ଶାହରୁଖ ଖାନଙ୍କୁ ମିଳିଲା ପ୍ରଥମ ଜାତୀୟ ପୁରସ୍କାର; ୩୩ ବର୍ଷର ପରିଶ୍ରମ ହେଲା ସଫଳ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ ୦୨।୦୮; ୭୧ତମ ଜାତୀୟ ପୁରସ୍କାରରେ ବଲିଉଡ ବାଦଶାହା ଶାହରୁଖଙ୍କୁ ଏକ ବଡ଼ ସଫଳତା ମିଳିଛି। ଶାହରୁଖ ଖାନ ତାଙ୍କ ଫିଲ୍ମ 'ଜୱାନ' ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର ଜିତିଛନ୍ତି। ଶାହରୁଖ ଖାନଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ଦୀର୍ଘ ତିନି ଦଶନ୍ଧି ଧରି ଅନେକ ସଫଳ ଏବଂ ପ୍ରଶଂସିତ ଚଳଚ୍ଚିତ୍ର ଦେବା ସତ୍ତ୍ୱେ ଜାତୀୟ ପୁରସ୍କାର ତାଙ୍କଠାରୁ ଦୂରେଇ ରହିଥିଲା, କିନ୍ତୁ 'ଜୱାନ' ତାଙ୍କର ଏହି ଅପେକ୍ଷାର ଅନ୍ତ ଘଟାଇଛି । ଏହା ଶାହରୁଖଙ୍କ ୩୩ ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର। ଏପରି ପରିସ୍ଥିତିରେ, ଅଭିନେତା ଏକ ଲମ୍ବା ଭିଡିଓ ସେୟାର କରି ଜାତୀୟ ପୁରସ୍କାର ଜୁରି, ସରକାର, ତାଙ୍କ ଟିମ୍‌, ପରିବାର ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ସମ୍ମାନ ପାଇବା ପରେ ଶାହରୁଖ ଖାନ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ନମସ୍କାର, ଆଦାବ! ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ମୋ ପାଇଁ ଏକ ଏପରି ମୁହୂର୍ତ୍ତ ଯାହାକୁ ମୁଁ ଜୀବନସାରା ମନେ ରଖିବି । ଜୁରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କୁ ମୋର ଅଶେଷ ଧନ୍ୟବାଦ ।  ସେ ତାଙ୍କ ଉପରେ ବର୍ଷିଥିବା ଭଲପାଇବା ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।  ମୁଁ ମୋର ନିର୍ଦ୍ଦେଶକ ଏବଂ ଲେଖକମାନଙ୍କୁ, ବିଶେଷକରି ୨୦୨୨ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି। ବିଶେଷକରି ଏଟଲି ସାର୍ ଏବଂ ତାଙ୍କ ଟିମ୍‌କୁ ମୋତେ 'ଜୱାନ୍'ରେ କାମ କରିବାର ସୁଯୋଗ ଦେବା ପାଇଁ ବହୁତ ବହୁତ ଧନ୍ୟବାଦ। 

ସେ ଆହୁରି କହିଛନ୍ତି, 'ମୁଁ ମୋର ଟିମ୍‌ ଏବଂ ପରିଚାଳନାକୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋ ସହିତ ଅକ୍ଳାନ୍ତ ଭାବରେ କାମ କରିଛନ୍ତି। ମୋ ସ୍ତ୍ରୀ ଏବଂ ପିଲାମାନେ, ଯେଉଁମାନେ ଗତ କିଛି ବର୍ଷ ଧରି ମୋତେ ଏତେ ଭଲପାଇବା ଏବଂ ଯତ୍ନ ଦେଉଛନ୍ତି ଯେପରି ମୁଁ ଘରର ଏକମାତ୍ର ସନ୍ତାନ। ସେମାନେ ସମସ୍ତେ ମୋ ପାଇଁ ସର୍ବୋତ୍ତମ ଚାହାଁନ୍ତି। ସେମାନେ ଜାଣନ୍ତି ଯେ ସିନେମା ପ୍ରତି ମୋର ଆଗ୍ରହ ମୋତେ ସେମାନଙ୍କଠାରୁ ଦୂରେଇ ନେଇଯାଏ, କିନ୍ତୁ ସେମାନେ ହସି ହସି ଏସବୁ ସହିଯାଆନ୍ତି ଏବଂ ମୋତେ ସମୟ ଦିଅନ୍ତି। ତେଣୁ ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.