ନୂଆଦିଲ୍ଲୀ,୧୪/୦୭: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାଳ ଶେଷ ହେଇଛି । ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ସେ ଦଳର ଦାୟିତ୍ୱ ସମ୍ଭାଳିବେ। ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ସ୍ପଷ୍ଟଚିତ୍ର ସାମ୍ନାକୁ ଆସିନଥିବା ବେଳେ ଜେ.ପି ନଡ୍ଡା ଆଉ କିଛିଦିନ ପଦ ସମ୍ଭାଳିବେ ବୋଲି କୁହାଯାଉଛି । ନଡ୍ଡାଙ୍କ ଉପରେ ବର୍ତ୍ତମାନ ବହୁ ଦାୟିତ୍ବ ରହିଛି । ସେ କେନ୍ଦ୍ର ସ୍ୱାସ୍ଥ୍ୟ, ରସାୟନ, ସାର ଓ ଫାର୍ମସ୍ୟୁଟିକାଲ୍ସ ମନ୍ତ୍ରୀ ରହିଥିବା ବେଳେ ରାଜ୍ୟସଭାରେ ବିଜେପିର ନେତା ମଧ୍ୟ ହୋଇଛନ୍ତି ।
ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହୋଇସାରିଛି । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିନାହିଁ । ବିଜେପି ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ଗତବର୍ଷ ମଧ୍ୟଭାଗରୁ ଶେଷ ହୋଇଛି । ପ୍ରଥମେ ତାଙ୍କ କାର୍ଯ୍ୟକାଳ ୨୦୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଯାଇଥିଲା ପରେ ପୁଣି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ଥରେ ବଢ଼ାଯିବା ଦଳୀୟ ସମ୍ବିଧାନର ଉଲ୍ଲଂଘନ ଏବଂ ଏଥିପାଇଁ ଦଳର ନେତାମାନେ କୋର୍ଟର ସାମ୍ନା କରିପାରନ୍ତି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କିଛି ଦିନ ତଳେ ସତର୍କ କରାଇଥିଲେ । ଏଥିସହ ସେ କହିଥିଲେ ବିଜେପି ଏକ ସ୍ୱୀକୃତିପ୍ରାପ୍ତ ତଥା ପଞ୍ଜିକୃତ ଦଳ ହୋଇଥିବାରୁ ଏହାର ସମ୍ବିଧାନ ମାନିବା ଆବଶ୍ୟକ ।