‘ଆମେ ହନୁମାନଙ୍କ ଆଦର୍ଶ ପାଳନ କରିଛୁ, କେବଳ ସେମାନଙ୍କୁ ମାରିଛୁ...’: ରାଜନାଥ ସିଂହ

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ: ‘ଆମେ ପ୍ରଭୁ ହମୁମାନଙ୍କ ଆଦର୍ଶକୁ ପାଳନ କରିଛୁ ଓ ସେମାନଙ୍କୁ ମାରିଛୁ, ଯେଉଁମାନେ ନିରୀହଙ୍କୁ ମାରିଥିଲେ ।' 'ଅପରେସନ ସିନ୍ଦୂର' ପାଇଁ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ପିଓକେ ଓ ପାକିସ୍ତାନରେ ୯ଟି ଆତଙ୍କୀ ଠିକଣାକୁ ମଙ୍ଗଳବାର ରାତିରେ ଧ୍ୱଂସ କରିଛି ଭାରତୀୟ ସେନା । ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନଥିଲେ ବି, ଆକ୍ରମଣରେ ବହୁ ସଂଖ୍ୟାରେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ 'ଅପରେସନ ସିନ୍ଦୂର'ର ସଫଳତା ପାଇଁ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି । 

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ରାଜନାଥ ସିଂହ କହିଛନ୍ତି, 'ଭାରତୀୟ ସେନା ଅଦ୍ଭୂତ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇ ଏକ ନୂଆ ଇତିହାସ ରଚିଛି । ସେନା ସଠିକ୍, ସତର୍କତା ଓ ସମ୍ୱେଦନଶୀଳତା ସହ କାର୍ଯ୍ୟାନୁଷ୍ଠାନ କରିଛି । ଆମେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ, ତାକୁ ସଠିକ୍ ଭାବେ ଧ୍ୱଂସ କରିଛୁ ଓ କୌଣସି ନାଗରିକ ଠିକଣା ଯେପରି ପ୍ରଭାବିତ ହେବନି, ତାହା ଉପରେ ଗୁରୁତ୍ୱ ଦେଇଥିଲୁ । ଆମେ ପ୍ରଭୁ ହନୁମାନଙ୍କ ସେହି ଆଦର୍ଶର ପାଳନ କରିଛୁ, ଯାହା ସେ ଅଶୋକ ବାଟିକା ନଷ୍ଟ କରିବା ବେଳେ କରିଥିଲେ-ଜିହ୍ନ୍ ମୋହି ମାରା ତିନ୍ ମେ ମାରେ । ଆମେ କେବଳ ସେମାନଙ୍କୁ ମାରିଛୁ, ଯେଉଁମାନେ ଆମ ନିରୀହଙ୍କୁ ମାରିଥିଲେ ।' 

ରାଜନାଥ ସିଂହ କହିଛନ୍ତି ଯେ ପିଏମ ମୋଦୀଙ୍କ ନେତୃତ୍ୱରେ ଆମ ସେନା ଅପରେସନ ସିନ୍ଦୂର ଲଞ୍ଚ୍ କରି ଆତଙ୍କୀଙ୍କ ଟ୍ରେନିଂ କ୍ୟାମ୍ପକୁ ଧ୍ୱଂସ କରି ଜୋରଦାର ଜବାବ ଦେଇଛନ୍ତି । ଭାରତ ରାଇଟ୍-ଟୁ-ରିସ୍ପନର ବ୍ୟବହାର କରିଛି ଓ ଭାବି ଚିନ୍ତି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.