ମୁମ୍ଵାଇ ୩୦।୦୬; ଅଭିନେତ୍ରୀ ଏବଂ ମଡେଲ ଶେଫାଳୀଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ମୃ୍ତ୍ୟୁ ବେଳକୁ ତାଙ୍କର ବୟସ ମାତ୍ର ୪୨ ବର୍ଷ ଥିଲା। ଏତେ ବୟସ ହେବା ସତ୍ତ୍ଵେ ସେ ବହୁତ ଫିଟ୍ ଥିଲେ। ରିପୋର୍ଟ ଅନୁଯାୟୀ, ହୃଦଘାତରେ ଶେଫାଳିଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହାକୁ ଅନେକ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ପୋଲିସ ତଦନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି।
ତଦନ୍ତରୁ ଜଣାପଡିଛି ଯେ ଶେଫାଳୀ ଗତ ୫-୬ ବର୍ଷ ଧରି ନିୟମିତ ଭାବରେ ବାର୍ଦ୍ଧକ୍ୟ ପ୍ରତିରୋଧୀ ଆଣ୍ଟି-ଏଜିଂ ଔଷଧ ଖାଉଥିଲେ। ଜୁନ୍ ୨୭ ତାରିଖରେ ତାଙ୍କ ଘରେ ଏକ ପୂଜା ଥିଲା। ଏନେଇ ଶେଫାଳି ଉପବାସ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ, ସେ ସେହି ଦିନ ଅପରାହ୍ନରେ ଆଣ୍ଟି-ଏଜିଂ ଔଷଧର ଏକ ଇଞ୍ଜେକ୍ସନ ନେଇଥିଲେ। ଅନେକ ବର୍ଷ ପୂର୍ବରୁ ଡାକ୍ତରଙ୍କ ପରାମର୍ଶରେ ଶେଫାଳୀଙ୍କୁ ଏହି ଔଷଧ ଦିଆଯାଇଥିଲା, ଏବଂ ସେବେଠାରୁ ସେ ପ୍ରତି ମାସରେ ଏହି ଚିକିତ୍ସା କରୁଥିଲେ। ପୋଲିସ ସନ୍ଦେହ କରୁଛି ଯେ ଏହି ଔଷଧ ତାଙ୍କର ହଠାତ୍ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇପାରେ। ଯାହା ତାଙ୍କ ହୃଦଘାତର କାରଣ ହୋଇଛି।
ସୂଚନା ଅନୁସାରେ ଘଟଣା ଦିନ, ରାତି ୧୦ ରୁ ୧୧ଟା ମଧ୍ୟରେ ଶେଫାଳିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା, ତାଙ୍କ ଶରୀର ଥରିବାକୁ ଲାଗିଲା ଏବଂ ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ଫୋରେନ୍ସିକ୍ ଟିମ୍ ତାଙ୍କ ଘରୁ ବିଭିନ୍ନ ପ୍ରକାରର ଔଷଧ ଜବତ କରିଛି। ଏଥିରେ ବାର୍ଦ୍ଧକ୍ୟ ବିରୋଧୀ ଭାଏଲ, ଭିଟାମିନ୍ ସପ୍ଲିମେଣ୍ଟ ଏବଂ ଗ୍ୟାଷ୍ଟ୍ରିକ୍ ସମ୍ବନ୍ଧୀୟ ବଟିକା ରହିଛି।