ଏଫ୍‌ଏମ୍ ଛାତ୍ରୀ ଆତ୍ମାହୁତି ମାମଲାରେ ନୂଆ ମୋଡ, ଡରାଉଛି ଗିରଫ ଜ୍ୟୋତିପ୍ରକାଶଙ୍କ ଭିଡିଓ

Published By : Prameya-News7 Bureau | August 06, 2025 IST

ବାଲେଶ୍ୱର ୦୬/୦୮: ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା । ଗିରଫ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ, ଶୁଭ୍ରସମ୍ବିତ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଘଟଣାରେ ଏବେ ଅନ୍ୟମାନଙ୍କ ଉପରେ କ୍ରାଇମବ୍ରାଞ୍ଚର ଆଖି ପଡ଼ିଛି । ଏଭଳି ପରିସ୍ଥିତିରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଭିଡିଓ ଅନ୍ୟମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଭିଡିଓ ଆଧାରରେ କାଳେ କାହାର ପାଳି ପଡ଼ିବ ସେନେଇ ଅନ୍ୟମାନଙ୍କ ଛାତି ଧଡ଼ଧଡ଼ ହୋଇଛି । 

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ପୂର୍ବରୁ ଜ୍ୟୋତିପ୍ରକାଶ ଗଣମାଧ୍ୟମକୁ ଯାହା ସବୁ ତଥ୍ୟ ଦେଇଥିଲେ ସେଥିରେ ଅନେକ କିଛି ଭୁଲ ଥିଲା । ବାସ୍ତବ ଚିତ୍ର କିଛି ଭିନ୍ନ ଥିଲା । ଘଟଣା ଘଟିବା ପୂର୍ବରୁ ସୌମ୍ୟାଶ୍ରୀଙ୍କୁ ୨ଜଣ ଛାତ୍ର ନେତା ପେଟ୍ରୋଲ ଆଣିବାକୁ ବାଧ୍ୟ କରିଥିଲେ । ଏମିତିକି ନିଜ ଦେହରେ ପେଟ୍ରୋଲ ଢାଳି ପୋଡ଼ିବାର  ଅଭିନୟ ନ କଲେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ  ଦୂରେଇ ନେବେ ବୋଲି ଧମକ ମଧ୍ୟ ଦେଇଥିଲେ । 

ସବୁଠାରୁ ବଡ଼ କଥା ହେଉଛି ଜ୍ୟୋତିପ୍ରକାଶଙ୍କ ମୋବାଇଲ୍‌ ଫୋନ୍‌ ନିଜ ଅକ୍ତିଆରକୁ ନେବା ପରେ ଏହି ଘଟଣା ବାବଦରେ ଅନେକ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଭିଡିଓ ଅନେକ ଗୁମର ଖୋଲିବା ନେଇ ଏକପ୍ରକାର ନିଶ୍ଚିତ ହୋଇପଡିଛି । ଏଭଳି ସମୟରେ ଆଉ ଏକ ଘଟଣା ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଆତ୍ମାହୁତି ପୂର୍ବରୁ ସୌମ୍ୟାଶ୍ରୀ କିଛି ଲୋକଙ୍କୁ କଲ୍‌ କରିଥିବା ଜଣାପଡ଼ିଛି । ସେହି ଲୋକମାନେ କିଏ ଥିଲେ ତାହା ଏବେ ବଡ଼ ପ୍ରଶ୍ନ । ସେମାନେ ମଧ୍ୟ ଏବେ  କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । 

ଏହି ବ୍ୟକ୍ତିଙ୍କ ମଧ୍ୟରୁ କଲେଜର ଅଧ୍ୟାପକ ବି ଅଛନ୍ତି । ଏହି ଅଧ୍ୟାପକ ପୀଡ଼ିତାଙ୍କୁ କି ପରାମର୍ଶ ଦେଇଥିଲେ?  କିମ୍ବା ଏହି ଅଧ୍ୟାପକ କାହାଠାରୁ ପରାମର୍ଶ ନେଇ  ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ ତାହାକୁ  ନେଇ ମଧ୍ୟ ଆଲୋଚନା ଜୋର ଧରିଛି ।  ଏହାରି ଭିତରେ ମଙ୍ଗଳବାର ପୂର୍ବତନ ଅଧ୍ୟକ୍ଷ  ଶ୍ରୀ ଘୋଷଙ୍କ ଜାମିନ ଆବେଦନ ଖାରଜ ହୋଇଛି ।  

ଶ୍ରୀ ଘୋଷଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି  ବୋଲି ଦର୍ଶାଇ ତାଙ୍କର ବ୍ୟକ୍ତିଗତ ଆଇନଜୀବୀ ଗୁରୁପ୍ରସାଦ ବେହେରା ଜାମିନ ଆବେଦନ କରିଥିଲେ । ଶ୍ରୀ ଘୋଷଙ୍କୁ କେଉଁ କାରଣରୁ ଗିରଫ କରାଯାଇଥିଲା ତାହା ଲିଖିତ ଭାବେ ଜଣାଇବା କଥା ।  ମାତ୍ର ତାହା ଜଣାଯାଇ ନ ଥିଲା ବୋଲି ଶ୍ରୀ ବେହେରା ଯୁକ୍ତି ବାଢ଼ିଥିଲେ । 

ମାତ୍ର ତାଙ୍କୁ ଏ ବାବଦରେ ଜଣାଇଥିବା ମାନ୍ୟବର ଏସ୍‌ଡିଜେଏମ କୋର୍ଟ  କହିବା ସହ ଜାମିନ ଆବେଦନ ଖାରଜ କରିଥିଲେ ।  ଏହାକୁ ଚ୍ୟାଲେଞ୍ଜ କରି ଆଗାମୀ ଦିନରେ ଉପର  କୋର୍ଟରେ ଆବେଦନ କରାଯିବ ବୋଲି ଆଇନଜୀବୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିଭଳି  ବୁଧବାର ଉଭୟ ଅଧ୍ୟକ୍ଷ ଓ ଏଚ୍‌ଓଡିଙ୍କୁ ଭିଡିଓ  କନଫେରେନ୍ସିଂରେ ଅଦାଲତରେ ହାଜର କରାଯିବା  ନେଇ ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.