ନୂଆଦିଲ୍ଲୀ ୦୨।୦୨: ସାରା ବିଶ୍ବରେ ଭାରତୀୟଙ୍କ ଦବଦବା । ଜଣଙ୍କ ପରେ ଜଣେ ବିଶ୍ବ ରାଜନୀତିରେ ଦେଖାଉଛନ୍ତି ଦମ୍ । ଏବେ କାନାଡା ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ ଖାଲି ପଡିଛି ପ୍ରଧାନମନ୍ତ୍ରୀ ପଦ । କିଏ ହେବ କାନାଡାର ନୂଆ ପ୍ରଧାନମନ୍ତ୍ରୀ ସେନେଇ ଲାଗିରହିଛି ସସ୍ପେନ୍ସ ? ନୂଆ ପ୍ରଧାନମନ୍ତ୍ରୀଙ୍କ ରେସ୍ରେ ଭାରତୀୟ ବଂଶୋଦ୍ଭବ ରୁବି ଢଲ୍ଲା । ସେ ହୋଇପାରନ୍ତି ଜଷ୍ଟିନ୍ ଟ୍ରୁଡୋଙ୍କ ଉତ୍ତରାଧିକାରୀ ।
ଦିନେ ଭାରତରେ ହିରୋଇନ୍ ଭାବେ କାମ କରୁଥିଲେ । ଆଉ ଏବେ ସେ କାନାଡାରେ ଚଳାଇବେ ଦେଶ । ରୁବି ଢଲ୍ଲାଙ୍କ ଜନ୍ମ ୧୮ ଫେବୃଆରୀ ୧୯୭୪ରେ ହୋଇଥିଲା । ସେ କାନାଡାର ରାଜଧାନୀ ଓଟାୱାରୁ ପ୍ରାୟ ୨୦୦୦ କିଲୋମିଟର ଦୂର ୱିନିପେଗ୍ ସହରରେ ରହୁଥିବା ଏକ ପ୍ରବାସୀ ପଞ୍ଜାବୀ ପରିବାରରେ ହୋଇଥିଲେ ଜନ୍ମ । ୫୦ ବର୍ଷୀୟ ରୁବି ଢଲ୍ଲା ଜଣେ ସେଲ୍ଫ ବିଜନେସ୍ଓମେନ୍, ଡକ୍ଟର ଏବଂ କାନାଡାର ୩ଥରର ଜଣେ ଚର୍ଚ୍ଚିତ ସାଂସଦ । ରୁବି, ଢଲ୍ଲା ଗ୍ରୁପ୍ ଅଫ୍ କମ୍ପାନୀଜ୍ର ସିଇଓ ଏବଂ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ।
ଯଦି ରୁବି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ କାନାଡାର ଶ୍ୟାମଳ ରଙ୍ଗର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବେ । ସେ କ୍ରମାଗତ ଭାବରେ ବଢ଼ୁଥିବା ଘର ଦାମ୍, ଅପରାଧ ହାର, ଖାଦ୍ୟ ମୂଲ୍ୟ ଏବଂ ଆମେରିକା ଠାରୁ ମିଳୁଥିବା ଶୁଳ୍କ ଧମକକୁ ପ୍ରସଙ୍ଗ ଉଠାଇଛନ୍ତି। ୨୦୦୪ ରୁ ୨୦୧୧ ପର୍ଯ୍ୟନ୍ତ ସଂସଦ ସଦସ୍ୟ ଥିବା ରୁବି ଢଲ୍ଲା କହିଛନ୍ତି ଯେ ସେ ଅନ୍ତର୍ଜାତୀୟ ସ୍ତରରେ କାନାଡାର ପ୍ରତିଷ୍ଠା ଫେରାଇ ଆଣିବାକୁ ଚାହାଁନ୍ତି। ନିକଟରେ ରୁବି ଏକ ବୟାନ ଦେଇ ଖୁବ୍ ଚର୍ଚ୍ଚାରେ ରହିଥିଲେ ।
କହିଥିଲେ କି ଯଦି ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ ଦେଶରୁ ଅବୈଧ ପ୍ରବାସୀଙ୍କୁ ବାହାର କରିଦେବେ । ରୁବି ଢଲ୍ଲା କାନାଡାର ମ୍ୟାକମାଷ୍ଟର ବିଶ୍ୱବିଦ୍ୟାଳୟରୁ ସ୍କଲାରସିପ୍ ପାଇଥିଲେ । ଏଥିରେ ହିଁ ସେ ତାଙ୍କର ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ୱିନିପେଗ୍ ବିଶ୍ୱବିଦ୍ୟାଳୟରେ କରିଥିଲେ ଏଣ୍ଟ୍ରି ଏବଂ ୧୯୯୫ରେ ବାୟୋକେମେଷ୍ଟ୍ରିରେ ବ୍ୟାଚଲର ଅଫ୍ ସାଇନ୍ସର ଡିଗ୍ରୀ ହାସଲ କରିଥିଲେ ।
ରୁବି ଢଲ୍ଲାଙ୍କୁ ୧୯୯୫ ମସିହାରେ ମୋନିଟୋବା ପାଇଁ ରୋଡ୍ସ ଛାତ୍ରବୃତ୍ତି ପାଇଁ ମନୋନୀତ କରାଯାଇଥିଲା। ତା'ପରେ ଢଲ୍ଲା ଟୋରଣ୍ଟୋକୁ ଚାଲିଯାଇଥିଲେ । ସେଠାରେ ସେ ୧୯୯୯ ମସିହାରେ କାନାଡିଆନ୍ ମେମୋରିଆଲ୍ ଚିରୋପ୍ରାକ୍ଟିକ୍ କଲେଜରୁ ଡକ୍ଟର ଅଫ୍ ଚିରୋପ୍ରାକ୍ଟିକ୍ ଡିଗ୍ରୀ ହାସଲ କରିଥିଲେ । ରାଜନୀତିରେ ଏଣ୍ଟ୍ରି କରିବା ପୂର୍ବରୁ ରୁବି ଢଲ୍ଲା ଜଣେ କାଇରୋପ୍ରାକ୍ଟର ଭାବରେ କାମ କରୁଥିଲେ। କାଇରୋପ୍ରାକ୍ଟିକ୍ ହେଉଛି ହାଡ଼, ମାଂସପେଶୀ ଏବଂ ସନ୍ଧି ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା କରିବାର ଏକ ପଦ୍ଧତି। ରୁବି ଢଲ୍ଲା ମଧ୍ୟ ଅଭିନୟରେ ଚେଷ୍ଟା କରିଥିଲେ ।
ସେ ବଲିଉଡ୍ ପ୍ରେରିତ ଫିଲ୍ମ 'କ୍ୟୁଁ?' ‘କିସ୍ ଲିୟେ’ରେ ନାୟିକା ଭାବେ ଆସିଥିଲେ ନଜର । ବିନୋଦ ତଲୱାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୦୩ରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ରୁବି, ଜେସନ୍ କ୍ରୁଟ୍ ଏବଂ ଚିକୋ ସିହରା ଅଭିନୟ କରିଥିଲେ। ୧୯୯୩ ମସିହାରେ ମିସ୍ ଇଣ୍ଡିଆ-କାନାଡା ପ୍ରତିଯୋଗିତାରେ ଭାରତୀୟ ବଂଶୋଦ୍ଭବ ରୁବି ଢଲ୍ଲା ରନର୍ସଅପ୍ ହୋଇଥିଲେ । ଏବେ ସେ କାନାଡା ପିଏମ୍ ହେବା ପ୍ରାୟ ଏକପ୍ରକାର ସୁନିଶ୍ଚିତ ।