ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ ଝଟକା; ଅଦାଲତ ଅବମାନନା ଅଭିଯୋଗରେ ସାଢ଼େ ୪ କୋଟି ଫାଇନ୍

Published By : Prameya-News7 Bureau | July 30, 2024 IST

ମୁମ୍ବାଇ: ଯୋଗଗୁରୁ ରାମଦେବ ବାବାଙ୍କୁ ଝଟକା । ପତଞ୍ଜଳି ଉପରେ ଭାରି ପଡ଼ିଲା ବମ୍ବେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ଅମାନ୍ୟ କରିବା । ଉଚ୍ଚ ଅଦାଲତ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଉପରେ ସାଢ଼େ ୪ କୋଟି ଟଙ୍କା ଜୋରିମନା ଲଗାଇଛନ୍ତି । କର୍ପୂର ସାମଗ୍ରୀ ବିକ୍ରି କରିବାକୁ ନେଇ କୋର୍ଟ ପୁଣି ଥରେ ପତଞ୍ଜଳି ଉପରେ ଫାଇନ୍ ଲଗାଇଛନ୍ତି । ନ୍ୟାୟାଳୟଙ୍କ ଏକକ ବେଞ୍ଚ୍ କହିଛନ୍ତି, ପତଞ୍ଜଳିର ଲକ୍ଷ୍ୟ ସବୁବେଳେ ଅଦାଲତଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିବା । କର୍ପୂର ସାମଗ୍ରୀ ବିକ୍ରି ଉପରେ ରୋକ୍ ଲାଗିଥିଲେ ଏହାକୁ ସେମାନ ବିକ୍ରି କରୁଛନ୍ତି । 

ବମ୍ବେ ହାଇକୋର୍ଟ ୨୦୨୩ରେ ଏକ ଅନ୍ତରୀଣ ଆଦେଶକୁ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଉଲ୍ଲଙ୍ଘନ କରିବାକୁ ନେଇ ସାଢ଼େ ୪କୋଟି ଟଙ୍କା ଜୋରିମନା ଲଗାଇଛନ୍ତି । ଏହି ଆଦେଶରେ ମଙ୍ଗଲମ୍ ଆର୍ଗେନିକ୍ ଲିମିଟେଡ୍ ଦ୍ବାରା ଦାୟର ହୋଇଥିବା ଟ୍ରେଡମାର୍କ ଉଲ୍ଲଙ୍ଘନ ମାମଲାରେ କମ୍ପାନିର କର୍ପୂର ସାମଗ୍ରୀ ବିକ୍ରି ଉପରେ ରୋକ୍ ଲାଗିଥିଲା । ହେଲେ ରାମଦେବ ବାବାଙ୍କ କମ୍ପାନି ଏହି ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ । ବିଚାରପତି  ଜଷ୍ଟିସ୍ ଆରଆଈ ଚାଗ୍‌ଲାଙ୍କ ଖଣ୍ଡପୀଠ କହିଛନ୍ତି, ପତଞ୍ଜଳି ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛି । ଖଣ୍ଡପୀଠ ଆର୍ଗେନିକ୍ ଲିମିଟେଡ୍ ଦ୍ବାରା ଦାୟର ମାମଲାର ରଫାଦଫା କରିଛନ୍ତି । ଜଷ୍ଟିସ୍ ଆରଆଈ ଚାଗ୍‌ଲା ଦୁଇ ସପ୍ତାହ ମଧ୍ୟରେ ସାଢ଼େ ୪ କୋଟି ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜୋରିମନା ପୂର୍ବ ୫୦ ଲକ୍ଷ ଟଙ୍କାରୁ ସମ୍ପୂର୍ଣ୍ଣ ଅଲଗା । ଯାହା ସପ୍ତାହ ଆରମ୍ଭକୁ କୋର୍ଟ ପତଞ୍ଜଳି ଉପରେ ତଣ୍ଡ ଲଗାଇଥିଲେ ।  

୨୦୨୩ରେ ପତଞ୍ଜଳି ବିରୋଧରେ ଏକ ମାମଲା ବମ୍ବେ ହାଇକୋର୍ଟରେ ଦାୟର ହୋଇଥିଲା  । ପତଞ୍ଜଳି ଆୟୁର୍ବେଦ ଲିମିଟେଡ କପିରାଇଟ୍ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ମଙ୍ଗଲମ୍ ଆର୍ଗେନିକ୍ ଲିମିଟେଡ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି କୋର୍ଟ କର୍ପୂର ସାମଗ୍ରୀ ବିକ୍ରି ଏବଂ ବିଜ୍ଞାପନ କରିବା ଉପରେ ରୋକ୍ ଲଗାଇଥିଲେ । ହେଲେ ପତଞ୍ଜଳି କୋର୍ଟ ଆଦେଶକୁ ଅମାନ୍ୟ କରି କର୍ପୂର ସାମଗ୍ରୀ ବିକ୍ରି ଜାରି ରଖିଥିଲା । ଏହାକୁ ବିରୋଧ କରି ମଙ୍ଗଲମ୍ ଆର୍ଗେନିକ୍ ଲିମିଟେଡ୍ ପୁଣି ଥରେ କୋର୍ଟରେ ପହଞ୍ଚିଥିଲା । ବମ୍ବେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ  ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଉପରେ ବର୍ଷିଥିଲେ ଏବଂ ସାଢ଼େ ୪ କୋଟି ଟଙ୍କା ଫାଇନ୍ ଲଗାଇଛନ୍ତି । 

ସେପଟେ ଦିଲ୍ଲୀ ହାଇକୋର୍ଟ ସୋମବାର ଯୋଗ ଗୁରୁ ବାବା ରାମଦେବ କମ୍ପାନି ପତଞ୍ଜଳିର କୋଭିଡ୍-୧୯ ଔଷଧ ‘କୋରୋନିଲ୍’ ଉପରେ ରୋକ୍ ଲଗାଇଛନ୍ତି । ଏହା ସହିତ ୩ଦିନ ଭିତରେ ଏହାକୁ ସମସ୍ତ ଓ୍ବେବସାଇଟରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ର ଏହି ମାମଲା, କୋର୍ଟ ଉଭୟ ପକ୍ଷର ଦସ୍ତାବିଜକୁ ଶୁଣାଣି ପରେ ୨୧ ମାର୍ଚ୍ଚରେ ରାୟ ସଂରକ୍ଷିତ ରଖିଥିଲେ । ସୋମବାର ଏହାର ରାୟ ପ୍ରକାଶ କରି  ‘କୋରୋନିଲ୍’କୁ ସମସ୍ତ ଓ୍ବେବସାଇଟରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.