ପାଟନା ୩।୭: ଜନ ସୁରାଜ ସଂସ୍ଥାପକ ପ୍ରଶାନ୍ତ କିଶୋର (ପିକେ) ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ଯବାଣୀ କରିଛନ୍ତି। ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଏନଡିଏ ପୁଣି କ୍ଷମତାକୁ ଫେରି ନପାରେ। ସେ ଦାବି କରିଛନ୍ତି ଯେ ନଭେମ୍ବର ପରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ରହିବେ ନାହିଁ ଓ ଯଦି ଜେଡିୟୁକୁ ନିର୍ବାଚନରେ ୨୫ରୁ ଅଧିକ ଆସନ ମିଳେ ତେବେ ପିକେ ରାଜନୀତିରୁ ସନ୍ୟାସ ନେବେ।
ପିକେ ବିହାର ବିଧାନସଭା ନିର୍ବାଚନ ନେଇ ୩ଟି ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସେ କରିଥିବା ପ୍ରଥମ ଭବିଷ୍ୟବାଣୀରେ ନିତିଶ କୁମାରଙ୍କ ଜେଡିୟୁକୁ ନିର୍ବାଚନରେ ୨୫ରୁ ଅଧିକ ଆସନ ମିଳିବ ନାହିଁ ଓ ଯଦି ମିଳେ ମୁଁ ରାଜନୀତି ଛାଡିଦେବି ବୋଲି କହିଛନ୍ତି। ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପିକେ କହିଛନ୍ତି ଯେ ଜେଡି(ୟୁ)କୁ ଆଗାମୀ ବିଧାନସଭା ନିର୍ବାଚନରେ ୨୫ଟି ଆସନ ବି ମିଳିବ ନାହିଁ।
ସେହିପରି ଦ୍ୱିତୀୟ ଭବିଷ୍ୟବାଣୀରେ ପିକେ କହିଛନ୍ତି ଯେ ନିର୍ବାଚନ ପରେ ନିତିଶ ମୁଖ୍ୟମନ୍ତ୍ରୀ ରହିବେ ନାହିଁ। ଯଦି ଚାହିଁବେ ମୁଁ ଏ କଥା ଲେଖିକରି ମଧ୍ୟ ଦେଇ ପାରେ ବୋଲି ପିକେ କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ନଭେମ୍ବର ମାସ ପରେ ନିତିଶ ମୁଖ୍ୟମନ୍ତ୍ରୀ ପଦରେ ନଥିବେ। ନଭେମ୍ବର ପରେ ବିହାରରେ ନୂଆ ମୁଖ୍ୟମନ୍ତ୍ରୀ ହେବେ। ଜନତା ରାଜ୍ୟରେ ପରିବର୍ତ୍ତନ ଚାହୁଁଛନ୍ତି। ଏହି ପରିବର୍ତ୍ତନ ନଭେମ୍ବର ମାସରୁ ଆରମ୍ଭ ହେବ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ନିର୍ବାଚନରେ ଏନଡିଏ ବିହାରରେ ସରକାର କରିପାରିବ ନାହିଁ। ବିହାର ରାଜନୀତିରେ ଲାଲୁ ପ୍ରସାଦ ଯାଦବ ଏବେବି ଏକ ବଡ ଫ୍ୟାକ୍ଟର ହୋଇ ରହିଛନ୍ତି। ପିକେ କହିଛନ୍ତି ଯେ ବିହାର ଜନତା ଗତ ୩୦-୩୫ ବର୍ଷ ହେଲା ଏକାଭଳି ରାଜନୀତି ଓ ସେହି ନେତୃତ୍ୱ ଦେଖି ଆସୁଛନ୍ତି। ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠୁ ବଡ଼ ଦାବି ବୋଲି ସେ କହିଛନ୍ତି।
ପିକେଙ୍କ ଅନୁସାରେ ଗତ ଲୋକସଭା ନିର୍ବାଚନରେ ଏନଡିଏକୁ ୩୦ରୁ ଅଧିକ ସିଟ୍ ଏଥି ପାଇଁ ମିଳି ନଥିଲା କାରଣ ଲାଲୁ ଯାଦବ ଏକ ବଡ଼ ରାଜନୈତିକ ଫ୍ୟାକ୍ଟର ହୋଇ ରହିଥିଲେ। ପିକେ ଏହା ବି ଦାବିର ସହ କହିଛନ୍ତି ଯେ ବିହାରରେ ଲୋକେ ଏଥି ପାଇଁ ବିଜେପି ଓ ଜେଡି(ୟୁ)କୁ ଭୋଟ ଦେଇ ଆସୁଛନ୍ତି ଯେପରି ଲାଲୁ କ୍ଷମତାକୁ ଫେରି ନ ପାରନ୍ତି।