ଭୁବନେଶ୍ୱର ୦୨।୦୭ : ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳ ବର୍ଷା ଆଶଙ୍କା ଅଛି। ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ।
ଗୁରୁବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଓ ଝାରସୁଗୁଡ଼ାରେ ପ୍ରବଳରୁ ପ୍ରବଳ ଏବଂ ବରଗଡ଼, ନୂଆପଡ଼ା, ବଲାଙ୍ଗୀରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଝାଡ଼ଖଣ୍ଡ ଉପରେ ଆସନ୍ତା ୪ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଝାଡ଼ଖଣ୍ଡରେ ବର୍ଷା ପୁଣି ବଢ଼ାଇବ । ଓଡ଼ିଶାରେ ୫ ତାରିଖବେଳକୁ ବର୍ଷା ବଢ଼ିପାରେ। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଏହା ସଂଲଗ୍ନ ଅଞ୍ଚଳରେ ବର୍ଷା ବଢ଼ିବା ସମ୍ଭାବନା ଅଛି ।
ତେବେ ଲଗାଣ ବର୍ଷା ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି। ଆଉ ବର୍ଷା ନହେଲେ ବନ୍ୟା ଟଳିଯିବ। ମୟୂରଭଞ୍ଜ ଓ ବାଲେଶ୍ୱର ସ୍ଥିତି ସୁଧୁରିଛି। ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଂକେତ ତଳକୁ ଆସିଲାଣି । ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ବିପଦ ଥିବା ଇବ ନଦୀର ଜଳ ପତ୍ତନ ମଧ୍ୟ ଖସିଲାଣି । ବନ୍ୟା ପ୍ରବାହିତ ଅଞ୍ଚଳରେ ୭ ଦିନ ଯାଏ ମାଗଣା ଖାଦ୍ୟ ସହ ରିଲିଫ ସେଣ୍ଟର ଚଳାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଅଞ୍ଚଳର ଯେଉଁ ଲୋକେ ରିଲିଫ ସେଣ୍ଟରରେ ନାହାନ୍ତି, ତାଙ୍କ ଘରକୁ ଖାଦ୍ୟ ପହଞ୍ଚାଇ ଦିଆଯିବ । ଯେତେ ଶୀଘ୍ର ପାଣି ଖସିବ, ସେତେ ଶୀଘ୍ର କ୍ଷୟକ୍ଷତି ଆକଳନ ହେବ । ସମ୍ପୂର୍ଣ୍ଣ ଆକଳନ ସରିବା ପୂର୍ବରୁ ଆନୁମାନିକ ଆକଳନ କରି ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।