‘ବନ୍ଧୁତ୍ୱପୂର୍ଣ୍ଣ ବିବାହ’ କ’ଣ ? ଜାପାନରେ ବଢୁଛି ଏହାର ଟ୍ରେଣ୍ଡ

Published By : Prameya-News7 Bureau | May 11, 2024 IST

ମୁମ୍ଵାଇ ୧୧।୦୫: ଆଜିକାଲି ଲୋକମାନଙ୍କ ପାଇଁ ତୀବ୍ର ଗତିରେ ବଦଳୁଛି ସଂପର୍କର ପରିଭାଷା । ସେହିକ୍ରମରେ ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ଏବେ ‘ବନ୍ଧୁତ୍ୱପୂର୍ଣ୍ଣ ବିବାହ ଖୁବ୍‌ ଲୋକପ୍ରିୟ ହେଉଛି । ଏପରିକି ସେଠାକାର ୧୨୪ ନିୟୁତ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୧ ପ୍ରତିଶତ ଏଭଳି ସଂପର୍କକୁ ବାଛୁଥିବା ଏକ ରିପୋର୍ଟରୁ ଜଣାପଡି଼ଛି । ସେମାନଙ୍କ ମଧ୍ୟରେ ପାରମ୍ପରିକ ବିବାହରେ ରୁଚି ରଖୁନଥିବା ସମଲିଙ୍ଗୀ ମଧ୍ୟ ସାମିଲ । ଏହି ନୂଆପ୍ରକାର ସଂପର୍କ ସମାନ ମୂଲ୍ୟବୋଧ ଉପରେ ଆଧାରିତ । ପରସ୍ପର ପ୍ରତି ପ୍ରେମ ଭାବନା ନଥାଇ କିମ୍ବା ଶାରୀରିକ ସଂପର୍କ ସ୍ଥାପନ ବିନା ଏଥିରେ ଦମ୍ପତି ଆଇନଗତ ଭାବେ ଜୀବନସାଥୀ ହୋଇପାରିବେ । ଏପରି ବିବାହ କରିଥିବା କିଛି ଦମ୍ପତି ସାଙ୍ଗରେ ରହୁଥିବାବେଳେ ଅନ୍ୟ କିଛି ଅଲଗା ଅଲଗା ରହିବା ବିକଳ୍ପକୁ ବାଛିଥାନ୍ତି । ଯଦି ସେମାନେ ସନ୍ତାନ ଲାଗି ଯୋଜନା କରନ୍ତି, ତାହେଲେ କୃତ୍ରିମ ଗର୍ଭଧାରଣର ବିକଳ୍ପକୁ ବ୍ୟବହାର କରି ସେହି ଇଚ୍ଛା ପୂରଣ କରିଥାନ୍ତି । 

କେବଳ ସେତିକି ନୁହେଁ, ଏହି ସଂପର୍କରେ ଦମ୍ପତିମାନେ ପାରସ୍ପରିକ ସହମତିରେ ଅନ୍ୟ ଲୋକଙ୍କ ସହିତ ରୋମାଣ୍ଟିକ ସଂପର୍କ ସ୍ଥାପନ କରିବାକୁ ମଧ୍ୟ ସ୍ୱତନ୍ତ୍ର । ବନ୍ଧୁତ୍ୱପୂର୍ଣ୍ଣ ବିବାହ କରାଉଥିବା କଲରସ ନାମକ ଏକ ଅଗ୍ରଣୀ ଏଜେନ୍ସି ଏହି ନୂଆ ଟ୍ରେଣ୍ଡ ସହ ଜଡ଼ିତ କିଛି ତଥ୍ୟ ସେୟାର କରିଛି । ସେହି ପରିସଂଖ୍ୟାନ ମୁତାବକ, ୨୦୧୫ରୁ ଅଦ୍ୟାବଧି ଜାପାନରେ ଅନେକ ଲୋକ ଏଭଳି ବିବାହ କରିସାରିଛନ୍ତି । କିଛି ଜଣ ସନ୍ତାନର ପାଳନପୋଷଣ ବି କରିଛନ୍ତି । ଏହା ଏକ ଏମିତି ବ୍ୟବସ୍ଥା ଯେଉଁଥିରେ ଦମ୍ପତି ବିବାହ ପୂର୍ବରୁ ପରସ୍ପରକୁ ଭେଟି ନିଜ ଜୀବନ ସହ ଜଡି଼ତ ବିଭିନ୍ନ କଥା ନେଇ ଆଲୋଚନା କରିଥାନ୍ତି । 

ଉଦାହରଣସ୍ୱରୂପ, ଏକତ୍ର ଭୋଜନ କରିବାର ଅଛି କି ନାହିଁ, ଖର୍ଚ୍ଚକୁ କିଭଳି ବାଣ୍ଟିବାର ଅଛି, ଘର କାମକୁ କିଭଳି ବିଭାଜନ କରିବାକୁ ହେବ ଇତ୍ୟାଦି ବିଷୟରେ ଆଲୋଚନା କରିବାକୁ ଘଣ୍ଟା ଘଣ୍ଟା ସମୟ ନେଇଥାନ୍ତି । ଜାପାନରେ ଏଭଳି ସଂପର୍କ ପ୍ରତି ରୁଚି ପ୍ରଦର୍ଶନ କରୁଥିବା ଲୋକଙ୍କର ବୟସ ସାଧାରଣତଃ ୩୨ରୁ ୩୩ ବର୍ଷ ମଧ୍ୟରେ ରହୁଛି । ୩ ବର୍ଷ ଧରି ‘ବନ୍ଧୁତ୍ୱପୂର୍ଣ୍ଣ ବିବାହବନ୍ଧନରେ ଥିବା ଜଣେ ବ୍ୟକ୍ତି କହିଛନ୍ତି, ଏହା ହେଉଛି ସମାନ ମନୋଭାବ ରଖୁଥିବା ଜଣେ ରୁମ୍‌ମେଟ୍‌ ପାଇବା ଭଳି କଥା । ଆମେ ପରସ୍ପରର ଭଲ ବନ୍ଧୁ ହୋଇଥିବାବେଳେ ଏକାଠି ନିଜ ପସନ୍ଦର କାମ କରିଥାଉ । ଏକାଠି ହସୁ ଓ ପରସ୍ପରର ଯତ୍ନ ନେଇଥାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.