ସୁପର ୮ ପୂର୍ବରୁ ଶେଷ ଲିଗ୍ ମ୍ୟାଚ୍, ଅହମ୍ମଦାବାଦରେ ନେଦରଲ୍ୟାଣ୍ଡସକୁ ଭେଟିବ ଟିମ୍ ଇଣ୍ଡିଆ

NEWS7
weather-update-in-odisha-225

ନୂଆଦିଲ୍ଲୀ, ୧୮/୦୨ : ଅହମ୍ମଦାବାଦରେ ବୁଧବାର ଟିମ୍ ଇଣ୍ଡିଆ ଲିଗ୍ ମୁକାବିଲାର ଶେଷ ମ୍ୟାଚ୍ ଖେଳିବ । ଦଳ ଅହମ୍ମଦାବାଦରେ ନେଦରଲ୍ୟାଣ୍ଡସକୁ ଭେଟିବ । ତେବେ ଏହି ମୁକାବିଲାକୁ ହାଲୁକା ଭାବେ ଭାରତ ନେବନି ବୋଲି କହିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ମଧ୍ୟ ନେଦରଲ୍ୟାଣ୍ଡସ ମ୍ୟାଚ୍ ସୁପର-୮ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଭାରତୀୟ ଟିମ୍ ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଛି । କିନ୍ତୁ ଟିମ୍ ମ୍ୟାନଜମେଣ୍ଟ ଦଳର ଲୟ ନଭାଙ୍ଗିବାକୁ ସମସ୍ତ ପ୍ରକାର ଯୋଜନା କରିଛି । ତେଣୁ ଦଳ ପାଇଁ ସବୁ ମୁକାବିଲା ମହତ୍ତ୍ୱପୂର୍ଣ୍ଣ । ଏହାକୁ ନେଇ ସିତାଂଶୁ କହିଛନ୍ତି ଯେ, ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା କମ୍ ରହିଛି । ବୁମରାଙ୍କୁ ନେଦରଲ୍ୟାଣ୍ଡସ ବିପକ୍ଷରେ ବିଶ୍ରାମ ଦେବାର ସୁଯୋଗ କମ୍ ରହିଛି । ଚୂଡାନ୍ତ ନିଷ୍ପତ୍ତି ପରେ ନିଆଯିବ ।

ଗତ ମୁକାବିଲାରେ ବୁମରା ଦମଦାର ପ୍ରଦର୍ଶନ କରିଥିଲେ । ସେ ପକିସ୍ତାନୀ ବ୍ୟାଟରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ନିଜର ପ୍ରଥମ ଓଭରରେ ସେ ସ୍ୟାମ୍ ଆୟୁବ ଏବଂ ଅଧିନାୟକ ସଲମାନ ଅଲ୍ଲୀ ଆଘାଙ୍କ ଓ୍ୱିକେଟ୍ ନେଇଥିଲେ । ଫଳରେ ଭାରତ ପାଇଁ ବିଜୟ ସହଜ ହୋଇଯାଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ପାକିସ୍ତାନ ବାହାରି ପାରି ନଥିଲା ଏବଂ ୬୧ ରନରେ ପରାସ୍ତ ହୋଇଥିଲା ।

ଅନ୍ୟ ଦିଗରେ ଗତ ଦୁଇଟି ମୁକବିଲାରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଚାଲିନି । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରୁଛନ୍ତି । ନେଦରଲ୍ୟାଣ୍ଡ ବିପକ୍ଷରେ ସେ ଫର୍ମକୁ ଫେରିବାର ସୁଯୋଗ ରହିଛି । ଏବେ ସେ ସୁସ୍ଥ ଅଛନ୍ତି । ତାଙ୍କର ପେଟ ସମସ୍ୟା ଏବେ ଆଉ ନାହିଁ ।

ସେହିପରି ଏବେ ଅନେକ ବଡ ବଡ ଦଳ ଦୁର୍ବଳ ଟିମଠୁ ପରାସ୍ତ ହେଉଛନ୍ତି । ଛୋଟ ଦଳ ସମୀକରଣ ବଦଳାଇ ଦେଉଛନ୍ତି । ତେଣୁ ଭାରତ ନେଦରଲ୍ୟାଣ୍ଡସ ବିପକ୍ଷରେ ରିସ୍କ ନେବାକୁ ଚାହୁଁନି । ଅହମ୍ମଦାବାଦରେ ମ୍ୟାଚ୍ ଖେଳାଯାଉଥିବାରୁ ଏହା ସୁପର ୮ ପୂର୍ବରୁ ଦଳ ପାଇଁ ଭଲ ପ୍ରାକ୍ଟିସ୍ ମ୍ୟାଚ୍ ହୋଇପାରିବ ବୋଲି ବ୍ୟାଟିଂ କୋଚ୍ କହିଛନ୍ତି ।