ନୂଆଦିଲ୍ଲୀ ୨୭।୦୫: ବିଶ୍ବର ଅନେକ ସ୍ଥାନରେ ଚାଲୁଛି ଯୁଦ୍ଧ । ସେ ରୁଷ-ୟୁକ୍ରେନ୍ ହେଉ କି ଭାରତ-ପାକିସ୍ତାନ । ସବୁଆଡେ ଉତେଜନା ମୂଳକ ସ୍ଥିତି ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବିଶ୍ୱ ନିଜକୁ କରୁଛି ଆଧୁନିକ । ଷଷ୍ଠ ପିଢ଼ିର ତିଆରି କରାଯାଉଛି ଯୁଦ୍ଧ ବିମାନ । ଗୋଟିଏ ମହାଦେଶରୁ ଅନ୍ୟ ଏକ ମହାଦେଶକୁ କରାଯାଉଛି ଟାର୍ଗେଟ ।
ଶତ୍ରୁମାନଙ୍କୁ ଧ୍ୱଂସ କରିପାରୁଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କରାଯାଉଛି ତିଆରି । କିନ୍ତୁ ଅତୀତର ଶକ୍ତି ବର୍ତ୍ତମାନ ହ୍ରାସ ପାଇଛି । ଆମେ କହୁଛୁ ହ୍ୟାଣ୍ଡ ଗ୍ରେନେଡ ବା ହାତ ବୋମାର କଥା । ଏହାର ବ୍ୟବହାର ପୂର୍ବ ପରି ନାହିଁ, କିନ୍ତୁ ଏବେ ବି ଅନେକ ଦେଶରେ ରହିଛି ଏହାର ବିଶାଳ ଭଣ୍ଡାର । ଏହା ଦେଖିବାକୁ ଛୋଟ । କିନ୍ତୁ ବହୁତ ବିପଦପୂର୍ଣ୍ଣ ଅସ୍ତ୍ର । ଏହା କିଛି ମିନିଟରେ ଶତ୍ରୁକୁ ଧ୍ୱଂସ କରିବାର କ୍ଷମତା ରଖେ।
ସାଧାରଣତଃ ଏହାକୁ ସ୍ୱଳ୍ପ ଦୂରତା ଯୁଦ୍ଧ ସମୟରେ କରାଯାଏ ବ୍ୟବହାର । ଯଦି ଆତଙ୍କବାଦୀଙ୍କ ସହ ଯୁଦ୍ଧ ହୁଏ ତେବେ ସେନା ଏହାର ବ୍ୟବହାର ସେମାନଙ୍କର ଆଡ୍ଡାଗୁଡ଼ିକୁ ଉଡ଼ାଇ ଦେବା ପାଇଁ କରିଥାଏ । ଯଦିଓ ବର୍ତ୍ତମାନ ହାତ ବୋମାର ବ୍ୟବହାର ହ୍ରାସ ପାଉଛି, କିନ୍ତୁ ଏହାର ଏକ ବ୍ୟାପକ ଇତିହାସ ଅଛି । ୧୫ଶ ଶତାବ୍ଦୀରୁ ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ୟୁରୋପରେ ହାତ ବୋମାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଲା।
ଆଜିକାଲି ବହୁଳ ଭାବରେ ବ୍ୟବହୃତ ହେଉଥିବା ଆଧୁନିକ ହାତ ବୋମା, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବିକଶିତ ହୋଇଥିଲା। ସେହି ସମୟରେ ବହୁଳ ପରିମାଣରେ ବୋମା ବ୍ୟବହାର କରାଯାଉଥିଲା। ସମୟ ସହିତ ଏହାର ବ୍ୟବହାର ବୃଦ୍ଧି ପାଇଲା ଏବଂ ଏବେ ଏହା ହ୍ରାସ ପାଇଛି । କିନ୍ତୁ ଜାଣନ୍ତି କି କେଉଁ ଦେଶରେ ରହିଛି ବିଶ୍ୱର ସବୁଠାରୁ ଘାତକ ବୋମା ? ଏହି ବୋମାର ଦାମ୍ କେତେ ?
ସୂଚନା ଅନୁସାରେ, M67 ଫ୍ରାଗମେଣ୍ଟେସନ୍ ଗ୍ରେନେଡ୍କୁ ସବୁଠାରୁ ବିପଦପୂର୍ଣ୍ଣ ବୋମା କୁହାଯାଏ । ଏହାକୁ ଆମେରିକୀୟ ସେନା ବ୍ୟବହାର କରିଥାନ୍ତି। ଆମେରିକୀୟ ସେନା ବ୍ୟତୀତ ଅନ୍ୟ କିଛି ଦେଶର ସେନା ମଧ୍ୟ ଏହାକୁ ବ୍ୟବହାର କରନ୍ତି । ଏହା ଶତ୍ରୁକୁ ମାରିବା କିମ୍ବା ଆହତ କରିବା ପାଇଁ ବ୍ୟବହାର କରାଯାଏ । ଯେତେବେଳେ ଏକ ହାତ ବୋମା ବିସ୍ଫୋରଣ ହୁଏ, ସେତେବେଳେ ଏହାର ଚାରିପାଖରେ ଅନେକ ଧାରୁଆ ଏବଂ ଛୋଟ ଖଣ୍ଡ ବିଛେଇ ହୋଇ ପଡିଥାଏ । ହାତ ବୋମାକୁ ବେସବଲ ପରି ଆକୃତି ଦିଆଯାଇଛି । ଯାହା ଏହାକୁ ଫିଙ୍ଗିବା ପାଇଁ ସହଜ କରିଥାଏ ।
ଏଥିରେ ଦୁର୍ଘଟଣାଜନିତ ବିସ୍ଫୋରଣକୁ ରୋକିବା ପାଇଁ ଏକ ସେଫ୍ଟି ପିନ୍ ଏବଂ ସେଫ୍ଟି କ୍ଲିପ୍ ଅଛି । ଜଣେ ସାଧାରଣ ସୈନିକ ଏହାକୁ ପ୍ରାୟ ୩୫ ମିଟର ଉପରକୁ ଫିଙ୍ଗିପାରିବ। ଏବେ ଜାଣିବା ଏହାର ଦାମ୍ କେତେ ? ତେବେ ଏହାର ମୂଲ୍ୟ ବିଷୟରେ କୌଣସି ସରକାରୀ ସୂଚନା ଉପଲବ୍ଧ ନାହିଁ । M67 ବୋମାର ଆନୁମାନିକ ମୂଲ୍ୟ ୩୦ରୁ ୫୦ ଆମେରିକୀୟ ଡଲାର ମଧ୍ୟରେ ହୋଇପାରେ । ଅର୍ଥାତ୍ ଭାରତୀୟ ମୂଲ୍ୟରେ ଏହାର ଦାମ୍ ପ୍ରାୟ ୨୫୦୦ରୁ ୪୨୦୦ଟଙ୍କା। ଏତେ ଛୋଟ ହୋଇଥିଲେ ମଧ୍ୟ ବେଶ୍ ଘାତକ ଏହି ହାତ ବୋମା ।