ତେଲ ଅଭିଭ୍ : ଗୋଟେ ପଟେ ଇସ୍ରାଏଲୀୟ ସୁରକ୍ଷା ବଳ ଗାଜା ଉପରେ ଜୋରଦାର ହମଲା କରୁଥିବା ବେଳେ ଆଉ ଗୋଟେପଟେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ରାଫାରେ ଏକ ମାନବୀୟ ସହର ପ୍ରତିଷ୍ଠା କରିବାର ଯୋଜନାରେ ଆଗକୁ ବଢି ଚାଲିଛନ୍ତି, ଯାହାକୁ ତାଙ୍କର ରାଜନୀତିକ ପ୍ରତିନ୍ଦ୍ୱନ୍ଦୀ ତ ବିରୋଧ କରୁଛନ୍ତି, ତାଙ୍କର ହିଁ ସରକାରର ଅଫିସର ଓ ନେତାଙ୍କ ମଧ୍ୟରେ ମଧ୍ୟ ଏହି ମାମଲାରେ ବିବାଦ ଆରମ୍ଭ ହୋଇ ଯାଇଛି। ଆଇଡିଏଫ୍ ଏହି ଯୋଜନାକୁ ଅବାସ୍ତବ ବୋଲି କହିଛି। ହେଲେ , ନେତନ୍ୟାହୁ ମନ୍ତ୍ରିମଣ୍ଡଳ ସେନାର ପ୍ରୟାସକୁ ଖାରଜ କରି ଦେଇଛି।
ରବିବାର ସନ୍ଧ୍ୟାରେ ଇସ୍ରାଏଲୀୟ ସୁରକ୍ଷା ମନ୍ତ୍ରିମଣ୍ଡଳର ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜାରେ ଏକ ‘ମାନବୀୟ ସହର’ ତିଆରି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରମାଳୟ ଓ ଆଇଡିଏଫ୍ର ପ୍ରସ୍ତାବିତ ସମୟସୀମାକୁ ଅବାସ୍ତବ ଓ ପ୍ରୋଜେକ୍ଟକୁ ରୋକିବାକୁ ଜାଣିଶୁଣି କରାଯାଇ ଥିବା ପ୍ରୟାସ ଦର୍ଶାଇ ଖାରଜ କରି ଦେଇଥିଲେ। ସୂତ୍ରାନୁସାରେ , ସାମରିକ ଅଫିସର ମାନେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଅତି କମ୍ରେ ବର୍ଷକର ନିର୍ମାଣ ଅବଧି କହି ଥିଲେ ଏବଂ ଏହାର ମୂଲ୍ୟ କୋଟି କୋଟି ଶେକେଲରେ ଆକଳନ କରି ଥିଲେ, ହେଲେ ପିଏମଙ୍କ ଡ୍ରିମ୍ ପ୍ରୋଜେକ୍ଟ ଅନୁସାରେ ଏହି ସହରର ନିର୍ମାଣରେ କେବଳ ୬ ମାସର ସମୟ ଲାଗିବ।
IDF ଦ୍ୱାରା ପ୍ରୋଜେକ୍ଟ ଉପରେ ଦିଆଯାଇ ଥିବା ନୂଆ ସମୟ ସୀମା, ଯୁକ୍ତି ଓ ପ୍ରସ୍ତାବ ନେତା ଓ ପ୍ରତିରକ୍ଷା ଅଧିକାରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରେ ଏହି ପ୍ରୋଜେକ୍ଟକୁ ନେଇ ବଡ଼ ବିତକ୍ତ ଚାଲିଛି। ଏହି ମଧ୍ୟରେ, ନେତନ୍ୟାହୁ , ଯିଏକି ଯୁଦ୍ଧ ବିରତି ଓ ବନ୍ଧକ ଚୁକ୍ତିରେ ଆଗକୁ ବଢିବାର ସଙ୍କେତ ଦେଇଥିଲେ, ସେ କହିଛନ୍ତି ଯେ , ଏକ ବିରାମ ପରେ ଗାଜାରେ ପୁଣି ଥରେ ହମଲା ଆରମ୍ଭ ହୋଇପାରେ। ହେଲେ ସେ ବୈଠକରେ ଜୋର ଦେଇ କହିଛନ୍ତି ମାନବୀୟ ସହର ପ୍ରତିଷ୍ଠା କରିବାର ଯୋଜନାକୁ କାର୍ଯ୍ୟକାରୀ କରାଯିବା ଉଚିତ। ଏହି ମିଟିଂରେ ନେତନ୍ୟାହୁ ଯୋଜନାକାରୀଙ୍କୁ ସୋମବାର ଯାଏ ଏହି ପ୍ରୋଜେକ୍ଟ ଉପରେ ଅଧିକ ସଂକ୍ଷିତ, ଶୀଘ୍ର ନିର୍ମାଣ ଓ ଶସ୍ତା ମଡେଲ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଡ଼ିଲ-ଇଷ୍ଟ ମନିଟରର ଏକ ରିପୋର୍ଟ ମୁତାବିକ, ଇସ୍ରାଏଲର ବିରୋଧୀ ନେତାମାନେ ମଧ୍ୟ ନେତନ୍ୟାହୁଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ବିରୋଧରେ ପ୍ରତିବାଦ ଆରମ୍ଭ ଦେଇଛନ୍ତି। ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି ଯେ, ନେତନ୍ୟାହୁ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଆମର ପିଲାଙ୍କ ଅଧିକାର ଛଡେଇ ନେଉଛନ୍ତି ଏବଂ ପାଲେଷ୍ଟାଇନଙ୍କ ପାଇଁ ୧୫ ବିଲିୟନ ଶେକେଲ କିମ୍ୱା ୪ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛନ୍ତି।