ଭୟାନକ ଯୁଦ୍ଧର ହେବ ପରିସମାପ୍ତି, ପୁଟିନଙ୍କ ସହ ଲମ୍ୱା ଆଲୋଚନା ପରେ କହିଲେ ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | March 19, 2025 IST

ନୂଆଦିଲ୍ଲୀ ୧୯/୦୩: ରୁଷ୍‌-ଯୁକ୍ରେନ୍‌ ଯୁଦ୍ଧବିରତି ପ୍ରସ୍ତାବକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ତାଙ୍କ ରୁଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ପ୍ରାୟ ୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଟ୍ରମ୍ପ୍‌ ୩୦ ଦିନିଆ ଯୁଦ୍ଧବିରତି ପ୍ରସ୍ତାବ ରଖିଥିବା ବେଳେ ସେଥିରେ ପୁଟିନ ସହମତ ହୋଇଛନ୍ତି । ଏଥିସହ ଆଗକୁ ସ୍ଥାୟୀ ଯୁଦ୍ଧବିରତି ଶାନ୍ତି ପ୍ରତିଷ୍ଠା ଉପରେ ଆଲୋଚନା ଜାରି ରଖିବାକୁ ଉଭୟ ନେତା ରାଜି ହୋଇଛନ୍ତି । 

ଉଭୟ ପକ୍ଷ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଏହି ଆଲୋଚନା କରାଯିବ ବୋଲି ସହମତ ପ୍ରକାଶ ପାଇଛି । ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ୩୦ ଦିନ ଯୁଦ୍ଧ ବନ୍ଦ ରଖିବାକୁ ପୁଟିନ ରାଜି ହୋଇଛନ୍ତି । ଏହି ୩୦ ଦିନ ଭିତରେ ୟୁକ୍ରେନର ଶକ୍ତି ପ୍ରକଳ୍ପ ଓ ଭିତ୍ତିଭୂମି ଉପରେ ରୁଷ ଆକ୍ରମଣ କରିବ ନାହିଁ । ଏଥିସହ ଦୁଇଦେଶ ମଧ୍ୟରେ ବନ୍ଦୀ ବିନିମୟ କରାଯିବ । ପ୍ରଥମ ପଦକ୍ଷେପ ସ୍ୱରୂପ ବୁଧବାର ଉଭୟ ଦେଶ ୧୭୫ ଜଣ ବନ୍ଦୀଙ୍କୁ ମୁକ୍ତ କରିବେ । 

ତେବେ ଏହି ଯୁଦ୍ଧବିରତି ପାଳନ କରିବାକୁ ରୁଷ କେତେକ ସର୍ତ୍ତ ରଖିଛି । ରୁଷ କହିଛି କି ୟୁକ୍ରେନକୁ ଅସ୍ତ୍ର ଯୋଗାଣ ବନ୍ଦ ହେବା ଉଚିତ । ଏଥିସହ ୟୁକ୍ରେନରେ ସୈନ୍ୟ ଭର୍ତ୍ତି ଓ ଗତିବିଧି ଉପରେ ରୋକ୍‌ ଲଗାଯିବା ଆବଶ୍ୟକ । ସେହିଭଳି ଯୁଦ୍ଧବିରତି ଯେଭଳି ସମ୍ପୂର୍ଣ୍ଣ ପ୍ରଭାବୀ ଢ଼ଙ୍ଗରେ ଲାଗୁ ହେବ ତାହା ସୁନିଶ୍ଚିତ କରିବାକୁ ହେବ । ୟୁକ୍ରେନ ଯୁଦ୍ଧର ସ୍ଥାୟୀ ସମାଧାନ ବାଟ ବାହାର କରିବାରେ ଆମେରିକା ସହ ମିଶି କାର୍ଯ୍ୟ କରିବାକୁ ରାଜିଥିବା ପୁଟିନ କହିଛନ୍ତି । 

ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ୭ଟାରେ ଟ୍ରମ୍ପ୍‌-ପୁଟିନ୍‌ଙ୍କ ମଧ୍ୟରେ ଏହି ଆଲୋଚନା ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଗତ ଫେବ୍ରୁଆରୀ ୧୨ରେ ଦୁଇ ନେତା ଫୋନ୍‌ରେ କଥା ହୋଇଥିଲେ । ଫେବ୍ରୁଆରୀ ୨୭ରେ ଇସ୍ତାନବୁଲରେ ଆମେରିକୀୟ ଏବଂ ରୁଷୀୟ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହୋଇଥିଲା । ଗତ ଗୁରୁବାର ଅର୍ଥାତ ୧୩ ତାରିଖରେ ଟ୍ରମ୍ପ୍‌ଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍‌ ୱିଟ୍‌କଫ୍‌ ମସ୍କୋରେ ପୁଟିନ୍‌ଙ୍କୁ ଭେଟିଥିଲେ । ପୂର୍ବରୁ ଆମେରିକାର ୩୦ ଦିନିଆ ଯୁଦ୍ଧବିରତି ପ୍ରସ୍ତାବକୁ ୟୁକ୍ରେନ ସମର୍ଥନ କରିଥିଲା । 

ପୁଟିନ୍‌ଙ୍କ ସହ ଟ୍ରମ୍ପ୍‌ କଥା ହେବା ପୂର୍ବରୁ ରୁଷ୍‌ ରାଷ୍ଟ୍ରପତିଙ୍କ ଅଫିସ୍‌ ପକ୍ଷରୁ କୁହାଯାଇଥିଲା ଯେ, ଆମେରିକା ଏବଂ ୟୁରୋପ ୟୁକ୍ରେନ୍‌କୁ ପ୍ରଥମେ ଅସ୍ତ୍ରଯୋଗାଣ ବନ୍ଦର କରନ୍ତୁ । ବିଶେଷକରି ଆମେରିକା ପ୍ରଥମେ ୟୁକ୍ରେନ୍‌କୁ ସାମରିକ ସହାୟତା ବନ୍ଦ କରୁ ବୋଲି ପୁଟିନ୍‌ ଚାହାନ୍ତି । ଏହା ପରେ ଯାଇ ଯୁଦ୍ଧବିରତି ଉପରେ ରୁଷ୍‌ ବିଚାର କରିବ । 

ପୂର୍ବରୁ ୟୁକ୍ରେନ୍‌ ଆମେରିକାର ୩୦ ଦିନିଆ ଯୁଦ୍ଧବିରତି ପ୍ରସ୍ତାବ ଉପରେ ରାଜି ହୋଇଛି । ଏଥିସହ ଆମେରିକା ଏଥିପାଇଁ ରୁଷ୍‌କୁ ରାଜି କରାଉ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ କହିଛନ୍ତି ଯୁଦ୍ଧବିରତି ଆଲୋଚନାରେ ୟୁକ୍ରେନକୁ ସାମିଲ କରାଯିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.