ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ଭାଷା ବିବାଦ ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ଜୋର ଧରଛି । ଶେଷରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବିଜେପି ସାଂସଦଙ୍କ ବୟାନ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ନିଶିକାନ୍ତ ଦୁବେ ସବୁ ମରାଠିଙ୍କ କଥା କହିନାହାନ୍ତି । ସେ ସେହି ସଂଗଠନ ବାବଦରେ କହିଛନ୍ତି, ଯେଉଁମାନେ ବିବାଦ ସୃଷ୍ଟି କରୁଛନ୍ତି ।
ଫଡନାବିସ କହିଛନ୍ତି, 'ନିଶିକାନ୍ତି ଦୁବେ ଯାହା ବି କହିଛନ୍ତି, ତାହା ସାଧାରଣ ମରାଠି ଲୋକଙ୍କୁ ନେଇ ନୁହେଁ, ବରଂ ସେହି ସଂଗଠନକୁ ନେଇ, ଯେଉଁମାନେ ବିବାଦ ବଢାଉଛନ୍ତି ।' ତେବେ ବିଜେପି ସାଂସଦଙ୍କ ବୟାନଠାରୁ ନିଜ ଦୂରେଇ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଶିକାନ୍ତ ଦୁବେଙ୍କ ବୟାନ ଠିକ୍ ନଥିବା ମୁଁ ଅନୁଭବ କରୁଛି । ଫଡନାବିସ କହିଛନ୍ତି, 'ଭାରତର ବିକାଶରେ ମହାରାଷ୍ଟ୍ରର ବହୁତ ବଡ଼ ଯୋଗଦାନ ରହିଛି । କେବେ ମଧ୍ୟ ଏହାକୁ ଅସ୍ୱୀକାର କରିପାରିବ ନାହିଁ । ଯଦି କେହି ଏପରି କରୁଛି, ତେବେ ସେ ସମ୍ପୂର୍ଣ୍ଣ ରୂପେ ଭୁଲ ।'
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ନବନିର୍ମାଣ ସେନା ଭାଷାକୁ ଗୁଣ୍ଡାଗିରି କରୁଛି । ମହାରାଷ୍ଟ୍ରରେ ରହୁଥିବା ଲୋକଙ୍କୁ ମରାଠି ଆସିବା ଦରକାର କହି ଲୋକଙ୍କ ସହ ମାରପିଟ୍ କରିବା ଆତଙ୍କରାଜ ଖେଳାଇବାକୁ ଚେଷ୍ଟା କରୁଛି । ଗତ କିଛି ଦିନରେ ଏମଏନଏସ୍ କର୍ମୀ ହିନ୍ଦୀ ଭାଷାଭାଷୀର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଯାହାକୁ ନେଇ ଏବେ ବିବାଦ ବଢିଛି । ସେପଟେ ଏହି ଆକ୍ରମଣ ଉପରେ ନିଜ ଆକ୍ରୋଶ ପ୍ରକାଶ କରି ଦୁବେ କହିଥିଲେ, ଯଦି ଆପଣ ହିନ୍ଦୀ ଭାଷା କହୁଥିବା ଲୋକଙ୍କୁ ମାଡ଼ ମାରୁଛନ୍ତି, ତେବେ ଉର୍ଦୁ, ତାମିଲ, ତେଲୁଗୁ କହୁଥିବା ଲୋକଙ୍କୁ ମାଡ଼ ମାରି ଦେଖାଅ । ଯଦି ତୁମେ ଏତେ ବଡ଼ ଗୁଣ୍ଡା, ତେବେ ମହାରାଷ୍ଟ୍ରରୁ ବାହାରି ୟୁପି, ବିହାର ଆସିକି ଦେଖାଅ । ତେବେ ନିଜ ବୟାନରେ ମହାରାଷ୍ଟ୍ର ଓ ମରାଠି ଭାଷା ପାଇଁ ଯଥେଷ୍ଟ ସମ୍ମାନ ଥିବା କହିଥିଲେ ।