଦଲ କାହିଁକି ଫାଟେ?
ଆର୍ଦ୍ଦବାୟୁ ଯେତେବେଳେ ସମତଳରୁ ବାହାରି ପାହାଡ ସହ ଧକ୍କା ଲାଗେ ସେତେବଳେ ଏହା ଉପରକୁ ଉଠିବାକୁ ଲାଗେ। ଉଚ୍ଚତା ବଢିବା ସହିତ ତାପମାତ୍ରା ହ୍ରାସ ହୁଏ ଏଣୁ ବାଷ୍ପ ଦ୍ରୁତ ଘନିଭୂତ ହୋଇ ତୀବ୍ର ବୃଷ୍ଟିପାତ ହୋଇଥାଏ। ଯଦି ବାଷ୍ପିଭବନ ଦ୍ରୁତ ହୁଏ ଓ ଏଥିରେ ପାଣିର ମାତ୍ରା ସୀମାରୁ ଅଧିକ ହୋଇଯାଏ ସେତେବେଳେ କ୍ଲାଉଡ ବ୍ରଷ୍ଟ ବା ବାଦଲ ଫଟା ବର୍ଷା ପରିସ୍ଥିତି ଉପୁଜିଥାଏ। ପାହାଡିଆ ଅଞ୍ଚଳରେ ବାୟୁର ଚାପ କମ ରହିଥାଏ। ଏହି ସ୍ଥିତି ଯୋଗୁ ବାଦଲ ସନ୍ତୁଳନ ହରାଇ ଅଧିକ ବୃଷ୍ଟିପାତ ହୋଇଥାଏ।
ପାହାଡରୁ ପାଣି ଦ୍ରୁତ ବେଗରେ ତଳକୁ ଖସିଥାଏ। ଏଣୁ ପାହାଡରୁ ମାଟି ଭାସି ଆସେ ପାହାଡି ଝରଣା ଓ ନାଳ ଉଛୁଛି ଉଠେ ଫଳରେ ଭୂ-ସ୍ଖଳନ ଭଳି ଘଟଣା ସାଧାରଣ ହୋଇଥାଏ। ପାହାଡରେ ଦିନ ଓ ରାତିର ତାପମାତ୍ରା ଦ୍ରୁତ ପରିବର୍ତ୍ତନ ହୋଇଥାଏ। ଏହା ବାଦଲ ଫାଟିବା ଘଟଣାକୁ ବଢାଇଥାଏ। ତେବେ ସମତଳ ଅଞ୍ଚଳରେ କାହିଁକି ବାଦଲ ଫାଟେନି ଆସନ୍ତୁ ଜାଣିବା।
ସମତଳ ଅଞ୍ଚଳରେ ପବନ ଊର୍ଦ୍ଧ୍ୱକୁ ଉଠିବା ପାଇଁ କୌଣସି ବାଧା ନଥାଏ। ଏଣୁ ବାଦଲ ସ୍ଥିର ରହିଥାଏ ଓ ବର୍ଷା ଧିରେ ଧିରେ ହୋଇଥାଏ। ସମତଳ ଭୂମିରେ ତାପମାତ୍ରା ଅପେକ୍ଷାକୃତ ସ୍ଥିର ଥାଏ। ଏଣୁ ଅଚାନକ ବର୍ଷା ସମ୍ଭାବନା ନଥାଏ। ସମତଳ ଅଞ୍ଚଳରେ ଜଳନିଷ୍କାସନ ଧିରେ ହୋଇଥାଏ। ଏଣୁ ପାଣି ଖେଳାଇ ହୋଇଯାଇଥାଏ ଓ ପାଣିର ସ୍ରୋତ ସୀମିତ ହୋଇଥାଏ। ଉର୍ବର ମାଟି ଓ ଫସଲ ଜଳ ଅବଶୋଷ କରି ନିଏ। ଏଣୁ ବନ୍ୟା ଓ ଭୂ ସ୍ଖଳନ ହୋଇନଥାଏ।
ପର୍ବତ୍ୟାଞ୍ଚଳରେ ବୃକ୍ଷ ଛେଦନ ଓ ନିର୍ମାଣ ଗତିବିଦ୍ଧି ବଢିବା ସାଙ୍ଗକୁ ଅବୈଧ ଖନନ, ଅବ୍ୟବସ୍ଥିତ ପର୍ଯ୍ୟଟନ ଭୂମିକୁ ଅସ୍ଥିର କରେ, ଏଣୁ ଦୁର୍ବଳ ପାହାଡରେ ବର୍ଷା ହେଲେ ବିପର୍ଯ୍ୟୟ ଆଶଙ୍କା ଅନେକଗୁଣା ବଢିଯାଇଥାଏ। ଅନ୍ୟପଟେ ବୈଜ୍ଞାନିକଙ୍କ ଅନୁସାରେ ପାଣିପାଗ ପରିବର୍ତ୍ତନ ମୌସୁମୀ ଅଧିକ ଅନିୟମିତ ଓ ଉଗ୍ର ହୋଇପଡିଛି। ଏଣୁ ବାଦଲ ଫାଟିବା ଓ ଅତିବୃଷ୍ଟି ଘଟଣା ପୂର୍ବାପେକ୍ଷା ବଢିଯାଇଛି।