ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ ଘୋଷଣା ସହିତ ପାକିସ୍ତାନ ସହ ଡିଲ୍ ଓ ଭାରତକୁ ତାଚ୍ଛଲ୍ୟ ପରେ ଯଦି ଓ ଭାରତ କୌଣସି କଡ଼ା ପ୍ରତିକ୍ରିୟା ଦେଇ ନାହିଁ। ତେବେ ଆମେରିକା ସହ ଭାରତର ସମ୍ପର୍କ ଯେ ଖରାପ ହୋଇଯାଇଛି ଏକଥା ସ୍ପଷ୍ଟ ଜଣାପଡ଼ିଲାଣି। ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ନେଇ ଭାରତ ଏଥର ପ୍ରତିକ୍ରିୟା ଦେଇଛି।
ହ୍ୱାଇଟ ହାଉସ୍କୁ ଏହି ପ୍ରଶ୍ନ ପଚରାଯିବା ଉଚିତ ଯେ କଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୁଦ୍ଧ ଓ ସଂଘର୍ଷ ରୋକିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍? ହ୍ୱାଇଟ୍ ହାଉସର ଏଭଳି ଦାବି ବିଷୟରେ ଶୁକ୍ରବାର ପ୍ରଶ୍ନ ପଚରାଯିବାରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏହି ଜବାବ ଦେଇଛନ୍ତି। ସେ କହିଛନ୍ତି “ଦୟାକରି ଆପଣଙ୍କର ଏ ପ୍ରଶ୍ନ ସେମାନଙ୍କୁ ପଚାରନ୍ତୁ।”
ଗୁରୁବାର ହ୍ୱାଇଟ୍ ହାଉସ୍ ପ୍ରେସ ସଚିବ କାଲିନେ ଲେଭିଟ୍ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଥାଇଲ୍ୟାଣ୍ଡ- କାମ୍ବୋଡିଆ, ଇସ୍ରାଏଲ ଏବଂ ଇରାନ, ରୱାଣ୍ଡା ଏବଂ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ, ଭାରତ ଏବଂ ପାକିସ୍ତାନ, ସର୍ବିଆ ଏବଂ କୋସୋଭୋ, ଏବଂ ମିଶର-ଇଥିଓପିଆ ମଧ୍ୟରେ ବିବାଦର ଅନ୍ତ କରିଛନ୍ତି। ଏହାର ଅର୍ଥ ହେଉଛି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଛଅ ମାସର କାର୍ଯ୍ୟକାଳ ମଧ୍ୟରେ ପ୍ରତି ମାସରେ ହାରାହାରି ପ୍ରାୟ ଗୋଟିଏ ଶାନ୍ତି ଚୁକ୍ତି କିମ୍ବା ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାର ସମୟ ବହୁତ ପୂର୍ବରୁ ହିଁ ଆସି ସାରିଛି।
ଟ୍ରମ୍ପ ୩୦ରୁ ଅଧିକ ଥର ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିଥିବା କଥା କହୁଛନ୍ତି। ହେଲେ କେନ୍ଦ୍ର ସରକାର ସିଧାସଳଖ ଟ୍ରମ୍ପଙ୍କ ନାଁ ନନେଇଥିଲେ ବି ଯୁଦ୍ଧ ରୋକିବାକୁ କୌଣସି ବିଶ୍ୱ ନେତା ପ୍ରେସର ପକାଇ ନଥିଲେ ବୋଲି ହି ଆସୁଛନ୍ତି। ରଣଧୀର ଜୈୟସ୍ୱାଲ ମଧ୍ୟ ମୋଦୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱର କୌଣସି ନେତା ଭାରତକୁ ଅପରେସନ ସିନ୍ଦୂର ରୋକିବାକୁ କହି ନଥିଲେ।
ଜୟସ୍ୱାଲ ଟ୍ରମ୍ପଙ୍କ ପାକିସ୍ତାନ ଭାରତକୁ ତେଲ ବିକିବ ବୋଲି କହି ତାଚ୍ଛଲ୍ୟ କରିବା, ଋଷ ସହ କାରବାର ଆଦି ବିଷୟ ନେଇ ଭାରତର ମତ ରଖିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ଲଗାଯାଇଥିବା ୨୫% ଶୁଳ୍କକୁ ନଜର ରଖାଯାଇଛି। ଏହି ପଦକ୍ଷେପର ଅଧ୍ୟୟନ ଏବଂ ସମୀକ୍ଷା ହେଉଛି। ତେବେ ପାକିସ୍ତାନ ଭାରତକୁ ତେଲ ବିକ୍ରି କରିବାର ନେଇ ଟ୍ରମ୍ପଙ୍କ ତାଚ୍ଛଲ୍ୟ ବିଷୟରେ ପଚାରିବାରୁ ସେ କହିଛନ୍ତି ଏଥିରେ ଆମର କିଛି କହିବାର ନାହିଁ।
ସେହିପରି ଋଷ ସହ ସମ୍ପର୍କକୁ ନେଇ ଜୟସ୍ୱାଲ କହିଛନ୍ତି “ଯେକୌଣସି ଦେଶ ସହିତ ଆମ ସମ୍ପର୍କ ଯୋଗ୍ୟତା ଆଧାରରେ ହୋଇଛି। ଏହାକୁ ତୃତୀୟ ଦେଶର ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ। ଭାରତ-ରୁଷ ସମ୍ପର୍କ ବିଷୟରେ, ଆମର ଏକ ସ୍ଥିର ଏବଂ ସମୟ-ପରୀକ୍ଷିତ ସହଯୋଗୀତା ରହିଛି।”