ଆମେ ଆଉ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛୁ, ହେଇପାରେ ଭାରତ ସହ: ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | July 16, 2025 IST

internet

ନୂଆଦିଲ୍ଲୀଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଅସ୍ପଷ୍ଟ ରହିଥିବା ବେଳେ ଏ ନେଇ ସଂକେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପରବର୍ତ୍ତୀ ବାଣିଜ୍ୟ ଚୁକ୍ତି ହୁଏତ ଭାରତ ସହିତ ହୋଇପାରେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ହ୍ୱାଇଟ୍ ହାଉସରେ ବାହାରିନର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଆମର ଆଉ ଏକ ଚୁକ୍ତି ଭାରତ ସହିତ ହୋଇପାରେ। ୱାଶିଂଟନରେ ଭାରତ ଏବଂ ଆମେରିକାର ବାଣିଜ୍ୟ ଅଧିକାରୀଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି। 

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଭାରତ ସହିତ ଚୁକ୍ତି ନେଇ ମଧ୍ୟ ବୟାନ ଦେଇଥିଲେ ଟ୍ରମ୍ପ। ସେ କହିଥିଲେ ଯେ ଭାରତ ସହ ଚୁକ୍ତି ଆମେରିକା-ଇଣ୍ଡୋନେସିଆ ମଡେଲ ଭଳି ହୋଇପାରେ। ଏହି ଚୁକ୍ତିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ ଆମେରିକୀୟ ସାମଗ୍ରୀକୁ ସମ୍ପୂର୍ଣ୍ଣ ବଜାର ପ୍ରବେଶକୁ ଅନୁମତି ଦେଇଛି। ହେଲେ ଇଣ୍ଡୋନେସିଆ ରପ୍ତାନୀ ଉପରେ ଆମେରିକା ୧୯% ଶୁଳ୍କ ଲାଗୁ କରିଛି। କେବଳ ସେତିକି ନୁହେଁ ଇଣ୍ଡୋନେସିଆ ୧୫ ବିଲିୟନ ଡଲାରର ଆମେରିକୀୟ ଏନର୍ଜି, ୪.୫ ବିଲିୟନ ଡଲାରର ଆମେରିକୀୟ କୃଷି ଉତ୍ପାଦ ଏବଂ ୫୦ଟି ବୋଇଂ ଜେଟ୍ କିଣିବାକୁ ପ୍ରତିବଦ୍ଧ ଦେଇଛି।

ପଢନ୍ତୁ- ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିରେ ରେଡ୍‌ ଲାଇନ୍ ସାଜିଛି ଦୁଗ୍ଧ ଓ କୃଷି କ୍ଷେତ୍ର: SBIର ଚେତାବନୀ, ହେବ ୧.୩ ଲକ୍ଷ କୋଟି କ୍ଷତି

ମିଡିଆକୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ "ଭାରତ ମୂଳତଃ ସେହି ସମାନ ଲାଇନ୍(ଇଣ୍ଡୋନେସିଆ ଭଳି)ରେ କାମ କରୁଛି। ଆମେ ଭାରତରେ ପ୍ରବେଶ କରିବାକୁ ଯାଉଛୁ। ଆପଣ ବୁଝନ୍ତୁ ଯେ ଆମର ଏହି ଦେଶଗୁଡ଼ିକ ମଧ୍ୟରୁ କୌଣସିକୁ ପ୍ରବେଶ ନଥିଲା। ଆମର ବ୍ୟବସାୟୀମାନେ ଏମାନଙ୍କ ବଜାରରେ ପ୍ରବେଶ କରିପାରିଲେ ନାହିଁ। ଏବେ ଆମେ ଶୁଳ୍କ ଲଗାଇବାରୁ ଆମେ ପ୍ରବେଶ କରିପାରୁଛୁ।”

ଆମେରିକା ଭାରତ ଉପରେ କ୍ଷୀର, ଅଟୋମୋବାଇଲ (ବିଶେଷକରି ବୈଦ୍ୟୁତିକ ଯାନ), ମଦ, ସେଓ ଏବଂ ଜେନେଟିକାଲି ପରିବର୍ତ୍ତିତ ଫସଲ ସମେତ ବିଭିନ୍ନ ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବାକୁ ଚାପ ପକାଇ ଆସୁଛି। ପ୍ରତିବଦଳରେ, ଭାରତ କପଡ଼ା, ମଣି ଏବଂ ଅଳଙ୍କାର, ଚମଡ଼ା ସାମଗ୍ରୀ, ରାସାୟନିକ ପଦାର୍ଥ ଏବଂ ଚିଙ୍ଗୁଡ଼ି ଭଳି ପ୍ରମୁଖ ରପ୍ତାନି ସାମଗ୍ରୀ ଉପରେ ଶୁଳ୍କ ରିହାତି ଚାହୁଁଛି। ତେବେ ଇଣ୍ଡୋନେସିଆ ଶୈଳୀରେ ଚୁକ୍ତି କଲେ ଭାରତକୁ ବହୁତ ମହଙ୍ଗା ପଡ଼ିବ ବୋଲି ବିଶ୍ୱ ବାଣିଜ୍ୟ ଗବେଷଣା ପଦକ୍ଷେପ(ଜିଟିଆର୍‌ଆଇ) ଚିନ୍ତା ବ୍ୟକ୍ତ କରିଛି। ସେପଟେ ଭାରତ କହିଛି ଦେଶର ସ୍ୱାର୍ଥ ହିତରେ ହିଁ ଡିଲ୍ ହେବ। 

ସୂଚନା ଥାଉକି ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସୁଦୃଢ଼ ରହିଛି। ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ମେ ମାସରେ ଭାରତର ଆମେରିକାକୁ ପଣ୍ୟଦ୍ରବ୍ୟ ରପ୍ତାନି ୨୧.୭୮% ବୃଦ୍ଧି ପାଇ ୧୭.୨୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଯେତେବେଳେ ଆମଦାନୀ ୨୫.୮% ବୃଦ୍ଧି ପାଇ ୮.୮୬ ବିଲିୟନ ଆମେରିକୀୟ ଡଲାରରେ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.