ଦରଜୀ ବାପାର ପୁଅ IPL ଷ୍ଟାର, ଡେବ୍ୟୁ ମ୍ୟାଚ୍‌ରେ ଚମକିଲେ ଜୀଶାନ

Published By : Prameya-News7 Bureau | March 31, 2025 IST

ମୁମ୍ୱାଇ ୩୧/୦୩: ଏଥର ଆଇପିଏଲ୍ ଟିକ୍ ହଟ୍‌କେ । ୨୦୨୫ରେ ଚମକୁଛନ୍ତି ନୂଆ ନୂଆ ତାରକା । ଡେବ୍ୟୁ ମ୍ୟାଚ୍‌ରେ ଗର୍ଜୁଛି ବ୍ୟାଟ୍, କମାଲ କରୁଛନ୍ତି ବୋଲର । ମୁମ୍ୱାଇର ଭିଗ୍ନେଶ ପୁଥୁରଙ୍କ ପରେ, ଏବେ ଆଉ ଜଣେ ଡେବ୍ଯୁଟାଣ୍ଟ । ଫାଷ୍ଟ ଚାନ୍ସରେ ଛିଡା କରିଛନ୍ତି ମାଇଲଷ୍ଟୋନ । ୨୫ ବର୍ଷୀୟ ସେହି ଖେଳାଳିଙ୍କ ପାଇଁ ଗର୍ବୀତ ଟିମ୍ ହାଇଦ୍ରାବାଦ । ସମସ୍ତେ ପାଟ କମିନ୍ସଙ୍କ ପ୍ଲେଇଂ ଇଲେଭନ ନିଷ୍ପତ୍ତିକୁ ନେଇ କରୁଛନ୍ତି ପ୍ରଶଂସା । ଅଚିହ୍ନା ମୁହଁଙ୍କୁ ସୁଯୋଗ ଦେଇ ପାଇଛନ୍ତି ସଫଳତା । ଆଉ ଏହି ନିୟୁ କମରଙ୍କ ଆଗରେ ଚାଲିପାରିନି ସିନିୟର ଖେଳାଳିଙ୍କ ବ୍ୟାଟ୍ । ୮ଟି ବଲ୍‌ରେ ଦିଲ୍ଲୀର ୩ ୱିକେଟ୍ ରଚିଛନ୍ତି କୀର୍ତ୍ତିମାନ । 

୨୫ ବର୍ଷୀୟ ଜୀଶାନ ଅଂଶାରୀ । ୪୦ ଲକ୍ଷ ଟଙ୍କାରେ କିଣିଥିଲା ସନରାଇଜର୍ସ ହାଇଦ୍ରାବାଦ । ବିଶାଖାପାଟଣାରେ ଦିଲ୍ଲୀ ବିପକ୍ଷରେ ଥିଲା ଆଇପିଏଲ ଡେବ୍ୟୁ । ମ୍ୟାଚ୍‌ରେ ଜୀଶାନ୍‌ଙ୍କ ଘାତକ ବୋଲିଂ ମାଟି କାମୁଡିଥିଲେ ସିନିୟର । ୪ ଓଭରରେ ୪୨ ରନ ଦେଇ ହାତେଇଥିଲେ ୩ଟି ୱିକେଟ । ମ୍ୟାଚ୍‌ର ପ୍ରଥମ ସଫଳତା ସନରାଇଜର୍ସ ହାଇଦ୍ରାବାଦକୁ ଡେଡିକେଟ୍ କରିଥିଲେ । ଜୀଶାନ ପ୍ରଥମ ଶିକାର ଥିଲା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟସମ୍ୟାନ ଫାଫ୍ ଡୁ ପ୍ଲେସି । 

ପରବର୍ତ୍ତୀ ଟାର୍ଗେଟ ଥିଲେ  ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମ୍ୟାକଗର୍କ । ଆଉ ଶେଷ ଶିକାର ଥିଲେ ଭାରତର ଅଭିଜ୍ଞ ବ୍ୟାଟର କେ.ଏଲ ରାହୁଲ୍ । ଜୀଶାନ ସିନା ସଫଳ ହେଲେ, କିନ୍ତୁ ବିପର୍ଯ୍ୟୟରୁ ମୁକୁଳି ପାରିନଥିଲା ଦିଲ୍ଲୀ । ହାଇଦ୍ରାବାଦକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।


ରାତାରାତି ଷ୍ଟାର ପାଲଟିଥିବା ଜୀଶାନଙ୍କ ଜନ୍ମ ଲକ୍ଷ୍ନୌରେ । ପୂର୍ବରୁ ଉତ୍ତର ପ୍ରଦେଶ ଓ ଭାରତ ପାଇଁ ଖେଳିଛନ୍ତି ଅଣ୍ଡର-୧୯ କ୍ରିକେଟ । ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ କିପର ରିଷଭ ପନ୍ତଙ୍କ ସେ ବ୍ୟାଚ୍‌ ମେଣ୍ଟ । ଦୁହେଁ ୨୦୧୮ ମସିହାରେ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଅଂଶ ଥିଲେ । ଜୀଶାନ ବରିଷ୍ଠ ସ୍ତରରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଉତ୍ତର ପ୍ରଦେଶ ପାଇଁ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। 

ଏହା ବ୍ୟତୀତ ସେ ଉତ୍ତର ପ୍ରଦେଶ ପାଇଁ 5ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ 17ଟି ୱିକେଟ ନେଇଛନ୍ତି। ଏହାସହ ୟୁପି ଟି-୨୦ ଲିଗ୍ ରେ, ମିରଟ ମାଭେରିକ୍ସ ପକ୍ଷରୁ ଟୁର୍ଣ୍ଣାମେଣ୍ଟରେ ନେଇଥିଲେ ସର୍ବାଧିକ ୨୪ଟି ୱିକେଟ୍ । ଆହୁରି ବି ସେନ୍ ୱାର୍ଣ୍ଣ, ଅନିଲ କୁମ୍ବଲେ ଓ ପୀୟୁଷ ଚାୱଲାଙ୍କ ଭଳି କିମ୍ବଦନ୍ତୀ ଲେଗ୍ ସ୍ପିନର ଜୀଶାନ ଅନସାରୀଙ୍କ ପ୍ରେରଣାର ଉତ୍ସ। ଜୀଶାନଙ୍କ କହିବା କତା ଏମାନଙ୍କ ବୋଲିଂ ଦେଖି ଖେଳକୁ କରିଥିଲେ କ୍ୟାରିୟର ।

ସାଧାରଣ ପରିବାରରୁ ଆସିଥିବା ଜୀଶାନଙ୍କ ଯାତ୍ରା ଏତେ ସହଜ ନଥିଲା। ପିଲାଦିନ କଟିଥିଲା ଅଭାବ ଅନଟନରେ । ବାପା ପେସାରେ ଜଣେ ଦର୍ଜୀ, ଲକ୍ଷ୍ନୌରେ କାମ କରନ୍ତି। ବାପାଙ୍କ ରୋଜଗାରରେ ପରିବାର ଚଳାଇବା ଥିଲା ବହୁତ କଷ୍ଟକର । ଏମିତିକି ଜୀଶାନ ଏକାଡେମୀର ଫିସ ୩୦୦ ଟଙ୍କା ଦେବାକୁ ଅକ୍ଷମ ଥିଲେ । ଆହୁରି ବି ଶୁଣିଲେ ତାଜୁବ ହେବେ କି, ଖେଳିବା ପାଇଁ ଜୋତା କି କିଟ୍ କିଣିବା ପାଇଁ ବି ପାଖରେ ନଥିଲା ଅର୍ଥ । ହେଲେ କିନ୍ତୁ ଜୀଶାନଙ୍କ ବାପାଙ୍କ ସାଙ୍ଗ ଓ କୋଚ୍ ପ୍ରତିଭାକୁ ଦେଇଥିଲେ ସମ୍ମାନ ।

ଏକାଡେମୀ ଯିବାବେଳେ ସମ୍ପର୍କୀୟମାନେ ପରିବାର ସ୍ଥିତି ଦେଖି ତାଚ୍ଛଲ୍ୟ କରୁଥିଲେ । କିନ୍ତୁ ଜୀଶାନଙ୍କ  କଠିନ ପରିଶ୍ରମ ଆଗରେ ହାର ମାନିଥିଲା ସବୁକିଛି । ଦୈନିକ ୧୦ ଘଣ୍ଟା ପରିଶ୍ରମ ସହ ଚଟାଣରେ ଶୋଉଥିଲେ ସେ । ବଡ଼ ମ୍ୟାଚ୍ ହେଲେ ୪୦ ରୁ ୫୦ ଓଭର ବୋଲିଂ ବି କରୁଥିଲେ। ଆଉ ଏତେ ସବୁ ପରିଶ୍ରମକୁ ମିଳିଛି ମୂଲ୍ୟ । ଆଜି ସେ ଆଇପିଏଲ୍‌ର ଉଦୀୟମାନ ତାରକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.