ସର୍ଜନ ହେବାକୁ ଚାହୁଁଥିଲେ ବଶର ଅଲ ଅସଦ, ବାପା-ଭାଇଙ୍କ ମୃତ୍ୟୁ ପରେ ବଦଳିଗଲା ନିଷ୍ପତ୍ତି

Published By : Prameya-News7 Bureau | December 10, 2024 IST

ନୂଆଦିଲ୍ଲୀ ୧୦/୧୨: ସିରିଆରେ ବଦଳିଛି ସତ୍ତା । ୨୪ ବର୍ଷ ଶାସନର ଘଟିଛି ଅନ୍ତ । ବଶର ଅଲ-ଅସଦ, ପରିବାର ସହ ଋଷରେ ନେଇଛନ୍ତି ଶରଣ । ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଛି ଗୃହଯୁଦ୍ଧ ପରିସ୍ଥିତି । ଅନେକ ସ୍ଥାନ ଦଖଲ କରିନେଇଛନ୍ତି ହଜାର ହଜାର ବିଦ୍ରୋହୀ । ଏହି ସମୟରେ ବଶର ଅଲ-ଅସଦ ତାଙ୍କ ପରିବାରର ବ୍ୟାକଗ୍ରାଉଣ୍ଡ ବିଷୟରେ ଚାଲିଛି ଆଲୋଚନା । ଆସନ୍ତୁ ଜାଣିବା କେମିତି ରାଜନୀତିରେ ପାଦ ଥାପିଲେ ବଶର ଅଲ ଅସଦ?  ସିରିଆରେ କେବେଠୁ କ୍ଷମତାଶୀନ ଅଛନ୍ତି ପରିବାର ?

ହାଫେଜ ଅଲ-ଅସାଦଙ୍କ ତୃତୀୟ ସନ୍ତାନ ବଶର ଅଲ-ଅସଦ । ଯିଏକି ଥିଲେ ସିରିଆର ସାମରିକ ଅଧିକାରୀ ତଥା ବାଥ ପାର୍ଟି ସଦସ୍ୟ । ସିରିଆର ଆଲାବୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଶିଆ ଧର୍ମର ଏକ ଛୋଟିଆ ଦଳ ହେଉଛି ଅସଦ ପରିବାର । ଷାଠିଏ ଦଶକରୁ ସିରିଆ ରାଜନୀତିରେ ଅସଦଙ୍କ ପରିବାର ଜାହିର କରିଆସୁଛି ନିଜର ଦବ୍‌ଦବା । ୧୯୭୧ରେ ହୋଇଥିବା ସତ୍ତା ପରିବର୍ତ୍ତନରେ ଅସଦଙ୍କ ବାପା ହାଫେଜ ଅଲ- ଅସଦ ହୋଇଥିଲେ ସିରିଆର ରାଷ୍ଟ୍ରପତି । 

ସେପ୍ଟେମ୍ୱର ୧୧, ୧୯୬୫ରେ ସିରିଆର ରାଜଧାନୀ ଦମିଶେକରେ ଜନ୍ମଗ୍ରହଣ କରିଥିଲେ ବଶର ଅଲ-ଅସଦ । ଦମିଶେକରେ ବି ଥିଲା ପ୍ରାଥମିକ ପାଠପଢା । ଏମିତିକି ୧୯୮୮ ଦମିଶେକ ବିଶ୍ୱବିଦ୍ୟାଳୟରୁ ଚକ୍ଷୁ ବିଶେଷଜ୍ଞ ଭାବେ ସାରିଥିଲେ ସ୍ନାତକ ଡିଗ୍ରୀ । ସ୍ନାତକ ସାରି ଦମିଶେକର ସେନା ହସ୍ପିଟାଲରେ ହୋଇଗଲେ ମିଲିଟାରୀ ଡାକ୍ତର । ୧୯୯୨ ରେ ଅସଦ ଅଧିକ ପଢା ପାଇଁ ଛାଲିଗଲେ ଲଣ୍ଡନ । ଠିକ୍ ସେହି ଅସଦଙ୍କ ପିତା ହାଫେଜ ବଡ ପୁଅ ବେସିଲଙ୍କୁ ଚୟନ କରିଥିଲେ ନିଜର ଉତ୍ତରାଧିକାରୀ । ତଥାପି କ୍ଷମତାର ଚାବିକାଠି ଥିଲା ହାଫିଜଙ୍କ ହାତରେ । ୧୯୯୪ରେ ବଦଳିଯାଇଥିଲା ସବୁକିଛି । କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବଡଭାଇ ବେସିଲ ।


ବଶର ଅଲ-ଅସଦଙ୍କ ଉପରେ ମାଡିପଡିଥିଲା କ୍ଷମତାର ବୋଝ । ଅନିଚ୍ଛା ସତ୍ତ୍ୱେ ପରିବାର ପାଇଁ ଛାଡି ଚାଲିଆସିଥିଲେ ପେସା । ରାଜନୀତି ଓ ସାମରିକ ଅଭିଜ୍ଞତାର ଅଭାବ ହେତୁ ବଶର ଅଲ-ଅସଦଙ୍କୁ ଡକାଯାଇଥିଲା ସିରିଆ । ବଶରଙ୍କ ଶକ୍ତି ବଢାଇବା ପାଇଁ ସାମରିକ ଏକାଡେମୀରେ ଦିଆଯାଇଥିଲା ତାଲିମ । ବଶରଙ୍କ ପ୍ରି ପ୍ଲାନିଂ ଯୋଜନା ହେତୁ ଦୁର୍ନୀତି ବିରୋଧୀ ଅଭିଯାନର ହୋଇଥିଲେ ମୁଖ୍ୟ । ଏହି ସମୟ ମଧ୍ୟରେ ବଶର ବହୁ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ କରିଥିଲେ ବିଦା । ସିରିଆ କମ୍ପ୍ୟୁଟର ସୋସାଇଟିର ସଭାପତି ହେଲେ । ଟେକ୍ନୋଲୋଜି ପ୍ରେମୀ ନେତା ଭାବେ ଚର୍ଚ୍ଚିତ ହୋଇଗଲା ତାଙ୍କର ଭାବମୂର୍ତ୍ତି । 

୨୦୦୦ ଜୁନ୍ ୧୦ ରେ, ବାପାଙ୍କୁ ହରାଇ ଏକୁଟିଆ ହୋଇଯାଇଥିଲେ ବଶର । ଆଉ ପିତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଦେଶର ସାମ୍ବିଧାନିକ ଢାଞ୍ଚାରେ ପରିବର୍ତ୍ତନ ହୋଇ ବଶର ରାଷ୍ଟ୍ରପତି ହେବାର ଫିଟିଯାଇଥିଲା ରାସ୍ତା । ହାଫେଜ ଅଲ-ଅସଦଙ୍କ ସମୟରେ ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ ଥିଲା ୪୦, ଯାହାକି ୩୪କୁ କମାଯାଇଥିଲା । କାରଣ ବଶରଙ୍କୁ ସେତେବେଳେ ହୋଇଥିଲା ୩୪ ବର୍ଷ । ୨୦୦୦, ଜୁନ୍‌ ୧୮ରେ ଅସାଦ ଶାସକ ବାଥ ପାର୍ଟିର ସେକ୍ରେଟେରୀ ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ । ଦୁଇ ଦିନ ପରେ ତାଙ୍କୁ ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲା ନାଁ । ଜୁଲାଇ ୧୦ରେ ପରବର୍ତ୍ତୀ ସାତ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ହୋଇଥିଲେ ନିର୍ବାଚିତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.