News7 Logo

ସୁନା ଓ ରୂପା ଉପରେ ଲାଗୁ ହେବ GSTର କେଉଁ ସ୍ଲାବ, ୧ଲକ୍ଷ ଟଙ୍କାର ଆଭୂଷଣ କିଣିଲେ କେତେ ଦେବାକୁ ପଡିବ ଶୁଳ୍କ?

NEWS7
Gold and Silver

ନୂଆଦିଲ୍ଲୀ ୪।୯: ଜିଏସଟି ପରିଷଦ ତାଙ୍କର ୫୬ତମ ବୈଠକରେ ସୁନା ଓ ରୂପା ଉପରେ ଜିଏସଟି ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ସୁନା ଓ ରୂପା ଉପରେ ପୂର୍ବ ଭଳି ୩% ଜିଏସଟି ଓ ଆଭୂଷଣ ଆକାରରେ କ୍ରୟ କଲେ ୫% ଜିଏସଟି ଶୁଳ୍କ ପୈଠ କରିବାକୁ ପଡିବ। ଅର୍ଥାତ ଯଦି ଆପଣ ୧ଲକ୍ଷ ଟଙ୍କାର ସ୍ୱର୍ଣ୍ଣ କିମ୍ବା ରୌପ୍ୟ ଆଭୂଷଣ କ୍ରୟ କରୁଛନ୍ତି ତେବେ ଆପଣଙ୍କୁ ଯଥାକ୍ରମେ ୩ ହଜାର ଓ ୫ ହଜାର ଟଙ୍କା ଜିଏସଟି ଶୁଳ୍କ ପୈଠ କରିବାକୁ ପଡିବ।

ଜିଏସଟି ପରିଷଦ ବୈଠକରେ ଶୁଳ୍କ ବ୍ୟବସ୍ଥାରେ ବଡ ପରିବର୍ତ୍ତନକୁ ମଞ୍ଜୁର କରିଛନ୍ତି। ପୂର୍ବର ୪ଟି ସ୍ଲାବ (କର ହାର) ସ୍ଥାନରେ ଏବେ କେବଳ ୨ଟି ସ୍ଲାବ ୫ ଓ ୧୮% ଲାଗୁ ହେବ। ୧୨ ଓ ୧୮% ହାରକୁ ହଟାଇ ଦିଆଯାଇଛି। ଏହା ‘ଜିଏସଟି ୨.୦’ ସଂଶୋଧନର ଅଂଶ, ଯାହାର ଉଦ୍ଦେଶ୍ୟ ପ୍ରଣାଳୀକୁ ସରଳ କରିବା ଓ ଉପଭୋଗକୁ ପ୍ରୋତ୍ସାହନ ଦେବା। ଏଣୁ ସୁନା ଓ ରୁପା ଅଳଙ୍କାର ଉପରେ ଜିଏସଟି ହାର ଅପରିବର୍ତ୍ତିତ ରହିବା ଏହି ବ୍ୟବସାୟ ଉପରେ ସେପରି ଚାପ ପକାଇବ ନାହିଁ।

ତେବେ ସାଧାରଣ ଉପଯୋଗରେ ଆସୁଥିବା ଖାଦ୍ୟ ଓ ପେୟ ପଦାର୍ଥ ଯେପରି ଲହୁଣୀ, ଘିଅରୁ ଆରମ୍ଭ କରି ଡ୍ରାଏ ଫ୍ରୁଟ, କଣ୍ଡେନସ୍ଡ୍ ମିଲ୍କ, ପନିର, ଅଞ୍ଜିର, ଖଜୁରୀ, ସସ୍, ଜାମ ଓ ଫଳ ତିଆରି ଜେଲି, ପଇଡ ପାଣି, ନମକିନ, ୨୦ ଲିଟର ବୋତଲରେ ପ୍ୟାକ୍ ପେୟଜଳ, ଦୁଗ୍ଧ, ଆଇସ୍କ୍ରିମ, ପେଷ୍ଟ୍ରି ଓ କର୍ଣ୍ଣଫ୍ଲେକ୍ସକୁ ୧୨ ଓ ୧୮%ରୁ ହ୍ରାସ କରି ୫% କରି ଦିଆଯାଇଛି। ଏହା ଛଡା ରୋଷେଇ ବାସନ କୁସନ, ଛତା, ସାଇକଲ, ବାଉଁଶ ତିଆରି ଫର୍ଣ୍ଣିଚର ଓ ପାନିଆ ଭଳି ଉପଭୋକ୍ତ ସାମଗ୍ରୀ ଉପରେ ପୂର୍ବରୁ ଜାରି ୧୨% ଜିଏସଟିକୁ ୫%କରିଦିଆଯାଇଛି। ​​​​​​​