ଭାରତ ଭଲ ରଣନୈତିକ ସହଯୋଗୀ, ଖୁବଶୀଘ୍ର ଏକ ଭଲ ବାଣିଜ୍ୟ ଚୁକ୍ତି ଘୋଷଣା ହେବ: ହ୍ୱାଇଟ୍ ହାଉସ୍

Published By : Prameya-News7 Bureau | July 01, 2025 IST

indiatoday

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ପ୍ରମୁଖ ରଣନୈତିକ ସହଯୋଗୀ ଭାବରେ ଭାରତର ଗୁରୁତ୍ୱକୁ ହୃଦବୋଧ କରି ଖୁବ୍‌ଶୀଘ୍ର ଏକ ଭଲ ବାଣିଜ୍ୟ ନୀତି ଘୋଷଣା ହେବାର ଅଛି ବୋଲି ଆମେରିକା ରାଷ୍ଟପତି ଭବନ ପକ୍ଷରୁ କୁହାଯାଇଛି। 

ଏହି ଅଞ୍ଚଳରେ ଚୀନର ବଢ଼ୁଥିବା ପ୍ରଭାବ ବିଷୟରେ ସମ୍ବାଦ ସରବରାହ ସଂସ୍ଥା ଏଏନଏଆଇର ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ଏଥିରେ ଲିଭିଟ୍ କହିଛନ୍ତି “ଏସିଆ ପ୍ରଶାନ୍ତ ମହାସାଗରରେ ଭାରତ ଏକ ଅତ୍ୟନ୍ତ ରଣନୈତିକ ସହଯୋଗୀ ରହିଛି। ଏବଂ ରାଷ୍ଟ୍ରପତିଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବହୁତ ଭଲ ସମ୍ପର୍କ ରହିଛି, ଏବଂ ତାଙ୍କର ସେହି ସମ୍ପର୍କ ଜାରି ରହିବ।” ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ରହିଛି ବୋଲି ଲିଭିଟ୍ କହିଛନ୍ତି। 

ସେ କହିଛନ୍ତି “ରାଷ୍ଟ୍ରପତି ଗତ ସପ୍ତାହରେ କହିଥିଲେ (ଯେ ଆମେରିକା ଏବଂ ଭାରତ ଏକ ବାଣିଜ୍ୟ ଚୁକ୍ତିର ବହୁତ ନିକଟତର), ଏହା ସତ କଥା। ମୁଁ ଆମ ବାଣିଜ୍ୟ ସଚିବଙ୍କ ସହ ଏ ବିଷୟରେ କଥା ହୋଇଥିଲି। ସେ ରାଷ୍ଟ୍ରପତିଙ୍କ ସହିତ ଓଭାଲ ଅଫିସରେ ଥିଲେ। ସେମାନେ ଏହି ଚୁକ୍ତିନାମାଗୁଡ଼ିକୁ ଚୂଡ଼ାନ୍ତ କରୁଛନ୍ତି, ଭାରତ କଥା ଆସିଲେ ଆପଣ ଖୁବ୍ ଶୀଘ୍ର ରାଷ୍ଟ୍ରପତି ଏବଂ ତାଙ୍କ ବାଣିଜ୍ୟ ଟିମ୍‌ ଠାରୁ ଡିଲ ସମ୍ପର୍କରେ ଶୁଣିପାରିବେ।”

ନିକଟରେ କ୍ୱାଡ ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ଯାଇଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ। ସୋମବାର, ଜୟଶଙ୍କର ଜାତିସଂଘରେ "ଆତଙ୍କବାଦର ମାନବିକ ମୂଲ୍ୟ" ଶୀର୍ଷକ ଏକ ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରିଥିଲେ। ଯାହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ବିଶ୍ୱବ୍ୟାପୀ ପ୍ରଭାବକୁ ଉଜାଗର କରିଥିଲା।

ସୂଚନା ଥାଉଖି ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ରକୁ ନେଇ ଗଠିତ କ୍ୱାଡର ଗଠନ କରାଯାଇଛି। ଏହା ଏକ ରଣନୈତିକ କୂଟନୈତିକ ମେଣ୍ଟ ଯାହା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏକ ମୁକ୍ତ ଏବଂ ଖୋଲାଖୋଲି ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.