ନୂଆଦିଲ୍ଲୀ ୩।୧୧:  ବିହାର ବିଧାନସଭା ନିର୍ବାଚନରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ନିଳ ସ୍ୟାହି, ଯାହାକୁ ଭୋଟରଙ୍କ ଆଙ୍ଗୁଳିରେ ଲଗାଯାଇ ମତଦାନ ପ୍ରମାଣିତ କରାଯିବ। ଏହି ସ୍ୟାହି କେବଳ ଭାରତ ନୁହେଁ ବିଶ୍ୱର ୩୫ଟି ଦେଶରେ ଭୋଟରଙ୍କ ପାଇଁ ବ୍ୟବହାର ହେଉଛି। ଏହି ସ୍ୟାହିର କାହାଣୀ ଭାରତରେ ୧୯୫୧-୫୨ ସାଧାରଣ ନିର୍ବାଚନରୁ ଆରମ୍ଭ ହୁଏ। ଭୋଟର ବାରମ୍ବାର ଭୋଟ ଦେଉଥିବାର ଅଭିଯୋଗ ହେବା ପରେ ଏହାର ସ୍ଥାୟୀ ସମାଧାନ ପାଇଁ ବିଚାର କରାଯାଇଥିଲା।

ଭୋଟର ବାରମ୍ବାର ଭୋଟ ଦେବା ଅଭିଯୋଗ ନିର୍ବାଚନ ଆୟୋଗଙ୍କ ନିକଟକୁ ପହଞ୍ଚିବାରୁ ଆୟୋଗ ଏପରି ଏକ ବ୍ୟବସ୍ଥା କରିବାକୁ ଚାହିଁଥିଲେ ଯେଉଁଥିରେ ଭୋଟ ଦେଇ ସାରିଥିବା ଭୋଟରଙ୍କ ଚିହ୍ନଟ ରହିବ ଓ ସେ ବାରମ୍ବାର ଏଠି ସେଠି ଭୋଟ ଦେଇ ପାରିବେନି। ଏଥି ଲାଗି ନ୍ୟାସନାଲ ଫିଜିକାଲ ଲାବରୋଟରୀ ଅଫ ଇଣ୍ଡିଆ (ଏନପିଏଲ)ଙ୍କ ସହାୟତା ନିଆଯାଇଥିଲା। ଏନପିଏଲ ପାଣି ଓ ସାବୁନରେ ଲିଭୁ ନଥିବା ସ୍ୟାହି ତିଆରି କରିଥିଲେ।

ଏହି ସ୍ୟାହି ତିଆରିର କଣ୍ଟ୍ରାକ୍ଟ ମୈସୁରର ପେଣ୍ଟସ୍ ଆଣ୍ଡ ବାର୍ଣ୍ଣିସ୍ ଲିମିଟେଡକୁ ମିଳିଥିଲା। କର୍ଣ୍ଣାଟକର ଏହି କମ୍ପାନୀ ଆଜି ମଧ୍ୟ ଗୋପନୀୟତାର ସହ ଏହି ସ୍ୟାହିକୁ ତିଆରି କରୁଛି। ୧୯୭୧ ମସିହା ପୂର୍ବରୁ ଏହି ସ୍ୟାହିକୁ ଭୋଟରଙ୍କ ଅଙ୍ଗୁଳିରେ ଲଗା ଯାଉଥିଲା। ହେଲେ ଅନେକ ଭୋଟର ଏହାକୁ ଲଗାଇବାକୁ ରାଜି ହେଉ ନଥିଲେ। ବାରଣାସୀର ଜନୈକ ଯୁବତୀ ବିବାହ ଦିନ ଅଙ୍ଗୁଳିରେ ଚିହ୍ନ କରିବାକୁ ମନା କରିଦେଇଥିଲେ। ଏହା ଛଡା ଏହି ସ୍ୟାହିକୁ ଲୋକେ ରଗଡି ଲିଭେଇ ଦେବାର ମଧ୍ୟ ଆଶଙ୍କା ଥିଲା। ଏଣୁ ନିର୍ବାଚନ ଆୟୋଗ ୧୯୭୧ରେ ଏହି ସ୍ୟାହି ଅଙ୍ଗୁଳି ବଦଳେ ନଖରେ ଲଗାଇବାକୁ ନିୟମ କରିଥିଲେ। ସେବେଠାରୁ ସ୍ୟାହି ଅଙ୍ଗୁଳି ନଖରେ ଲଗାଯାଉଛି। ଏହା ଦ୍ୱାରା ନଖ ବଢିବା ସହିତ ଚିହ୍ନ ମଧ୍ୟ ବଢି ବଢି କଟିଯିବ।

୧୯୫୨ ମସିହାରେ ଏହି ସ୍ୟାହିକୁ ଏନପିଏଲ ଓ କାଉନସିଲ ଅଫ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର)ର ବୈଜ୍ଞାନିକ ଏହାକୁ  ବିକଶିତ କରିଥିଲେ। ଏହି ସ୍ୟାହିର ମୁଖ୍ୟ ତତ୍ୱ ହେଉଛି ସିଲଭର ନାଇଟ୍ରେଟ୍। ଏହା ଶରୀରର ସୋଡିୟମ କ୍ଲୋରାଇଡ ସହିତ ପ୍ରତିକ୍ରିୟାରେ ନିଳରୁ କଳା ପଡିଯାଏ ଓ ପାଣିରେ ଅଧିକ ଗାଢ ହୋଇଯାଏ, ସାବୁନର ବି ପ୍ରଭାବ ପଡେନି। ଏହି ସ୍ୟାହିର ଫର୍ମୂଲା ଆଜିବି ଗୋପନୀୟ ରହିଛି। ନା ଏନପିଏଲ ଏହାର ରହସ୍ୟ ଖୋଲୁଛନ୍ତି ନା ମୈସୁର କମ୍ପାନୀ। କେବଳ ଏହି କମ୍ପାନୀ ସ୍ୟାହି ତିଆରିର ଏକାଧିକାର ରଖନ୍ତି ଓ ବିଶ୍ୱର ୩୫ ଦେଶକୁ ରପ୍ତାନୀ ମଧ୍ୟ କରନ୍ତି।