ଭୁବନେଶ୍ୱର ୨୧।୦୬ : ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ମାତ୍ର ବଡ଼ ବର୍ଷା କିମ୍ବା ବିସ୍ତୃତ ଅଞ୍ଚଳ ଭିଜିବାର ସମ୍ଭାବନା ନାହିଁ। ଉତ୍ତର ଓଡ଼ିଶାର କିଛି ଜାଗାରେ ଘଡ଼ଘଡ଼ି, ୩୦-୪୦ କିମି ବେଗରେ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁସାରେ ବର୍ତ୍ତମାନ ବର୍ଷା ପ୍ରକୋପ କମ୍ ରହିବ। ତେବେ ୨୪ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଏପରିକି ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ୨୪ରୁ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଶୁକ୍ରବାର ଦିନତମାମ ରାଜ୍ୟରେ ବିଶେଷ ବର୍ଷା ନଥିଲା। ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପାଗ ଆଂଶିକ ମେଘୁଆ ଥିଲେ ମଧ୍ୟ ପାଗ ଶୁଖିଲା ଥିଲା। ସୁନ୍ଦରଗଡ଼ରେ କାଁ ଭାଁ ହାଲୁକା ବର୍ଷା ହୋଇଥିଲା। ବୌଦ୍ଧ ଓ କୋରାପୁଟ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଟପିଥିଲା। ଉପକୂଳ ଓଡ଼ିଶାରେ ଭୁବନେଶ୍ୱର ୩୩.୧ ଓ କଟକ ୩୩.୮ ଡିଗ୍ରୀ ଥିବା ବେଳେ ଗୁଳୁଗୁଳି ପ୍ରକୋପ ଅଧିକ ଥିଲା ।