ରାଜ୍ୟସଭା ଗଣିତ ଏବେ ଜଟିଳ : ବିଜେପି ଦେବ ୩ ପ୍ରାର୍ଥୀ , ବିରୋଧି ଶିବିରରେ ଅଲ୍ ଇଜ୍ ନଟ୍ ୱେଲ୍ , ଚତୁର୍ଥ ଆସନ ଯିବ କୁଆଡେ

NEWS7
weather-update-next-rain-flood-in-odisha

ଭୁବନେଶ୍ଵର: ରାଜ୍ୟ ସଭାକୁ କିଏ ଯିବେ ? ଶାସକ ନା ବିରୋଧି କିଏ କରିବେ ବାଜିମାତ୍ । ସଂଖ୍ୟା ଗଣିତରେ ଶାସକ ଭାରତୀୟ ଜନତା ପାର୍ଟିର ୨ ଏବଂ ମୁଖ୍ୟ ବିରୋଧି ଦଳ ବିଜୁଜନତା ଦଳର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ନିଶ୍ଚିତ । କିନ୍ତୁ ଚତୁର୍ଥ ଆସନରେ କିଏ ଯିବେ ରାଜ୍ୟସଭା , ଏହା ହିଁ ବଡ ପ୍ରଶ୍ନ । ଏହା କେବଳ ପ୍ରଶ୍ନ ହୋଇନି ଏଥିରେ ପ୍ରଭାବ , ପତିଆରା,ରଣନୀତି ଶବ୍ଦ ସାଙ୍ଗକୁ ବଡ ଚର୍ଚ୍ଚା ଯୋଡି ହୋଇଛି, ତାହା ହେଲା କ୍ରସ ଭୋଟିଂ ଆଉ ଘୋଡା ବେପାର ।

ରାଜ୍ୟସଭାର ୪ର୍ଥ ପ୍ରାର୍ଥିଙ୍କୁ ନେଇ ଘମାସାନ । ବିଜେଡି ୪ର୍ଥ ପ୍ରାର୍ଥି ଭାବେ ଡାକ୍ତର ଦତ୍ତେଶ୍ବର ହୋତା ଙ୍କ ନାଁ ଘୋଷଣା କରିବା ପରେ ଏବେ ବିଜେପି ଶିବିରରେ ଏହାକୁ ନେଇ ଛକାପଞ୍ଛା । କାରଣ ବିଜେପି ମଧ୍ୟ ୩ ଜଣ ପ୍ରାର୍ଥି ଦେବ ବୋଲି ଘୋଷଣା କରି ଦତ୍ତେଶ୍ବରଙ୍କ ବିରୋଧରେ ପ୍ରାର୍ଥି ଠିଆ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛି । ସେପଟେ କଂଗ୍ରେସ ପକ୍ଷରୁ ଡାକ୍ତର ଦତ୍ତେଶ୍ବରଙ୍କ ନାଁ ଉପରେ ମୋହର ବାଜିଥିଲେ ହେଁ ବିଧାୟକ ଦଳ ବୈଠକରେ ୨ ଜଣ ବିଧାୟକଙ୍କ ଅନୁପସ୍ଥିତି ଦଳ ଭିତରେ ଥିବା ଫାଟକୁ ସାମ୍ନାକୁ ଆଣିଛି । ଏହାସତ୍ତ୍ବେ ଆଜି କଂଗ୍ରେସ ବିଧାୟକଙ୍କୁ ଭେଟି ଦତ୍ତେଶ୍ବର ସମର୍ଥନ ଲୋଡିଛନ୍ତି ।

Also read: IMDର ପୂର୍ବାନୁମାନ, ଚଳିତବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ସଂତୃପ୍ତ ମିଶ୍ରଙ୍କ ସହ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଯଣା କରିବା ପରେ ହିଁ ଚର୍ଚ୍ଚା ଅଧିକ ବଢିଗଲା । ବ୍ୟକ୍ତିତ୍ବ, ଯୋଗ୍ୟତା ଆଦି କାରଣରୁ ଡାକ୍ତର ଦତ୍ତେଶ୍ବରଙ୍କ ସପକ୍ଷରେ ମତ ରହିବା ସ୍ବାଭାବିକ । କାରଣ ସେ ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ହାସଲ କରିଥିବା ଜଣେ ସଫଳ ଓ ସୁନାମଧନ୍ୟ ଚିକିତ୍ସକ । କିନ୍ତୁ ସେଥିରେ କେଁ ଧରିଲା ବିଜେଡିକୁ କଂଗ୍ରେସର ସମର୍ଥନ । ଯଦିଓ ଏହାକୁ ଦଳର ସମର୍ଥନ ଅପେକ୍ଷା ପ୍ରାର୍ଥୀଙ୍କୁ ସମର୍ଥନ ବୋଲି କୁହାଯାଇପାରେ । ଚତୁର୍ଥ ପ୍ରାର୍ଥୀଙ୍କ ଲାଗି ବିଜେଡି ପାଖରେ ଆବଶ୍ୟକ ସଂଖ୍ୟରେ ସମର୍ଥନ ନାହିଁ । ଦୁଇ ଜଣ ଦଳୀୟ ବିଧାୟକ ଦଳରୁ ସସ୍ପେଣ୍ଡ । ତେଣୁ ସେମାନେ କାହାକୁ ସମର୍ଥନ ଦେବେ ତାହା ଅସ୍ପଷ୍ଟ । ତା ସାଙ୍ଗକୁ ଦଳରେ ବିଦ୍ରୋହ କରି ବିତାଡିତ ହୋଇଥିବା ପ୍ରଭାତ ବିଶ୍ବାଳ ବି ମୁଣ୍ଡବ୍ୟଥାର କାରଣ ।

Also read: ଘୋଷଣା ହେଲା ରତ୍ନଭଣ୍ଡାର ଗଣତିମଣତି ତାରିଖ, ଏସଓପି ଅନୁସାରେ ହେବ କାର୍ଯ୍ୟ

ସେପଟେ ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ କଂଗ୍ରେସରେ ମଧ୍ୟ ଅଲ୍ ଇଜ୍ ନଟ୍ ୱେଲ୍ । ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ସଙ୍କେତ ଦେବାପରେ ବିଧାୟକ ଦଳ ବୈଠକ ଡକାଯାଇଥିଲା । କିନ୍ତୁ ସେହି ବୈଠକକୁ ଯାଇନଥିଲେ କଂଗ୍ରେସର ୪ ବିଧାୟକ । ଶୁଣାଗଲା ଯେ, ରାମଚନ୍ଦ୍ର କାଡାମଙ୍କ ଘରେ ବୈଠକକୁ ବିରୋଧ କରି ଏହି ନେତାମାନେ ସେଠାକୁ ଯିବାକୁ ଚାହିଁ ନଥିଲେ । ଯେଉଁ ନେତାମାନେ ଅରାଜି ଥିଲେ ସେମାନଙ୍କ ଭିତରେ ଥିଲେ ତାରା ବାହିନୀପତି, ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଏବଂ ଦାସରଥି ଗମାଙ୍ଗ । ଫଳରେ ସେଠାରୁ ବୈଠକ ବାତିଲ କରି ଏକ ହୋଟେଲରେ ବୈଠକ କରାଯାଥିଲା ।

ତା ପରେ ମଧ୍ୟ ହୋଟେଲ ବୈଠକକୁ ୨ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ ଏବଂ ରମେଶ ଜେନା ଯାଇନଥିଲେ । ତେବେ ହୋଟେଲରେ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ ରାଜ୍ୟସଭା ପ୍ରାର୍ଥି ଡାକ୍ତର ଦତ୍ତେଶ୍ବର ହୋତା । ସେ ସେଠାରେ ଥିବା କଂଗ୍ରେସ ବିଧାୟକଙ୍କୁ ତାଙ୍କ ସପକ୍ଷରେ ଭୋଟଦେବାକୁ ଅପିଲ କରିଥିଲେ । ସେଠାରେ ଉପସ୍ଥିତ କଂଗ୍ରେସ ବିଧାୟକ ମାନେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ ଆଶ୍ବସନା ଦେଇଥିଲେ ।

Also read: ଭ୍ୟାନିଟି ବ୍ୟାଗ୍ ନେଇଗଲା ମାଙ୍କଡ଼, ଶ୍ରୀମନ୍ଦିର ଗୁମୁଟରେ ଚଢି ବାଡ଼େଇଲେ ଭକ୍ତ

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସରେ ଘମାସାନ ଚାଲିଥିବା ବେଳେ ବିଜେପି ମଧ୍ୟ ୩ ଜଣ ପ୍ରାର୍ଥିଙ୍କୁ ମୈଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛି । ଏନେଇ ସମସ୍ତ ବିଧାୟକଙ୍କ ଦସ୍ତଖତ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଅର୍ଥାତ ୪ର୍ଥ ସିଟ୍ ମୁକାବିଲା ପାଇଁ ବିଜେପି ଅଣ୍ଟା ଭିଡୁଥିବା ସ୍ପଷ୍ଟ ହୋଇଛି । ଯଦି ଏହାହୁଏ ତାହାଲେ ୪ର୍ଥ ସିଟ୍ କିଭଳି ବିଜେପି ହାତେଇବ ସେନେଇ ରଣନୀତି କରିବ ଦଳ । ବିଶେଷକରି ବିଜେଡି ଏବଂ କଂଗ୍ରେସରୁ କ୍ରସ ଭୋଟିଙ୍ଗ ଜରିଆରେ ୪ର୍ଥ ପ୍ରାର୍ଥି ଜିତାଇବାଇବାକୁ ବିଜେପି ବ୍ଲୁ ପ୍ରିଣ୍ଟ କରିଥିବା ଚର୍ଚ୍ଚା ହେଉଛି । ବିଜେପି ସହ ଆଲୋଚନା ନକରି ବିଜେଡି ଯେହେତୁ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ୪ର୍ଥ ପ୍ରାର୍ଥି ଘୋଷଣା କରିଛି ଏହାକୁ ସମାଲୋଚନା କରିଛି ବିଜେପି । କମନ କ୍ୟାଣ୍ଡିଡେଟ କହିବା ପୂର୍ବରୁ ସବୁ ଦଳ ସହ ଆଲୋଚନା ହେବା ଜରୁରି ଥିଲା ବୋଲି ବିଜେପି ଅଭିଯୋଗ କରିଛି । ଏହାନହେବା ଅସୁସ୍ଥ ପରମ୍ପରା ବୋଲି କହିଛି ବିଜେପି । ସେପଟେ ବିଜେଡିର ଯୁକ୍ତି ଡାକ୍ତର ହୋତା ହେଉଛନ୍ତି ବିଜେଡି ଓ କଂଗ୍ରେସର ସମର୍ଥିତ ପ୍ରାର୍ଥି । ସେ କେଉଁ ଦଳର ନୁହଁନ୍ତି । ତେଣୁ ଅସୁସ୍ଥପରମ୍ପରା କେଉଁଠି ସୃଷ୍ଟି ହେଲା ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି ।

କ୍ରସ୍ ଭୋଟିଂ, ଘୋଡା ବେପାରର ଚର୍ଚ୍ଚାରେ ଚତୁର୍ଥ ପ୍ରାର୍ଥୀଙ୍କ ଭାଗ୍ୟ ଝୁଲୁଛି । କଣ ହେବ ତାହା ଏବେଠୁ କହିବା କାଠିକର । ତେବେ ଏପରି ସରଗରମ ରାଜନୀତିରେ ବରିଷ୍ଠ ରାଜନିତିଜ୍ଞ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ‌ଯୁକ୍ତି ସହ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଜିତାଇବାକୁ ଅପିଲ କରିଛନ୍ତି । ଦେଖାଯାଉ ଆମ ବିଧାୟକ ମାନେ କାହାକୁ ଯୋଗ୍ୟ ଭାବୁଛନ୍ତି ?