ବିଷାକ୍ତ ଛତୁ ଦେଇ ୩ ଜଣଙ୍କୁ ମାରିଥିଲେ ଅଷ୍ଟ୍ରେଲୀୟ ମହିଳା, ଜାଣନ୍ତୁ କେତେ ଘାତକ ଡେଥ୍ କ୍ୟାପ୍ ମସରୁମ୍ ?

Published By : Prameya-News7 Bureau | July 08, 2025 IST

ଅଷ୍ଟ୍ରେଲିଆ ୦୮/୦୭:  ସୋମବାର ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତାଙ୍କ ନାଁରେ ଅଭିଯୋଗ ଥିଲା ୨ ବର୍ଷ ତଳେ ସେ ମଧ୍ୟାହ୍ନ ଭୋଜନରେ ବିଷାକ୍ତ  ଛତୁ ପରିବେଷଣ କରି ସ୍ବାମୀଙ୍କ ୩ ଜଣ ସଂପର୍କୀୟଙ୍କୁ ହତ୍ୟା କରିଥିଲେ । ଏଥିପାଇଁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ ।  ତେବେ ତାଙ୍କୁ କେବେ  ଓ କଣ ଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ହୋଇନି । ୫୦ ବର୍ଷୀୟ ଏହି ମହିଳାଙ୍କ ନାଁ ଏରିନ ପାଟରସନ । 

ସୂଚନା ଅନୁଯାୟୀ ଏରିନ ଲଞ୍ଚ ପାର୍ଟି ଆୟୋଜନ କରି ସ୍ବାମୀ ସାଇମନ ପାଟରସନଙ୍କୁ ନିମନ୍ତ୍ରଣ କରିଥିଲେ । ଯାହାଙ୍କ ଠାରୁ ସେ ଏବେ ଅଲଗା ରହୁଛନ୍ତି । ତେବେ ସାଇମନ ଲଞ୍ଚ ପାର୍ଟିରେ ଯୋଗଦେବାକୁ ମନା କରିଦେଇଥିଲେ । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପରେ ସାଇମନଙ୍କ ପିତାମାତା ଗେଲ୍‌ ଓ ଡନ୍‌ ପାଟରସନ୍‌,ଗେଲ୍‌ଙ୍କ ଭଉଣୀ ହେଥର ୱିଲକିନସନ ଓ ତାଙ୍କ ସ୍ବାମୀ ଇଆନ ୱିଲକିନସନ ଲଞ୍ଚ ପାର୍ଟିରେ ଯୋଗଦେଇଥିଲେ ।

ସମସ୍ତେ ଲଞ୍ଚ ଖାଇବା ପରେ ଦେହ ଅସୁସ୍ଥ ହେବାର ଅନୁଭବ କରିଥିଲେ । ତୁରନ୍ତ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗୋଟିଏ ସପ୍ତାହ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଭାଗ୍ୟବଶତଃ ଜଣକ ଜୀବନ ବଞ୍ଚିଯାଇଥିଲା । ବିଷାକ୍ତ ଛତୁ ଖାଇବା ଦ୍ବାରା ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଡେଥ କ୍ୟାପ୍‌ ଛତୁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସମସ୍ତଙ୍କ ମନରେ ପ୍ରଶ୍ନ ଡେଥ କ୍ୟାପ୍‌ ଛତୁ କଣ ? ତେବେ ଅଷ୍ଟ୍ରେଲିଆ ସରକାରଙ୍କ ୱେବସାଇଟ (ACT government) ରିପୋର୍ଟ ମୁତାବକ ଏହା ଏକ ମାରାତ୍ମକ ବିଷାକ୍ତ ଫଙ୍ଗସ ।  ଯାହା ଅଷ୍ଟ୍ରେଲିଆର କାନବେରା ଅଞ୍ଚଳରେ ଦେଖାଯାଏ । ପୂର୍ବରୁ ଡେଥ କ୍ୟାପ ଛତୁ ସହ ଜଡିତ ବିଷକ୍ରିୟା ଓ ମୃତ୍ୟୁର ଅନେକ ରିପୋର୍ଟ ଆସିଛି । ଏହି ଛତୁର ସମସ୍ତ ଅଂଶକୁ ବିଷାକ୍ତ କୁହାଯାଇଥାଏ । ଏହା କାନବେରା ଅ଼ଞ୍ଚଳର ଯେକୌଣସି ସ୍ଥାନରେ ଓ ସମୟରେ ବଢିପାରେ । ଡେଥ୍  କ୍ୟାପ ଛତୁ ରନ୍ଧା ହେଲେ ମଧ୍ୟ ଏହାର ଅଳ୍ପ ପରିମାଣ ଆପଣଙ୍କ ଜୀବନ ନେଇପାରେ । 

ଏହି ବିଷାକ୍ତ ଛତୁ ଖାଇବାର ୬ରୁ ୨୪ ଘଣ୍ଟା ମଧ୍ୟରେ ବିଷକ୍ରିୟାର ଲକ୍ଷଣ ଦେଖାଯାଇଥାଏ । ପେଟରେ ଯନ୍ତ୍ରଣା ହେବା, ବାନ୍ତି ଓ ଝାଡା ହୋଇପାରେ । ଯଦିଓ ଲକ୍ଷଣ ଗୁଡିକ ଗୋଟିଏ କିମ୍ବା ୨ଦିନ ପରେ ଅସ୍ଥାୟୀ ଭାବରେ କମିଯାଇପାରେ କିମ୍ବା ପୁରା ଚାଲିଯାଇପାରେ । କିନ୍ତୁ ଦେହରେ ଥିବା ଛତୁର ବିଷାକ୍ତ ଅଂଶ ଶରୀରରେ ଯକୃତର ଅନେକ କ୍ଷତି କରିଥାଏ ଓ ମୃତ୍ୟୁ ମୁହଁକୁ ଟାଣି ନେଇଥାଏ । 

ଯଦି ଆପଣ ଡେଥ କ୍ୟାପ ଛତୁ ଖାଉଛନ୍ତି କଣ କରିବେ ଜାଣିଛନ୍ତି କି । ଅଷ୍ଟ୍ରେଲିଆ ସରକାରଙ୍କ ୱେବସାଇଟ ACT ଅନୁୟାୟୀ ଯଦି ଆପଣ ଭୁଲବଶତଃ ଡେଥ କ୍ୟାପ ଛତୁ ଖାଇଦେଇଛନ୍ତି ଓ ଅସୁସ୍ଥ ଅନୁଭବ କରୁଛନ୍ତି  ତେବେ ଲକ୍ଷଣ ଦେଖାଯିବା ଯାଏ ଅପେକ୍ଷା ନ କରି ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ । ପ୍ରାରମ୍ଭିକ ଚିକିତ୍ସା ଆପଣଙ୍କ ଜୀବନ ବଞ୍ଚାଇ ଦେଇପାରେ । ସେହିପରି ଛତୁର ଅବଶିଷ୍ଟ ଖଣ୍ଡକୁ ଭଲରେ ସିଲ୍‌ କରି ଡାକ୍ତରଖାନାକୁ ଆଣନ୍ତୁ । ଆପଣଙ୍କ ହାତ ଓ ଛତୁ ସଂସ୍ପର୍ଶରେ ଆସିଥିବା ପାତ୍ରକୁ ଭଲଭାବରେ ଧୋଇବାକୁ ଭୁଲନ୍ତୁନି । 

 

 

  • australia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.