ଏବେ କ’ଣ କରୁଛନ୍ତି ଜଗଦୀପ ଧନଖଡ଼, ବିରୋଧୀଙ୍କ ପ୍ରଶ୍ନର ମିଳିଗଲା ଉତ୍ତର

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ ୨୩।୮: ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୁଲାଇ ୨୧ ତାରିଖରେ ଅଚାନକ ଇସ୍ତଫା ଦେବା ପରେ ତାଙ୍କ ସ୍ଥିତି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ହୋଇ ରହିଛି। ବିରୋଧୀ ଦଳର ଅନେକ ନେତା ତାଙ୍କ ନୂଆ ଠିକଣାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଓ ପଚାରୁଛନ୍ତି ଜଗଦୀପ ଧନଖଡ଼ ଏବେ କେଉଁଠି? ଏହାର ଜବାବ ମିଳି ଯାଇଛି। ସୂତ୍ର ଅନୁସାରେ ଜଗଦୀପ ଧନଖଡ଼ ନିଜକୁ ଯୋଗାଭ୍ୟାସ ଓ ଟେବୁଲ ଟେନିସ ଖେଳିବାରେ ବ୍ୟସ୍ତ ରଖୁଛନ୍ତି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇସ୍ତଫାର ପାଖାପାଖି ୧ ମାସ ପରେ ଜଗଦୀପ ଧନଖଡ଼ ଏବେ ନିୟମିତ ଯୋଗାଭ୍ୟାସ କରୁଥିବା ଓ ତାଙ୍କ ହିତାକାଙକ୍ଷୀ ଏବଂ ଷ୍ଟାଫଙ୍କ ସହିତ ଟେବୁଲ ଟେନିସ ଖେଳୁଛନ୍ତି। ଜଗଦୀପ ଧନଖଡ଼ ତାଙ୍କ ଖାଲି ସମୟରେ ପ୍ରାୟତଃ ଟେବୁଲ ଟେନିସ୍ ଖେଳିଥାନ୍ତି। ତେବେ ତାଙ୍କର ଅଚାନକ ଇସ୍ତଫା, ଯୋଗ ଓ ଟେବୁଲ ଟେନିସ୍ ରେ ବ୍ୟସ୍ତ ରହିବା ଏବଂ ସାର୍ବଜନିକ କାର୍ଯ୍ୟକ୍ରମରୁ ଅଦୃଶ୍ୟ ରହିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। 

ସହର ବିକାଶ ମନ୍ତ୍ରାଳୟ ପୂର୍ବ ଉପରାଷ୍ଟ୍ରପତିଙ୍କ ଲାଗି ଟାଇପ-୮ ବଙ୍ଗଳା ସଂରକ୍ଷିତ ରଖିଛି। ସୂତ୍ର ଅନୁସାରେ ଜଗଦୀପ ଧନଖଡ ଏ ପର୍ଯ୍ୟନ୍ତ ତାଙ୍କ ସରକାରୀ ବାସଭବନ ଲାଗି ସହର ବିକାଶ ମନ୍ତ୍ରାଳୟଙ୍କ ସହିତ ଯୋଗାଯୋଗ କରି ନାହାନ୍ତି। ଏହା ସତ୍ତ୍ୱେ ମନ୍ତ୍ରାଳୟ ଅନ୍ତର୍ଗତ ଡାଇରେକ୍ଟରେଟ ଅଫ ଇଷ୍ଟେଟ୍ ଏ.ପି.ଜେ ଅବଦୁଲ କାଲାମ ମାର୍ଗରେ ତାଙ୍କ ଲାଗି ୩୪ ନମ୍ବର ଟାଇପ-୮ ବଙ୍ଗଳା ଖାଲି ରଖିଛି। ଯଦି ଧନଖଡଙ୍କୁ ଏହି ବଙ୍ଗଳା ପସନ୍ଦ ନ ଆସେ ତେବେ ମନ୍ତ୍ରାଳୟ ତାଙ୍କୁ ଅନ୍ୟ କୌଣସି ବଙ୍ଗଳାର ବିକଳ୍ପମଧ୍ୟ ଦେଇ ପାରେ। 

ନିୟମ ଅନୁସାରେ ପୂର୍ବତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲୁଟିୟନ ଅଞ୍ଚଳରେ ଟାଇପ-୮ ବଙ୍ଗଳା ଅଥବା ତାଙ୍କ ପୈତୃକ ସ୍ଥାନରେ ୨ ଏକର ଜମି ଦେଇଥାନ୍ତି। ତେବେ ଧନଖଡ଼ଙ୍କ ପକ୍ଷରୁ ଏ ବାବଦେ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ପ୍ରତିକ୍ରିୟା ଆସି ନାହିଁ। ଏଣୁ ସେ କେଉଁଠି ରହିବେ ସେ ସ୍ଥିତି ଏବେବି ସ୍ପଷ୍ଟ ହୋଇନି। ଏଥିରେ ଧନଖଡ଼ଙ୍କ ଅଚାନକ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ଲାଗି ରହିଛି, ଯେହା ଷଡ଼ଯନ୍ତ୍ର ସିଦ୍ଧାନ୍ତକୁ ଜନ୍ମ ଦେଉଛି।

ଧନଖଡ଼ ଭାରତର ଏପରି ତୃତୀୟ ଉପରାଷ୍ଟ୍ରପତି ଯିଏ ତାଙ୍କ କାର୍ଯ୍ୟକାଳ ପୁରା ନ କରି ଇସ୍ତଫା ଦେଇଛନ୍ତି।ଏହା ପୂର୍ବରୁ ଭି.ଭି.ଗିରି ଓ ଆର.ଭେଙ୍କଟ ରମଣ ଏପରି କରିଥିଲେ। ତେବେ ଜଗଦୀପ ଧନଖଡ଼ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କାରଣ ଦର୍ଶାଇ ଇସ୍ତଫା ଦେଇଥିବାରୁ ବିରୋଧୀ ଦଳ ଏହାକୁ ନେଇ ଚିନ୍ତିତ ଅଛନ୍ତି। ଏଣୁ କଂଗ୍ରେସ ନେତାମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୂର୍ବ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ଯଥାଶୀଘ୍ର ସ୍ପଷ୍ଟ ସୂଚନା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। 

ଇସ୍ତଫା ଦେବା ପରେ ଧନଖଡ଼ ଗଣମାଧ୍ୟମ ସହ ଆଦୌ ସାକ୍ଷାତ କରି ନାହାନ୍ତି, ସାର୍ବଜନିକ ରୂପେ ମଧ୍ୟ ତାଙ୍କୁ କେଉଁଠାରେ ଦେଖାଯାଇନି ଓ ପୂର୍ବରୁ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରିଦିଆଯାଇଛି। ତାଙ୍କର ଏପରି ନିରବତା ଓ ସେ ଅଚାନକ ପଛକୁ ହଟିଯିବା ଚିନ୍ତା ବଢାଇବା ବାସ୍ତବିକ। ଏଣୁ କପିଲ ଶିବଲ କହିଛନ୍ତି ଯେ ୨୧ ଜୁଲାଇରେ ଆମ ଉପରାଷ୍ଟ୍ରପତି ଇସ୍ତଫା ଦେଲେ, ଏବେ ଅଗଷ୍ଟ ସମାପ୍ତ ହେବାକୁ ଆସିଲାଣି ସେବେଠାରୁ ଆମକୁ ଜଣା ନାହିଁ ସେ କେଉଁଠି ଅଛନ୍ତି। ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ‘ନିଖୋଜ ଉପରାଷ୍ଟ୍ରପତି’ଙ୍କ କଥା କେବେ ଶୁଣି ନଥିଲି। 

ସେହିପରି କଂଗ୍ରେସର କେରଳ ସଙ୍ଗଠନ ୨୧ ଅଗଷ୍ଟ ଗୁରୁବାର ଏକ୍ସ ରେ ଏକ ପୋଷ୍ଟ ସେୟାର କରି ପୂର୍ବତନ ଉପରାଷ୍ଟ୍ରପତିଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲା। ଏ ନେଇ ସଙ୍ଗଠନ ଏକ୍ସ ରେ ଏକ ‘ମିସିଂ’ ପୋଷ୍ଟ ଜାରି କରି ପୋଷ୍ଟରରେ ଧନଖଡ଼ଙ୍କ ନାମ, ବୟସ ଓ ତାଙ୍କୁ ଶେଷ ଥର କେଉଁଠି ଦେଖାଯାଇଥିଲା ଉଲ୍ଲେଖ କରିଥିଲା। ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଧନଖଡ଼ ‘କେଉଁଠି ଲୁଚିଛନ୍ତି’ ଓ କାହିଁକି ‘ସମ୍ପୂର୍ଣ୍ଣ ନିରବ’ ବୋଲି ପଚାରିଥିଲେ। ସେ କହିଛନ୍ତି ଯେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଇସ୍ତଫା ପଛରେ ଏକ କାହାଣୀ ଅଛି। ଯେଉଁବ୍ୟକ୍ତି ରାଜ୍ୟସଭାରେ ଖୋଲାଖୋଲି କଥା ହେଉଥିଲେ, ସେ ଅଚାନକ ଶାନ୍ତ ହୋଇଗଲେ? ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜିଂ ସମୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.