ସୁଡାନ ଗୃହଯୁଦ୍ଧ: ଡ୍ରୋନ୍ ଆକ୍ରମଣରେ ଯାଇଛି ୧୧୪ ଜୀବନ, ୬୩ ଶିଶୁଙ୍କ ମୃତ ହୋଇଥିଲା ସ୍ପଷ୍ଟ କଲା ହୁ’

NEWS7
why-did-women-have-sex-strikes-in-america-said-relationship-will-be-made-only-after-getting-the-right-to-abortion

ନୂଆଦିଲ୍ଲୀ: ଡିସେମ୍ୱର ପ୍ରଥମ ସପ୍ତାହରେ ସୁଡାନର କୋର୍ଡୋଫାନ ଅଞ୍ଚଳର ଏକ କିଣ୍ଡରଗାର୍ଟେନ ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଡ୍ରୋନ ଆକ୍ରମଣରେ ୬୩ ଜଣ ଶିଶୁଙ୍କ ସମେତ ଅତି କମରେ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିଛନ୍ତି ।

ଡବ୍ଲୁଏଚ୍ଓ ଅନୁଯାୟୀ, ଗୁରୁବାର କାଗୋଲି ସହରରେ ତିନୋଟି ପୃଥକ ଡ୍ରୋନ୍ ଆକ୍ରମଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ଏକ କିଣ୍ଡରଗାର୍ଟେନରେ ହୋଇଥିଲା । ପରେ ଲୋକଙ୍କୁ ଉଦ୍ଧାର କରିବା ବେଳେ ପାରାମେଡିକାଲମାନଙ୍କୁ ଟାର୍ଗେଟ୍ କରାଯାଇଥିଲା । ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଚ୍ଛିନ୍ନ ହୋଇଥିବା କାରଣରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିବା ଲାଗି ଅଧିକ ସମୟ ଲାଗିଥିଲା ବୋଲି ହୁ' କହିଛି ।

ହୁ' ନିର୍ଦ୍ଦେଶକ ଟେଡ୍ରୋସ୍ ଘେବ୍ରେୟସସ୍ ଏକ୍ସରେ କହିଛନ୍ତି ଯେ ସଂଗଠନ "ନାଗରିକ ଏବଂ ସ୍ୱାସ୍ଥ୍ୟ ସୁବିଧା ଉପରେ ଏହି ଅର୍ଥହୀନ ଆକ୍ରମଣକୁ ନିନ୍ଦା କରେ । ହିଂସାର ଅନ୍ତ ଏବଂ ସ୍ୱାସ୍ଥ୍ୟ ସମେତ ମାନବୀୟ ସହାୟତାର ଉପଲବ୍ଧତା ବୃଦ୍ଧି ପାଇଁ ପୁଣି ଥରେ ଆହ୍ୱାନ କରୁଛି ।"

ହିଂସା ଉପରେ ନଜର ରଖୁଥିବା ଦୁଇ ଗୋଷ୍ଠୀ - ସୁଡାନ ଡାକ୍ତର ନେଟୱାର୍କ ଏବଂ ଏମର୍ଜେନ୍ସି ଲୟର- ଡ୍ରୋନ୍ ଆକ୍ରମଣ ପାଇଁ ରାପିଡ୍ ସପୋର୍ଟ ଫୋର୍ସ କିମ୍ବା ଆରଏସଏଫକୁ ଦାୟୀ କରିଛନ୍ତି । ଶନିବାର ଏକ ବିବୃତ୍ତିରେ, ଏମର୍ଜେନ୍ସି ଲୟର ଏହି ଆକ୍ରମଣକୁ ଆନ୍ତର୍ଜାତୀୟ ମାନବିକ ଆଇନର ଏକ ଖୋଲା ଉଲ୍ଲଂଘନ ବୋଲି କହିଥିଲା ।

ସୁଡାନରେ ଆରଏସଏଫ ଏବଂ ଦେଶର ସେନା ମଧ୍ୟରେ ଦୁଇ ବର୍ଷର ଯୁଦ୍ଧରେ ସଂଘର୍ଷ ତୀବ୍ର ହେଉଥିବା ବେଳେ ଏହି ଆକ୍ରମଣ ଘଟିଛି । ଡବ୍ଲୁଏଚଓ ଅନୁଯାୟୀ, ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୪୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୨ ନିୟୁତ ଲୋକ ବାସଚ୍ୟୁତ ହୋଇଛନ୍ତି । ମୃତକଙ୍କ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି ଅନେକ ଦାବି କରିଛନ୍ତି ।

ସେହିପରି ଏଲ୍-ଫାଶରର ନିୟନ୍ତ୍ରଣ ଆରଏସଏଫ ଦଖଲ କରିବା ପରେ ଏହି ହିଂସା ଘଟିଛି । ଏହି ଦଖଲ ସହିତ ସାଧାରଣ ନାଗରିକଙ୍କ ହତ୍ୟା, ଯୌନ ହିଂସା ଏବଂ ଅନ୍ୟାନ୍ୟ ନିର୍ଯାତନା ସଂଖ୍ୟା ବଢିଛି । ଜାତିସଂଘ ପ୍ରବାସନ ଏଜେନ୍ସି କହିଛି ଯେ ସହର ଦଖଲ ପରଠାରୁ ୧,୦୦,୦୦୦ରୁ ଅଧିକ ଲୋକ ସେଠାରୁ ପଳାୟନ କରିଛନ୍ତି ।