ଆମେରିକା-ରୁଷ ଯୁଦ୍ଧ ହୁଏ, କେଉଁ ଦେଶ ବିଜୟୀ ହେବ ? କିଏ ଅଧିକ ଶକ୍ତିଶାଳୀ ?

NEWS7
weekend-shutdown-not-imposed-at-puri-in-this-week

ନୂଆଦିଲ୍ଲୀ: ଯୁଦ୍ଧ ମୁହାଁ ପୃଥିବୀର ଦୁଇ ମହାମେରୁ। ଆମେରିକା-ରୁଷ। ଭେନେଜୁଏଲା ତୈଳ ଭଣ୍ଡାରକୁ ନେଇ ଦୁଇ ସୁପରପାଓ୍ୱାର ମୁହାଁମୁହିଁ। ରୁଷ ତେଲ ଟ୍ୟାଙ୍କରକୁ ଆମେରିକୀୟ ସେନା ଜବତ କରିବା କ୍ରୋଧରେ ଜର୍ଜରିତ ପୁଟିନ। ଏବେ କେବଳ ଆକ୍ସନକୁ ଅପେକ୍ଷା। ବିଶେଷଜ୍ଞଙ୍କ ଚେତାବନୀ ଆମେରିକାର ଏକପାଖିଆ ପଦକ୍ଷେପ ଓ ରୁଷିଆକୁ ଟାର୍ଗେଟ କରିବା ବିଶ୍ୱ ପାଇଁ ବିପଦ। ଏହା ମହାଯୁଦ୍ଧର ଅୟଂ ଆରମ୍ଭ। ଯଦି ଆମେରିକା-ରୁଷ ଯୁଦ୍ଧ ହୁଏ ତେବେ କେଉଁ ଦେଶ ବିଜୟୀ ହେବ ? କିଏ ଅଧିକ ଶକ୍ତିଶାଳୀ? ଆମେରିକା ନା ରୁଷ ?

ଯେତେବେଳେ ପାଓ୍ୱାର କଥା ଆସେ, ପ୍ରଥମେ ମନକୁ ଚାଲିଆସେ ନ୍ୟୁକ୍ଲିଅର ପାଓ୍ୱାର ବା ପରମାଣୁ ଶକ୍ତି। ପରମାଣୁକ୍ଷମତାର ସମ୍ପନ୍ନ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ହେଲେ ରୁଷ ଏବଂ ଆମେରିକା। ଜାଣିଛନ୍ତି କାହା ପାଖରେ ରହିଛି କେତେ ଶକ୍ତି? ଏବେ ନଜର ପକାଇବା ଦୁଇ ଦେଶର ସାମରିକ ଶକ୍ତି ଉପରେ।ରୁଷ ପାଖରେ ପ୍ରାୟ ୫,୫୮୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ଏଥିମଧ୍ୟରୁ ୧,୭୧୦ ନିୟୋଜିତ ହୋଇଛି। ସେହିପରି ଆମେରିକା ପାଖରେ ପ୍ରାୟ ୫,୪୨୮ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ଏଥିମଧ୍ୟରୁ ୧୬୪୪ ନିୟୋଜିତ ହୋଇଛି। ଦୁଇ ଦେଶ ପ୍ରାୟ ସମାନ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ରଖିଛନ୍ତି, କିନ୍ତୁ ବ୍ୟବହାର ପାଇଁ ପ୍ରସ୍ତୁତ ଅସ୍ତ୍ରଶସ୍ତ୍ର ସଂଖ୍ୟାରେ ସାମାନ୍ୟ ପାର୍ଥକ୍ୟ ଅଛି। ରୁଷ ପାଖରେ ଟିକେ ବଡ଼ ଭଣ୍ଡାର ଅଛି, କିନ୍ତୁ ଆମେରିକା ଏହାର ଅସ୍ତ୍ରଶସ୍ତ୍ର ଆଧୁନିକୀକରଣ ଉପରେ ଅଧିକ ଧ୍ୟାନ ଦେଉଛି।

ରୁଷିଆ ପାଖରେ RS-28 SARMAT- ଶତନ୍-2 ପରି ହାଇପରସୋନିକ୍ ବାଲିଷ୍ଟିକ୍ ମିଶାଇଲ ରହିଛି। ଯାହାର ରେଞ୍ଜ ୧୮ ହଜାର କିଲୋମିଟର। ଏହାର ବେଗ ଘଣ୍ଟାପ୍ରତି ୨୪ ହଜାର ୫୦୦ କିଲୋମିଟର। ଏହା ଏକକାଳୀନ ଅନେକ ସ୍ଥାନରେ ଆକ୍ରମଣ କରିପାରିବ। ରୁଷିଆରେ ୬୩ଟି ମୋବାଇଲ୍ ଏବଂ ୧୦ଟି ସାଇଲୋ ଲଞ୍ଚର୍ ଅଛି। ରୁଷିଆନ୍ କ୍ଷେପଣାସ୍ତ୍ର ଦ୍ରୁତ ଏବଂ ସଠିକ୍, କିନ୍ତୁ ସେମାନଙ୍କର ପ୍ରଯୁକ୍ତିବିଦ୍ୟା ପୁରୁଣା ହେବାରେ ଲାଗିଛି।ଆମେରିକୀୟ ମିନିଟ୍ମ୍ୟାନ୍-3 ପରି ଶକ୍ତିଶାଳୀ ମିଶାଇଲ ରହିଛି। ଯାହାର ରେଞ୍ଜ ୧୦ ହଜାର କିଲୋମିଟର। ଘଣ୍ଟା ପ୍ରତି ବେଗ 28,200 କିଲୋମିଟର। ଏହା ୪୭୫ କିଲୋଟନ୍ ଯୁଦ୍ଧାସ୍ତ୍ର ବହନ କରିପାରିବ। ସେହିପରି ସେଣ୍ଟିନେଲ୍ ICBM ଏକ ନୂଆ ଜେନେରେସନର ମିଶାଇଲ ଯାହା ମହାକାଶରେ ସାଟେଲାଇଟକୁ ଧ୍ୱଂସ କରିବାର କ୍ଷମତା ରହିଛି। ଆମେରିକୀୟ ମିଶାଇଲଗୁଡ଼ିକ ଆଧୁନିକ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ। ଉଭୟ ଦେଶର ମିଶାଇଲ ପରସ୍ପରର ଦେଶକୁ ସହଜରେ ପହଞ୍ଚି ପାରିବ। କିନ୍ତୁ ଆମେରିକାର ନୂତନ ମିଶାଇଲ ଏବଂ ଏହାର ଟାର୍ଗେଟ୍ ରୁଷ ଅପେକ୍ଷା ଉନ୍ନତ ବୋଲି ବିବେଚନା କରାଯାଏ।

ରୁଷର ଜାର ବମ୍। ପାଓ୍ୱାର 50-ମେଗାଟନ୍। ଏହି ବମ୍ ହିରୋସିମା ବୋମା ଅପେକ୍ଷା ୩୩୦୦ ଗୁଣ ଅଧିକ ଶକ୍ତିଶାଳୀ। ସେହିପରି ଆମେରିକାର B2 ବମ୍ବର ସବୁଠୁ ଘାତକ ଓ ଶକ୍ତିଶାଳୀ। ୨୫-ମେଗାଟନ୍ ବିଶିଷ୍ଟ B-41 ହାଇଡ୍ରୋଜେନ୍ ବୋମାକୁ ଏବେ କ୍ଷୁଦ୍ରକରଣ କରାଯାଇ ମିଶାଇଲରେ ବ୍ୟବହାର କରୁଛି ଆମେରିକା। ରୁଷିଆର ଜାର ବୋମା ବୈଷୟିକ ଭାବରେ ସବୁଠାରୁ ଶକ୍ତିଶାଳୀ ହେଲେବି ଆମେରିକା ପାଖରେ ଅଧିକ ସଂଖ୍ୟକ ଛୋଟ ଘାତକ ବୋମା ଅଛି।ଗ୍ଲୋବାଲ୍ ଫାୟାରପାୱାର ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକାରେ ଆମେରିକା ଥିଲେ ବି ସାମରିକ କ୍ଷେତ୍ରରେ ରୁଷର ବି ପାଓ୍ୱାର ରହିଛି। ଆମେରିକାର ସୈନ୍ୟବାହିନୀରେ ମୋଟ ସୈନ୍ୟ ସଂଖ୍ୟା ୧୩ ଲକ୍ଷ ୨୮ ହଜାର। ଯେତେବେଳେ ରୁଷୀୟ ସୈନ୍ୟବାହିନୀରେ ମୋଟ ସୈନ୍ୟ ସଂଖ୍ୟା ୧୩ ଲକ୍ଷ ୨୦ ହଜାର।ରିଜର୍ଭ ଫୋର୍ସରେ ଆମେରିକାର ସୈନ୍ୟ ସଂଖ୍ୟା ୭ ଲକ୍ଷ ୯୯,୫୦୦ ଥିବାବେଳେ ଯେତେବେଳେ ରୁଷୀୟ ସୈନ୍ୟ ସଂଖ୍ୟା ୨୦ ଲକ୍ଷ ।

୨୦୨୪ ପାଇଁ ଆମେରିକାର ପ୍ରତିରକ୍ଷା ବଜେଟ୍ ୮୨୦ ବିଲିୟନ ଡଲାର। ରୁଷୀୟ ସୈନ୍ୟବାହିନୀର ପ୍ରତିରକ୍ଷା ବଜେଟ୍ ୧୨୬ ବିଲିୟନ ଡଲାର। ଆମେରିକାର ସୈନ୍ୟବାହିନୀର ୪,୬୫୭ ଟ୍ୟାଙ୍କ ଅଛି, ଯେତେବେଳେ ରୁଷୀୟ ସୈନ୍ୟବାହିନୀର ୧୪,୭୭୭ ଟ୍ୟାଙ୍କ ଅଛି।ଆମେରିକାର ସୈନ୍ୟବାହିନୀର ୩,୬୦ ହଜାର ୬୯ ସଶସ୍ତ୍ର ଯାନ ଅଛି, ଯେତେବେଳେ ରୁଷୀୟ ସୈନ୍ୟବାହିନୀର ୧ ଲକ୍ଷ ୬୧ ହଜାର ୩୮୨ ସଶସ୍ତ୍ର ଯାନ ଅଛି। ଆମେରିକାର ସୈନ୍ୟବାହିନୀରେ ୧,୫୯୫ ସ୍ୱୟଂ-ଚାଳିତ ତୋପ ଅଛି ଯେତେବେଳେ ରୁଷୀୟ ସୈନ୍ୟବାହିନୀରେ ରହିଛି ୬,୨୦୮। ଆମେରିକାର ସୈନ୍ୟବାହିନୀର ମୋଟ ୬୯୪ ରକେଟ୍ ଲଞ୍ଚର୍ ଅଛି।

ରୁଷ ସେନାରେ ରକେଟ୍ ଲଞ୍ଚର ସଂଖ୍ୟା ୩୦୬୫। ଆମେରିକାରେ ମୋଟ ବିମାନ ସଂଖ୍ୟା ୧୩ ହଜାର ୨୦୯ ଥିବା ବେଳେ ରୁଷରେ ମୋଟ ବିମାନ ସଂଖ୍ୟା ୪ ହଜାର ୨୫୫।ଆମେରିକା ବାୟୁସେନାରେ ଫାଇଟର ଜେଟ ସଂଖ୍ୟା ୧୮୫୪। ରୁଷ ବାୟୁସେନାରେ ଫାଇଟର ଜେଟ୍ ସଂଖ୍ୟା ୮୦୯। ଆମେରିକା ବାୟୁସେନାରେ ଆଟାକ୍ ଜେଟ୍ ସଂଖ୍ୟା ୮୯୬। ରୁଷ ବାୟୁସେନାରେ ଆଟାକ ଜେଟ୍ ସଂଖ୍ୟା ୭୩୦। ଆମେରିକା ବାୟୁସେନାରେ ଟ୍ରାନ୍ସପୋର୍ଟ ବିମାନ ସଂଖ୍ୟା ୯୫୭। ରୁଷ ବାୟୁସେନାରେ ଟ୍ରାନ୍ସପୋର୍ଟ ବିମାନ ସଂଖ୍ୟା ୪୫୩। ଆମେରିକା ବାୟୁସେନାରେ ମୋଟ ହେଲିକପ୍ଟର ସଂଖ୍ୟା ୫ ହଜାର ୭୩୭। ସେହିପରି ରୁଷ ବାୟୁସେନାରେ ମୋଟ ହେଲିକପ୍ଟର ସଂଖ୍ୟା ୧ ହଜାର ୫୪୭।ଆମେରିକାର ବାୟୁସେନାର ନୌସେନା ଶକ୍ତି ୪୭୨ ଥିବା ବେଳେ ରୁଷିଆର ବାୟୁସେନାର ନୌସେନା ଶକ୍ତି ୭୮୧।

ଆମେରିକାର ନୌସେନାର ୧୧ଟି ଏୟାରକ୍ରାଫ୍ଟ କ୍ୟାରିୟର ଅଛି। ରୁଷିଆର ମାତ୍ର ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ରହିଛି। ଆମେରିକାର ନୌସେନାର ନଅଟି ହେଲିକପ୍ଟର କ୍ୟାରିୟର ଅଛି, କିନ୍ତୁ ରୁଷିଆ ପାଖରେ କୌଣସି ହେଲିକପ୍ଟର କ୍ୟାରିୟର ନାହିଁ।ଆମେରିକାର ନୌସେନାର ୬୪ଟି ବୁଡ଼ାଜାହାଜ ଅଛି। ରୁଷିଆ ନୌସେନାର ୬୫ଟି ବୁଡ଼ାଜାହାଜ ଅଛି। ଆମେରିକାର ନୌସେନାର ୭୫ଟି ବିଧ୍ୱଂସକ ଅଛି, ଯେତେବେଳେ ରୁଷିଆନ ନୌସେନାର ୧୪ଟି ବିଧ୍ୱଂସକ ଅଛି। ଆମେରିକାର ନୌସେନାର ୨୩ଟି କର୍ଭେଟ୍ ଅଛି, ଯେତେବେଳେ ରୁଷିଆନ ନୌସେନାର ୮୩ଟି କର୍ଭେଟ ଅଛି। ରୁଷିଆନ ନୌସେନାର ୧୨ଟି ଫ୍ରିଗେଟ୍ ଥିବା ବେଳେ ଆମେରିକାର ନୌସେନାର କୌଣସି ଫ୍ରିଗେଟ୍ ନାହିଁ।ଏଠି ପ୍ରଶ୍ନ- ଯଦି ଏହି ଦୁଇ ଦେଶ ପରମାଣୁ ଯୁଦ୍ଧ ଲଢ଼ନ୍ତି, ତେବେ କିଏ ଜିତିବ? ଉତ୍ତର ସହଜ ନୁହେଁ, କାରଣ। ଉଭୟ ପାର୍ଶ୍ୱରେ ରହିଛି ବିନାଶକାରୀ ଅସ୍ତ୍ର।

ଉଭୟ ଦେଶ ପରସ୍ପରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରଖିଛନ୍ତି। ଯଦି ସେମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ, ତେବେ ଲକ୍ଷ ଲକ୍ଷ ଲୋକ ମରିଯିବେ। ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ।ରୁଷିଆର ବଡ଼ ଅସ୍ତ୍ରଶସ୍ତ୍ର ଭଣ୍ଡାର ଅଛି। ଏହାର ମିଶାଇଲ ଦ୍ରୁତ ଗତିରେ ଆକ୍ରମଣ କରିପାରିବ। ଆମେରିକାର ପ୍ରଯୁକ୍ତିବିଦ୍ୟା, ଉପଗ୍ରହ ଏବଂ ପ୍ରତିରକ୍ଷା ବ୍ୟବସ୍ଥା ଯେପରିକି ବାୟୁ ପ୍ରତିରକ୍ଷା ରୁଷିଆର ଅପେକ୍ଷା ଉତ୍କୃଷ୍ଟ। ଏହାର ନୂତନ କ୍ଷେପଣାସ୍ତ୍ର ଏବଂ ବୁଡ଼ାଜାହାଜ ରୁଷ ପାଇଁ ବିପଦ ସୃଷ୍ଟି କରିପାରେ। ଏହା ସହିତ ନାଟୋ ଦେଶଗୁଡ଼ିକର ସମର୍ଥନ ମଧ୍ୟ ଆମେରିକାକୁ ମଜବୁତ କରେ। ସେହିପରି ରୁଷକୁ ସମର୍ଥନ କରିପାରନ୍ତି ଚୀନ, ଉତ୍ତର କୋରିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର। ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ପରମାଣୁ ଯୁଦ୍ଧରେ କାହାର ବିଜୟ ହେବ ନାହିଁ। ଉଭୟ ଦେଶ ଏତେ କ୍ଷତି ସହିବେ ଯେ ଏପରିକି ବିଜେତା ମଧ୍ୟ ପରାଜୟ ସ୍ୱୀକାର କରିବେ।