News7 Logo

ରୁଷ ଆର୍ମି ଛାଡ଼ିବନି...ୟୁକ୍ରେନ ପାଇଁ ପାଶ୍ଚାତ୍ୟର ସୁରକ୍ଷା ଗ୍ୟାରେଣ୍ଟି ଉପରେ ନିଆଁବାଣ ପୁଟିନ

NEWS7
putin

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ପାଇଁ ପଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ସୁରକ୍ଷା ଗ୍ୟାରେଣ୍ଟିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପୁଟିନ ଚେତାବନୀ ଦେଇଛନ୍ତି, ୟୁକ୍ରେନରେ ମୁତୟନ ଥିବା ବିଦେଶୀ ସୈନିକଙ୍କୁ ରୁଷ ସେନା ଦ୍ୱାରା ଟାର୍ଗେଟ କରାଯିବ । ଉଲ୍ଲେଖଯୋଗ୍ୟ, ଗୋଟିଏ ଦିନ ପୂର୍ବେ ଗୁରୁବାର ଅନେକ ନାଟୋ ଦେଶ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତିନାମାରେ ସୁରକ୍ଷା ଗ୍ୟାରେଣ୍ଟି ଭାବରେ କିଭକୁ ସେନା ପଠାଇବା ବିଷୟରେ କଥା ହୋଇଛନ୍ତି ।   

ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରୟାସ ସଫଳ ହେଲେ ୨୬ ଦେଶ ୟୁକ୍ରେନକୁ ସେନା ଯୋଗାଇବେ ବୋଲି ଗୁରୁବାର କୋଏଲସନ୍ ଅଫ୍ ୱିଲିଂ ନାମକ ୩୫ ଦେଶର ଏକ ଶିଖର ସମ୍ମିଳନୀରେ ସହମତି ପ୍ରକାଶ ପାଇଥିଲା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଥିଲେ, ଯୁଦ୍ଧବିରତି ପରେ ୟୁକ୍ରେନର ସୁରକ୍ଷା ପାଇଁ ସ୍ଥଳ, ସମୁଦ୍ର କିମ୍ବା ଆକାଶ ମାର୍ଗରେ ସେନା ପଠାଇବେ ବୋଲି ୨୬ ପଶ୍ଚାତ୍ୟ ଦେଶ ଆନୁଷ୍ଠାନିକ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ।

ଭ୍ଲାଦିମିର ପୁଟିନ କହିଛନ୍ତି, 'ଯଦି ୟୁକ୍ରେନରେ ଯୁଦ୍ଧ ସମୟରେ ବିଦେଶୀ ସୈନ୍ୟ ସାମିଲ ହୁଅନ୍ତି, ତେବେ ସେମାନେ ଆମର ଟାର୍ଗେଟ୍ ହେବେ । ଏହାସହ ପୁଟିନ ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନରେ ବିଦେଶୀ ସୈନ୍ୟ ମୁତୟନ ଦୀର୍ଘକାଳୀନ ଶାନ୍ତି ପାଇଁ ଠିକ୍ ନୁହେଁ । ରୁଷ ଏବଂ ୟୁକ୍ରେନ ଉଭୟ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ସୁନିଶ୍ଚିତ କରାଯିବା ଉଚିତ ।  ପୁଟିନ ଆହୁରି କହିଛନ୍ତି, 'ପଶ୍ଚିମ ଦେଶମାନଙ୍କ ସହିତ କିଭ୍‌ର ଘନିଷ୍ଠ ସାମରିକ ସମ୍ପର୍କ ୨୦୨୨ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ୟୁକ୍ରେନ୍-ରୁଷ ଯୁଦ୍ଧର ମୂଳ କାରଣ ମଧ୍ୟରୁ ଗୋଟିଏ । ଯଦି ଦୀର୍ଘକାଳୀନ ଶାନ୍ତି ପାଇଁ ନିଷ୍ପତ୍ତି ନିଆଯାଏ, ତେବେ ୟୁକ୍ରେନ ମାଟିରେ ପାଶ୍ଚାତ୍ୟ ସୈନ୍ୟଙ୍କ ଉପସ୍ଥିତିର କୌଣସି ଅର୍ଥ ନାହିଁ । ଅନ୍ୟପଟେ କିନ୍ତୁ ୟୁକ୍ରେନରେ ସେମାନଙ୍କର ଉପସ୍ଥିତି ଶାନ୍ତି ପାଇଁ ଏକ ବଡ଼ ପ୍ରତିବନ୍ଧକ ପାଲଟିବ। '

କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭଙ୍କ କହିଛନ୍ତି, 'ଆମେ ଏହାକୁ ଆମ ପାଇଁ ବିପଦ ରୂପେ ଦେଖୁଛୁ । ଆମେ ଆମର ସୀମା ନିକଟରେ ୟୁକ୍ରେନ ମାଟିରେ ଅନ୍ତର୍ଜାତୀୟ ସୈନ୍ୟ, ବିଦେଶୀ ସୈନ୍ୟ କିମ୍ବା ନାଟୋ ସୈନ୍ୟଙ୍କ ଉପସ୍ଥିତିକୁ ସହ୍ୟ କରିବୁ ନାହିଁ । ପେସକୋଭ କହିଛନ୍ତି ଯେ ୨୦୨୨ରେ ଇସ୍ତାନବୁଲରେ ଶାନ୍ତି ଆଲୋଚନାରେ ହୋଇଥିବା ଚୁକ୍ତିନାମାରେ ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ସାମିଲ ରହିଛି । ଏପରି ପରିସ୍ଥିତିରେ, ୟୁକ୍ରେନରେ ବିଦେଶୀ ସୈନ୍ୟଙ୍କ କୌଣସି ଅର୍ଥ ନାହିଁ ।