ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି କିଏ ହେବେ ତାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଉପରେ ସୋମବାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ଭରିଛନ୍ତି । କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ଓଡ଼ିଶା ପର୍ଯ୍ୟବେକ୍ଷକ ଥିବା ସାଂସଦ ସଞ୍ଜୟ ଜୟସ୍ୱାଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଛନ୍ତି । ଏହି ଅବସରରେ ଦଳର ଅନ୍ୟ ସାଂସଦ, ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଆସନ୍ତାକାଲି ଦିନ ୧୧ ସୁଦ୍ଧା ଆନୁଷ୍ଠାନିକ ଘୋଷଣା ହୋଇପାରେ ।
ବିଜେପି ସାଂଗଠନିକ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲର ସମୟ ସୋମବାର ଅପରାହ୍ଣ ୩.୩୦ ଥିଲା । ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ ପରେ ଅନ୍ତିମ ସୂଚୀ ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୮ ତାରିଖ ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ତେବେ ମନମୋହନ ସାମଲ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ମତଦାନର ଆବଶ୍ୟକତା ପଡ଼ିବ ନାହିଁ । ଫଳରେ ମନମୋହନଙ୍କ ହାତରେ ହିଁ ରାଜ୍ୟ ବିଜେପିର ନେତୃତ୍ୱ ରହିବ ।
ମନମୋହନ ସାମଲ ପୂର୍ବରୁ ଦୁଇ ଥର ଓଡ଼ିଶା ବିଜେପିର ସଭାପତି ରହିସାରିଛନ୍ତି । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟ ସଭାପତି ଭାର ତୁଲାଇଥିଲେ । ସେତେବେଳେ ରାଜ୍ୟରେ ମେଣ୍ଟ ସରକାର ଥିଲା । ଏହାପରେ ୨୦୨୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷେ ପୂର୍ବରୁ ୨୦୨୩ ମାର୍ଚ୍ଚରେ ଦଳ ତାଙ୍କୁ ଗୁରୁଦାୟିତ୍ୱ ଦେଇ ପୁଣି ଥରେ ରାଜ୍ୟ ସଭାପତି କରିଥିଲା । ତାଙ୍କ ନେତୃତ୍ୱରେ ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ବିପୁଳ ସଫଳତା ପାଇଥିଲା । ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲା । ସେହିପରି ୨୧ରୁ ୨୦ ସଂସଦୀୟ ଆସନରେ ବିଜେପି ବିଜୟୀ ହୋଇଥିଲା ।
କଳା ଏବଂ ଓକିଲାତିରେ ସ୍ନାତକ ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ଏବିଭିପିର ସଦସ୍ୟ ହୋଇଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୦୪ ବିଧାନସଭା ନିର୍ବାଚନରେ ଧାମନଗରରୁ ନିର୍ବାଚିତ ହୋଇଥିଲେ ମନମୋହନ । ୨୦୦୪ରୁ ୨୦୦୯ ଯାଏ ବିଧାୟକ ଥିବା ମନମୋହନ ମେଣ୍ଟ ସରକାରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜସ୍ବ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।