ମସ୍କ କହିଥିଲେ ‘ସାପ’, ଟ୍ରମ୍ପଙ୍କ ସବୁଠୁ ବିଶ୍ୱସ୍ତ…ଜାଣନ୍ତୁ ଭାରତରେ ଆମେରିକା ନୂଆ ରାଷ୍ଟ୍ରଦୂତ ସର୍ଜିଓ ଗୋର କିଏ ?

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ପାଇଁ ସର୍ଜିଓ ଗୋରଙ୍କୁ ମନୋନୀତ କରିଛନ୍ତି । ଏହାସହ ସେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ମଧ୍ୟ ହେବେ । ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ସର୍ଜିଓ ଗୋର ବର୍ତ୍ତମାନ ହ୍ୱାଇଟ୍ ହାଉସ୍ ପ୍ରେସିଡେନ୍ସିଆଲ୍ ପର୍ସନାଲ ଅଫିସ୍‌ର ନିର୍ଦ୍ଦେଶକ ଅଛନ୍ତି । ଆମେରିକା ସିନେଟରୁ ମଞ୍ଜୁରି ମିଳିବା ପରେ, ସେ ଭାରତରେ ଆମେରିକାର ନୂତନ ସ୍ଥାୟୀ ରାଷ୍ଟ୍ରଦୂତ ହେବେ । ସର୍ଜିଓଙ୍କ ନୂଆ ନିଯୁକ୍ତି ଘୋଷଣା ପରେ ଏବେ ତାଙ୍କୁ ନେଇ ଅନେକ କଥା ସାମନାକୁ ଆସିଛି ।

ଦାବି କରାଯାଉଛି ଯେ ସର୍ଜିଓ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ରାଷ୍ଟ୍ରପତି ଟ୍ରମ୍ପ ଓ ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲେ । କେବଳ ଏତିକି ନୁହେଁ, ସର୍ଜିଓଙ୍କ ଯୋଗୁ ହିଁ ମସ୍କଙ୍କୁ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପଙ୍କ ସହ ଛାଇ ହୋଇ ରହିଥିବା ମସ୍କ ମେ'ରେ ସରକାରୀ ଦକ୍ଷତା ବିଭାଗ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ବିବାଦ ସାର୍ବଜନୀନ ଭାବେ ସାମନାକୁ ଆସିଥିଲା । 

ଟ୍ରମ୍ପଙ୍କ ଘନିଷ୍ଠ ସର୍ଜିଓଙ୍କୁ ନେଇ ମସ୍କଙ୍କ ମନରେ ପ୍ରବଳ ଆକ୍ରୋଶ ରହିଛି । ରାଗ ଏତେ ଅଧିକ ଯେ ତାଙ୍କୁ ସାପ କହିବାକୁ ମଧ୍ୟ ପଛାଇ ନଥିଲେ । ୨୦୨୫ ଜୁନରେ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସର୍ଜିଓଙ୍କୁ 'ସାପ' ବୋଲି କହିଥିଲେ । ଯାହା ପରେ ଟ୍ରମ୍ପଙ୍କ ସହ ତାଙ୍କର ବିବାଦ ଆହୁରି ବଢିଥିଲା । ଟ୍ରମ୍ପ ପ୍ରଶାସନରେ ମସ୍କଙ୍କ ନିଯୁକ୍ତି ସମୟରେ ସର୍ଜିଓଙ୍କ ସହ ତାଙ୍କ ବିବାଦ ସାର୍ବଜନୀନ ଥିଲା । କ୍ୟାବିନେଟ୍ ବୈଠକରେ ଦୁହେଁ ଅନେକ ସମୟରେ ମୁହାଁମୁହିଁ ହୋଇଥିଲେ । 'ଦ ହିଲ'ର ରିପୋର୍ଟ ଅନୁସାରେ, କର୍ମଚାରୀଙ୍କ ନିଯୁକ୍ତି ଉପରେ ଅସହମତିକୁ ନେଇ ମସ୍କ ଅନେକ ସମୟରେ ସର୍ଜିଓଙ୍କୁ ପାଟି କରିଥିଲେ । ଏହି ବିବାଦ ହିଁ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲା । ଆଉ ବାଧ୍ୟ ହୋଇ ମସ୍କ ଶେଷରେ ଟ୍ରମ୍ପ ପ୍ରଶାସନ ଛାଡ଼ିଥିଲେ ।

ଟ୍ରମ୍ପ ପ୍ରଶାସନରେ ସର୍ଜିଓ ଅତ୍ୟନ୍ତ ଶକ୍ତିଶାଳୀ । ମସ୍କଙ୍କ ସମର୍ଥନରେ ଜେରେଡ୍ ଆଇଜାକମ୍ୟାନଙ୍କ ନାସା ମୁଖ୍ୟ ହୋଇଥାନ୍ତେ । କିନ୍ତୁ ସର୍ଜିଓଙ୍କ ଏହା ହେବାକୁ ଦେଇନଥିଲେ । ଶେଷରେ ମସ୍କଙ୍କ ନିଷ୍ପତ୍ତିକୁ ଟ୍ରମ୍ପ ରଦ୍ଦ କରିଥିଲେ । ଏହି ଘଟଣା ମସ୍କ ଓ ଟ୍ରମ୍ପଙ୍କ ବିବାଦକୁ ଚରମରେ ପହଞ୍ଚାଇଥିଲା । ସର୍ଜିଓ ଗୋର ୨୦୨୦ରେ ଡୋନାଲ୍ଡ ଟ୍ରମ୍ପଙ୍କ ରାଜନୈତିକ ସହଯୋଗୀ ହୋଇଥିଲେ । ନିର୍ବାଚନ ଫଣ୍ଡ୍ ଏକାଠି କରିବା ଓ ଟ୍ରମ୍ପଙ୍କ ସମର୍ଥନ କରୁଥିବା ପଲିଟିକାଲ୍ ଆକ୍ସନ କମିଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ସର୍ଜିଓଙ୍କ ରାଜନୈତିକ ଯାତ୍ରା ପାଠ ପଢା ଶେଷ ସହ ଆରମ୍ଭ ହୋଇଥିଲା । କଲେଜ ସରିବା ପରେ ସେ ରିପବ୍ଲିକାନ୍ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହାପରେ ସମୟ ସହ ଟ୍ରମ୍ପଙ୍କ ଘନିଷ୍ଠ ହୋଇଥିଲେ । ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଆରଙ୍କ ମିଶି ସେ ଏକ ପ୍ରକାଶନ କମ୍ପାନି ମଧ୍ୟ ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.